ମୋବାଇଲ ଲାଇଟ ଆଲୁଅରେ ଚାଲିଛି ରୋଗୀଙ୍କ ସେବା

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଜୁଳି ଚାଲିଗଲେ ମୋବାଇଲ ଲାଇଟ ଆଲୁଅରେ ରୋଗୀ ସେବା ହେଉଥିବା ରୋଗୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲସରା ସହରରେ ଘନ ଘନ ବିଦ୍ୟୁତ କାଟ୍ ହେଉଥିବା ବେଳେ ପୋଲସରା ମେଡ଼ିକାଲରେ ଜେନେରେଟର ଖରାପ ଥିବା ଯୋଗୁ ସମସ୍ତ ଓ୍ବାଡ଼ରେ ରୋଗୀ ମାନେ ଅନ୍ଧାରରେ ରହୁଛନ୍ତି । ସେହିପରି ସେବା କରୁଥିବା ଡାକ୍ତର ଓ କର୍ମଚାରୀ ବୃନ୍ଦ ଅନ୍ଧାରରେ ମହମବତୀ ଓ ମୋବାଇଲ ଲାଇଟ ଆଲୋକରେ ରୋଗୀସେବା କରୁଛନ୍ତି । ବିଦ୍ୟୁତ ଚାଲିଯିବା ସମୟରେ କାର୍ଯ୍ୟରତ ମହିଳା ଡ଼ାକ୍ତର ପ୍ରଜ୍ଞା ପ୍ରଥମା ମୋବାଇଲ ଲାଇଟ୍ ଓ ମହମବତୀ ଆଲୋକରେ ରୋଗୀଙ୍କ ସେବା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଗତ ରବିବାର ରାତିରେ ଜଣେ ଗର୍ଭବତୀ ମହିଳା ପୋଲସରା ମେଡ଼ିକାଲର ପ୍ରସୂତୀ ବିଭାଗର ଲେବର ରୁମରେ ଭର୍ତ୍ତି ହୋଇଥିବା ବେଳେ ବିଦ୍ୟୁତ ଚାଲିଯାଇ ଅନ୍ଧାର ହୋଇଯାଇଥିଲା । ଯାହା ଫଳରେ ଅନ୍ଧାରରେ ଥିବା ଗର୍ଭବତୀ ମହିଳା ଓ ସଂପର୍କିୟ ମାନେ ଭୟଭୀତ ହୋଇ ଯାଇଥିଲେ । ମୋବାଇଲ ଲାଇଟ ଆଲୋକର ଗର୍ଭବତୀ ମହିଳା ଜଣଙ୍କ କଷ୍ଟ ଯନ୍ତ୍ରଣାରେ ଛଟପଟ ହୋଇ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଅନ୍ୟ ଏକ ଓ୍ବାଡ଼ରେ ଏକ ନବଜାତ ଶିଶୁ ଲାଇଟିଙ୍ଗ୍ ଫ୍ରେମ୍ ତଳେ ରହିବାର ଆବଶ୍ୟକତା ଥିଲା । ହେଲେ ବିଦ୍ୟୁତ କାଟ ଯୋଗୁ ପୋଲସରା ମେଡ଼ିକାଲରେ ତାହା ସମ୍ଭବ ହୋଇନଥିଲା। ପୋଲସରା ମେଡିକାଲର ବହୁ ପୁରୁଣା ଜେନେରେଟର ଟି ଖରାପ ଥିବା ଯୋଗୁଁ ଅନ୍ୟ କିଛି ବିକଳ୍ପ ବ୍ୟବସ୍ଥା ହୋଇନଥିବା ବେଳେ ମୋବାଇଲ ଲାଇଟ ଆଲୋକରେ ରୋଗୀ ସେବା ହେଉଥିବା ଏକ ଦୁଃଖଦ ଘଟଣା ବୋଲି ବୁଦ୍ଧିଜୀବୀ ବୃନ୍ଦ ପ୍ରକାଶ କରିଛନ୍ତି। ସ୍ବାସ୍ଥ୍ୟ ସେବାର ମୌଳିକ ଅଧିକାରକୁ ନେଇ ପୋଲସରା ଅଞ୍ଚଳର ସମସ୍ତ ଜନସାଧାରଣ ଓ ବୁଦ୍ଧିଜୀବୀ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଆପତ୍ତି ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜନସାଧାରଣ ଜିଲ୍ଲାପାଳ ମହୋଦୟ ଓ ସିଡିଏମଓ ମହୋଦୟ ଙ୍କୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ