ମୋବାଇଲ ଫୋନ ଟ୍ରାକିଂ ପରେ ଅପହୃତ ମହିଳା ଉଦ୍ଧାର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତା ଗୁପ୍ତେଶ୍ୱର ଶୈବପୀଠ ନିକଟ ରସ ଫ୍ୟାକ୍ଟ୍ରି ନିକଟରୁ ଜଣେ ବିବାହିତା ଙ୍କୁ ଜବରଦସ୍ତ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।ମହିଳା ଜଣକ ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର।ସେ ଫ୍ୟାକ୍ଟ୍ରି ରେ କାମସାରି ଗତ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ ଟାରେ ଘରକୁ ଫେରୁଥିବା ବେଳେ ବୁଗୁଡ଼ା ପଲ୍ଲୀ ଗ୍ରାମର ବନମାଳୀ ଦାସ ଏବଂ ତାଙ୍କ ୩ ସହଯୋଗୀ ମହିଳା ଙ୍କୁ ଅପହରଣ କରିଥିବା ନେଇ ତାଙ୍କ ଝିଅ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୩୨/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଏସ.ଆଇ ସୋଫିଆ ମିଶ୍ର ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।ପୂର୍ବରୁ ଅଭିଯୁକ୍ତ ଜଣକ ତାଙ୍କ ପଦ୍ମନାଭପୁର ଘରକୁ ଆସି ତାଙ୍କ ମା ଓ ଭାଇ ଙ୍କୁ ହତ୍ୟା ଧମକ ଦେଇଥିଲେ।ଗତ ପ୍ରାୟ ୧ ସପ୍ତାହ ହେଲା ଅଭିଯୁକ୍ତ ତାଙ୍କ ମା ଙ୍କୁ ରସ ଫ୍ୟାକ୍ଟ୍ରି ନିକଟରେ ରହି ପିଛା କରୁଥିଲେ।ଅଭିଯୁକ୍ତ ତାଙ୍କୁ ଫୋନ କରି ତାଙ୍କ ମା ଙ୍କୁ କଲିକତା ନେଇ ଯାଉଛୁ।୧୫ ଦିନ ପରେ ତାଙ୍କୁ ଛଡାଯିବ ବୋଲି ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଥିଲା। ତଦନ୍ତକାରୀ ଅଧିକାରୀ ଙ୍କ ନେତୃତ୍ୱରେ ଗଠିତ ସ୍ଵତନ୍ତ୍ର ସ୍କ୍ୱାର୍ଡ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରିବା ସହ ଅଭିଯୁକ୍ତ ଏବଂ ଅପହୃତ ମହିଳା ଙ୍କ ମୋବାଇଲ ଫୋନ ଟ୍ରାକିଂ କରିବା ପରେ କେ.ନୂଆଗାଁ ଥାନା ଖମାରି ଗାଁ ଇଲାକା ରେ ମହିଳା ଜଣକ ଥିବା ଜଣାପଡିଥିଲା।ପୋଲିସ ଟିମ୍ ଅପହୃତ ମହିଳା ଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।