ମୋଦୀଙ୍କୁ ଫକିର ବୋଲି କହିଲେ ଅନୁପମ୍ ଖେର୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୨ ତାରିଖରେ ସମୁଦ୍ର କୂଳରୁ ଅଳିଆ ସଫା କରୁଥିବାର ଏକ ଭିଡିଓ ସେୟାର କରିଥିଲେ । ଯାହାକି ସୋସିଆଲ ମିଡିଆରେ ଛାଇ ଯାଇଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରୁ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଆସୁଛି । ବଲିଉଡ୍ କଳାକାର ବି ମୋଦୀଙ୍କ ଏଭଳି କାମ ଦେଖି ପ୍ରଶଂସା କରିବା ସହ ସ୍ୱଚ୍ଛତା ଅଭିଯାନକୁ ନେଇ ପ୍ରଧାନମନ୍ତ୍ରୀ ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ସ୍ୱାଗତଯାଗ୍ୟ ବୋଲି କହିଛନ୍ତି । ଅଭିନେତା ଅନୁପମ ଖେର ମୋଦୀଙ୍କର ଏହି ସମୁଦ୍ର କୂଳରୁ ଅଳିଆ ସଫା କରୁଥିବାର ଭିଡିଓକୁ ଦେଖି ପ୍ରଶଂସା କରିଛନ୍ତି । ଏଥିସହିତ ଏହି ଭିଡିଓରୁ ଆସିଥିବା ଏକ ଫଟୋକୁ ଦେଖି ଲେଖିଥିଲେ କି, ମୋଦୀଜୀଙ୍କ ଏହି ଫଟୋ ଭବିଷ୍ୟତରେ ସାଧୁତା, ସତ୍ୟତା, ସରଳତା ଓ ନିସ୍ୱାର୍ଥପରତାର ଏକ ପ୍ରତୀକ ହେବ । ଏହି ଛବିଟିରେ ସ୍ୱଚ୍ଛ ଭାରତର ଅଭିଯାନ ତ ଅଛି ତା’ସହ ଜଣେ ଫକିରଙ୍କ ଛବି ମଧ୍ୟ ଲୁଚି ରହିଛି ବୋଲି ଅନୁପମ ଲେଖିଛନ୍ତି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଆଉ ଏକ ଚର୍ଚ୍ଚା ଜୋର ଧରିଛି ।


