ମୋବାଇଲ୍ ମାୟାଜାଲରେ ହଜିଯାଇଛି ବାସ୍ତବ ଦୁନିଆ
ହୃଷୀକେଶ ପାଣିଗ୍ରାହୀ
ପରିବର୍ତ୍ତନ ହେଉଛି ସଂସାରର ନିୟମ। ସମୟ ସହିତ ଆମର ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିଛି। ଦିନେ ଏମିତି ଏକ ସମୟ ଥିଲା, ଯେତେବେଳେ ଖରାଛୁଟି କିମ୍ବା ପୂଜାପର୍ବ ହେଲେ ପିଲାମାନେ ମାମୁଘର କିମ୍ବା ସମ୍ପର୍କୀୟଙ୍କ ଘରକୁ ଯିବା ପାଇଁ ବ୍ୟଗ୍ର ହେଉଥିଲେ। ସାଙ୍ଗସାଥୀଙ୍କ ମେଳରେ ଭୋଜିଭାତ, ଯାନିଯାତ୍ରା ଏବଂ ଖେଳକୁଦ ମାଧ୍ୟମରେ ମନକୁ ସତେଜ ରଖିବାର ପରମ୍ପରା ଥିଲା। ମାତ୍ର ଆଜିର ବିଜ୍ଞାନ ଯୁଗରେ ସେହି ସାମାଜିକ ମିଳାମିଶାର ସ୍ଥାନ ନେଇଛି ଏକ କ୍ଷୁଦ୍ର ଯନ୍ତ୍ର, ଯାହାକୁ ଆମେ ‘ମୋବାଇଲ୍ ଫୋନ୍’ ବୋଲି କହୁଛୁ। ଆଜି ମୋବାଇଲ୍ ଫୋନ୍ କେବଳ ଏକ ଯନ୍ତ୍ର ହୋଇ ରହିନାହିଁ, ବରଂ ଏହା ଆମ ଜୀବନର ଏକ ଅଙ୍ଗ ପାଲଟି ଯାଇଛି। ବସିବା, ଶୋଇବା, ରୋଷେଇ କରିବା କିମ୍ବା ଖାଇବା ସମୟରେ ମଧ୍ୟ ଫୋନ୍ ଆମ ହାତ ପାହାନ୍ତାରେ ରହୁଛି। ପୂର୍ବରୁ ଯେଉଁ ମନୋରଞ୍ଜନ ପାଇଁ ପଡ଼ିଆରେ ଖେଳକୁଦ ବା ବାହାରକୁ ବୁଲିବାକୁ ଯିବାକୁ ପଡ଼ୁଥିଲା, ଏବେ ତାହା ମୋବାଇଲ୍ ସ୍କ୍ରିନ୍ ଭିତରେ ସୀମିତ ହୋଇଯାଇଛି। ଆଜିର ଯୁବପିଢ଼ି ଶାରୀରିକ କସରତ ଭୁଲି ଦିନକୁ ୮ ରୁ ୧୫ ଘଣ୍ଟା ‘ସ୍କ୍ରିନ୍ ଟାଇମ୍’ରେ ଅତିବାହିତ କରୁଛନ୍ତି। ଖେଳପଡ଼ିଆକୁ ଯିବା ଅପେକ୍ଷା ଛାତ ଉପରେ କିମ୍ବା ଗଛ ଉପରେ ଚଢ଼ି ୫-ଜି ନେଟୱାର୍କ ଖୋଜି ଅନଲାଇନ୍ ଗେମ୍ ଖେଳିବାକୁ ସେମାନେ ଅଧିକ ପସନ୍ଦ କରୁଛନ୍ତି। ଏପରିକି ଖବରକାଗଜ ପଢ଼ିବା ପାଇଁ ମଧ୍ୟ ଇ-ପେପରର ସାହାଯ୍ୟ ନିଆଯାଉଛି।
ମୋବାଇଲ୍ ଫୋନର ଆବିଷ୍କାର ଦୂରରେ ଥିବା ବ୍ୟକ୍ତିଙ୍କ ସହ କଥା ହେବା ପାଇଁ ହୋଇଥିଲା, ମାତ୍ର ଆଜି ସେହି ଉଦ୍ଦେଶ୍ୟ ଗୌଣ ହୋଇଯାଇଛି। ଏବେ ମୋବାଇଲ୍ ଫୋନ୍ ଭିତରେ ସମଗ୍ର ଦୁନିଆ ଆବଦ୍ଧ। ଫଟୋ ଉଠାଇବା, ସପିଂ କରିବା, ବହି ପଢ଼ିବା, କ୍ୟାଲେଣ୍ଡର ଦେଖିବା, ଭାଗ୍ୟ କୁଣ୍ଡଳୀ ବିଚାର କରିବା ଠାରୁ ଆରମ୍ଭ କରି ଟ୍ରାଭେଲ୍ ଟିକେଟ୍ ଓ ପେମେଣ୍ଟ ପର୍ଯ୍ୟନ୍ତ ସବୁକିଛି ଚୁଟକିରେ ହୋଇଯାଉଛି। ଏତେ ସବୁ ସୁବିଧା ପାଇବା ପରେ ମଣିଷ ବାହାର ଦୁନିଆ ପ୍ରତି ବିମୁଖ ହେବା ସ୍ୱାଭାବିକ।ମାତ୍ର ଏହି ଅହେତୁକ ନିର୍ଭରଶୀଳତା ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରୁଛି। ଯଦି କେବେ ଫୋନରେ ଚାର୍ଜ ନଥାଏ, ନେଟୱାର୍କ କଟିଯାଏ କିମ୍ବା ଫୋନ୍ ଖରାପ ହୋଇଯାଏ, ତେବେ ମଣିଷକୁ ଲାଗୁଛି ଯେମିତି ସେ ନିଃସଙ୍ଗ ହୋଇଯାଇଛି। ସେହି ସମୟରେ ଅନୁଭବ ହେଉଛି ଯେମିତି କୌଣସି ଆତ୍ମୀୟଙ୍କ ବିୟୋଗ ଘଟିଛି କିମ୍ବା ନିଜ ଶରୀରର କୌଣସି ଅଙ୍ଗ କଟିଯାଇଛି।
ଥରେ ଗଭୀର ଭାବେ ଚିନ୍ତା କରନ୍ତୁ, ଏହି ଅତ୍ୟଧିକ ନିର୍ଭରଶୀଳତା ପରେ ଯଦି କୌଣସି କାରଣ ବଶତଃ ମୋବାଇଲ୍ ଫୋନ୍ ସେବା ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହୋଇଯାଏ, ତେବେ ଆମର ସ୍ଥିତି କଣ ହେବ? ଯେଉଁ ସମାଜ ଆଜି ପ୍ରତିଟି କାମ ପାଇଁ ଗୋଟିଏ କ୍ଲିକ୍ ଉପରେ ନିର୍ଭର କରୁଛି, ସେ ପୁଣିଥରେ ବାସ୍ତବ ଜୀବନର ସାଧାରଣ ଧାରାକୁ ଫେରିପାରିବ ତ? ହୁଏତ ସେତେବେଳେ ଆମକୁ ପୁଣିଥରେ ଚିଠି ଲେଖିବା, ବହିର ପୃଷ୍ଠା ଓଲଟାଇବା ଏବଂ ମଣିଷ ସହ ସଚକ୍ଷୁରେ କଥା ହେବା ପାଇଁ ସଂଘର୍ଷ କରିବାକୁ ପଡ଼ିପାରେ। ଏହି ପ୍ରଶ୍ନ ଆଜିର ଯୁବପିଢ଼ି ପାଇଁ ଏକ ବଡ଼ ଚେତାବନୀ।
ବିଜ୍ଞାନର ବରଦାନ ଭାବେ ମୋବାଇଲ୍ ଫୋନ୍ ଆମକୁ ଅନେକ ସୁବିଧା ଦେଇଛି ସତ, କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ଆମକୁ ଆତ୍ମୀୟତା ଏବଂ ସାମାଜିକ ଜୀବନରୁ ଦୂରେଇ ନେଉଛି। ଆମେ ଯନ୍ତ୍ରର ଦାସ ନହୋଇ ଏହାକୁ ସୀମିତ ଭାବେ ବ୍ୟବହାର କରିବା ଶିଖିବା ଜରୁରୀ। ଯଦି ଆମେ ଆଜିଠାରୁ ବାସ୍ତବ ଦୁନିଆ ସହ ସମ୍ପର୍କ ଯୋଡ଼ିବା ନାହିଁ, ତେବେ ଭବିଷ୍ୟତରେ ମୋବାଇଲ୍ ବିନା ଆମର ଅସ୍ତିତ୍ୱ ବିପନ୍ନ ହୋଇପଡ଼ିବ। ଜୀବନର ପ୍ରକୃତ ସ୍ୱାଦ ମୋବାଇଲ୍ ସ୍କ୍ରିନ୍ ଭିତରେ ନୁହେଁ, ବରଂ ବାସ୍ତବ ଦୁନିଆର ମିଳାମିଶା ଏବଂ ପ୍ରକୃତିର ସାନ୍ନିଧ୍ୟରେ ହିଁ ମିଳିଥାଏ।
ଶିକ୍ଷକ ଶିକ୍ଷା ବିଭାଗ,
ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ, ବ୍ରହ୍ମପୁର
ମୋ: ୯୯୩୮୫୦୬୨୦୭


