ମୋଷ୍ଟ ୱାଣ୍ଟେଡ ତୋଫାନକୁ ବନ୍ଧିଲା ପୋଲିସ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ପୋଲିସର ନିଦ ହଜାଇଦେଇଥିବା ମୋଷ୍ଟ ୱାଣ୍ଟେଡ ବନ୍ଥପଲ୍ଲି ଗ୍ରାମର ତୋଫାନ ଗୌଡ଼ ଙ୍କୁ ରବିବାର ପୋଲିସ ଗିରଫ କରିବା ରେ ସଫଳ ହୋଇଛି। ତାଙ୍କୁ ବ୍ରହ୍ମପୁର ତୃତୀୟ ଅତିରିକ୍ତ ଜିଲା ଦୌରା ଜଜ କୋର୍ଟ ପକ୍ଷରୁ ଜାରି କରାଯାଇଥିବା ଜାମିନ ବିହୀନ ଗିରଫ ପରୱାନା ବଳରେ ରବିବାର କୋର୍ଟ ଚାଲାଣ କରାଯାଇଛି।ମାମଲା ନଂ. ୧୩୧/୧୮ ଅନୁଯାୟୀ କୋର୍ଟ ପକ୍ଷରୁ ତୋଫାନ ଙ୍କ ନାଁ ରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ସେ ବିଭିନ୍ନ ମାମଲାରେ ଜାମିନ ରେ ମୁକୁଳିବା ପରେ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଥିବା ଜାମିନ ସର୍ତ୍ତାବଳୀ କୁ ଉଲଂଘନ କରି ଆସୁଥିବା ନେଇ ଦିଗପହଣ୍ଡି ଥାନା ଆଇଆଇସି ଦାୟିତ୍ୱରେ ଥିବା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା କହିଛନ୍ତି।ତୋଫାନ ଜଣେ ହାଇ ପ୍ରୋଫାଇଲ୍ ପେସାଦାର ଅପରାଧି।ତାଙ୍କ ନାଁରେ ଦିଗପହଣ୍ଡି ଥାନାରେ ହତ୍ୟା ଉଦ୍ୟମ, ବୋମାମାଡ଼, ଦାଦା ବଟି ଆଦାୟ, ଡକାୟତି, ରାହାଜାନୀ ଭଳି ୯ ଟି ସଙ୍ଗୀନ ମାମଲା ରହିଥିବା ଜଣାପଡିଛି।ତୋଫାନ ଏକ ଅପରାଧି ଗ୍ୟାଙ୍ଗ ଗଠନ କରି ବ୍ରହ୍ମପୁର ସହରତଳି ଅଞ୍ଚଳରେ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି,ବ୍ୟବସାୟୀ,ରାଜନେତା ମାନଙ୍କୁ ଧମକ ଦେଇ ବଟି ଆଦାୟ କରନ୍ତି।ତାଙ୍କ ଭୟରେ କୌଣସି ବ୍ୟକ୍ତି ଥାନାରେ ଏତଲା ଦେବାକୁ ନିରାପଦ ମନେକରନ୍ତି ନାହିଁ।ସେ ସଦାସର୍ବଦା ଖଣ୍ଡା ଧରି ତାଙ୍କ ସହଯୋଗୀ ଙ୍କୁ ସାଙ୍ଗରେ ନେଇ ଗ୍ରାମବାସୀ,ମହିଳା ମାନଙ୍କୁ ଭୟଭୀତ କରନ୍ତି।ସନ୍ଧ୍ୟା ହେଲେ ରାସ୍ତାରେ ଚଳାଚଳ କରୁଥିବା ବାଟୋଇ ମାନଙ୍କୁ ଟାର୍ଗେଟ କରି ସେମାନଙ୍କୁ ଆକ୍ରମଣ କରିବା ସହ ଛିନ୍ ତାଇ କରି ଫେରାର ହୋଇଯାଆନ୍ତି।ସେ ତାଙ୍କ ଗ୍ୟାଙ୍ଗ ସଦସ୍ୟ ମାନଙ୍କ ସହାୟତାରେ ଗାଁ ନିକଟ ଗ୍ରାନାଇଟ ୟୁନିଟ, ଷ୍ଟୋନ କ୍ରସର, ଇଟା ଭାଟି,ପଥର ଖାଦାନ ମାଲିକ ମାନଙ୍କୁ ଭୟଭୀତ କରି ମାସିକ ବଟି ଲକ୍ଷାଧିକ ଟଙ୍କା ଆଦାୟ କରୁଥିବା ପୋଲିସ ତଦନ୍ତରୁ ଜଣାପଡିଛି।