‘ମୋନା’ପକ୍ଷରୁ ଦିବଂଗତ ଡାକ୍ତର ସୁପ୍ରଭା ଦାସଙ୍କୁ ଶ୍ରଦ୍ଧାଞ୍ଜଳି
ବାଲେଶ୍ୱର, (ସରୋଜ ପଣ୍ଡା) : ଦିବଂଗତ ଖ୍ୟାତନାମା ସ୍ତ୍ରୀରୋଗ ବିଶେଷଜ୍ଞ ତଥା ବିଶିଷ୍ଟ ସମାଜସେବୀ ଡାକ୍ତର ସୁପ୍ରଭା ଦାସଙ୍କ ବିୟୋଗରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ‘ମୋନା’ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସୋମବାର ଅନୁଷ୍ଠିତ ହୋଇଯାଇଛି । ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସଙ୍ଗଠନର ସଭାପତି ଆଇନଜୀବୀ ପ୍ରଭାକର ସାହୁ ସଭାପତିତ୍ୱ କରିଥିଲେ । ପ୍ରଫେସର ଡ. ପ୍ରହ୍ଲାଦ ଚରଣ ମହାନ୍ତି ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଡାକ୍ତର ସୁପ୍ରଭା ଦାସ ଓ ତାଙ୍କ ସ୍ୱାମୀ ଅମରେନ୍ଦ୍ର ଦାସ ଉଭୟଙ୍କ ତ୍ୟାଗମୟ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ସେ ଜଣେ ଉତ୍ସର୍ଗୀକୃତ ସେବକ ତଥା ନିର୍ଭୀକ ବ୍ୟକ୍ତିତ୍ୱର ଅଧିକାରିଣୀ ଥିଲେ ବୋଲି ଡ. ମହାନ୍ତି କହିଥିଲେ । ମୋନାର ସାଧାରଣ ସମ୍ପାଦିକା ମମତା ମହାପାତ୍ର ସୁପ୍ରଭା ଦେବୀଙ୍କ ସହ ବାଲ୍ୟକାଳରେ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ସ୍ମୃତି ମନେ ପକାଇଥିଲେ । ଉପ-ସଭାପତି ଡ. କ୍ଷୀତିଶ୍ୱର ଦାଶ, ସମାଜସେବୀ ଅଞ୍ଜଳି ପଣ୍ଡା, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ସୁବ୍ରତ କର, ବେଣୁଧର ସାହୁ, କମଳାକାନ୍ତ ଦାଶ, ଶଶାଙ୍କ ଶେଖର ଦତ୍ତ, ଗୀତାଞ୍ଜଳି ସିଂହ, କଲ୍ୟାଣୀ ନନ୍ଦ, ସ୍ମୃତି ଦାସ, ରବି କୁମାର ପାଣଗ୍ରାହୀ, ଯୋଗେଶ ଚନ୍ଦ୍ର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବେହେରା ଓ ହିମାଂଶୁ ଦାସ ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ସୁପ୍ରଭା ଦେବୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶାର ଦ୍ୱିତୀୟ ବାଚସ୍ପତି ନନ୍ଦକିଶୋର ଦାସଙ୍କ ଝିଆରୀ ତଥା ସ୍ୱାଧୀନତା ସଂଗ୍ରାମୀ ପରିବାରର ବୋହୂ ଭାବରେ ସେ ରମା ଦେବୀ, ମାଳତି ଚୌଧୁରୀ, ନବକୃଷ୍ଣ ଚୌଧୁରୀ ଓ ତାଙ୍କ ମଉସା ରବୀନ୍ଦ୍ର ମୋହନ ଦାସଙ୍କ ଆଦର୍ଶକୁ ଗ୍ରହଣ ସହ ସମାଜସେବାରେ ନିଜକୁ ଉତ୍ସର୍ଗ କରିଥିଲେ ବୋଲି ବକ୍ତାମାନେ କହିଥିଲେ । ଶିକ୍ଷାରପ୍ରସାର, ନିଶା ନିବାରଣ, ନାରୀ ଚାଲାଣ ବିରୋଧରେ ଓ ନାରୀମାନଙ୍କୁ ସଶକ୍ତ କରିବାରେ ସେ ସର୍ବଦା ଚେଷ୍ଟିତ ଥିଲେ । ନିଜର ସମସ୍ତ ସମ୍ପତ୍ତି ‘ଲୋକସେବକ ମଣ୍ଡଳ’କୁ ଦାନ କରି ଦେଇଥିଲେ । ଶେଷରେ ନିଜର ଶରୀରକୁ ଦାନ କରି ‘ସମାଜ’ ପକ୍ଷରୁ ‘ଦଧିଚି’ ସମ୍ମାନରେ ସମ୍ମାନିତ ହୋଇଥିଲେ । ତାଙ୍କର ଅବର୍ତ୍ତମାନ ସମାଜସେବୀ କ୍ଷେତ୍ରରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ଏହି ଶ୍ରଦ୍ଧାଞ୍ଜଳି ସଭାରେ ସମସ୍ତେ ମତ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ତାଙ୍କର ଫଟୋଚିତ୍ରରେ ପୁଷ୍ପ ଅର୍ପଣ ସହ ନିରବ ପ୍ରାର୍ଥନା କରି ଅମର ଆତ୍ମା ପ୍ରତି ସମସ୍ତେ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ ।


