ମୋହନାପଲ୍ଲୀ ଗ୍ରାମରେ ୪ ଦିନଧରି ପାଗଳ ମାଙ୍କଡ଼ ଆତଙ୍କ
ହିଂଜିଳିକାଟୁ, (ଶେଷଦେବ ସାହୁ) : ହିଂଜିଳି ଥାନା ତଥା ସ୍ଥାନୀୟ ବ୍ଳକ ଦାରୁଭଦ୍ରା ଗ୍ରାମପଂଚାୟତ ଅଧିନସ୍ଥ ମୋହନାପଲ୍ଲୀ ଗ୍ରାମରେ ଗତ ୪ ଦିନ ଧରି ପାଗଳ ମାଙ୍କଡ଼ ଆତଙ୍କ ଦେଖାଦେଇଛି । ପାଗଳ ମାଙ୍କଡ଼ କାମୁଡ଼ାରେ ଗ୍ରାମର ୧୫ରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ବ୍ରହ୍ମପୁର ବଡ଼ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ପାଗଳ ମାଙ୍କଡ଼କୁ କାବୁ କରିବାରେ ସ୍ଥାନୀୟ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି । ମଙ୍ଗଳବାର ଠାରୁ ସଂପୃକ୍ତ ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ ଦେଖାଦେଇଛି । ମାଙ୍କଡ଼ ଭୟରେ ଗ୍ରମାବାସୀ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡ଼ିଛି । ପାଗଳ ମାଙ୍କଡ଼ କାମୁଡ଼ାରେ ଗ୍ରାମର ଦଣ୍ଡପାଣି ପାଣିଗ୍ରାହୀ (୭୫), ସୁରେନ୍ଦ୍ର ପାଣିଗ୍ରାହୀ(୭୦), ଉମା ବେହେରା (୧୪), କୃଷ୍ଣ ପଣ୍ଡା (୭୦), ରାମଚନ୍ଦ୍ର ସାହୁ (୬୨), ପିତବାସ ପାଣିଗ୍ରାହୀ (୪୮), ବିଶ୍ୱନାଥ ସାବତ(୫୬), ଭଗବାନ ପାତ୍ର()୪୯, କିଶୋର ବେହେରା(୧୬), ଇପିଲି କାନ୍ତମା (୬୦)ସମେତ ଗ୍ରାମର ବହୁ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ନେଇ ଗ୍ରାମବାସୀ ହିଂଜିଳିକାଟୁ ବନବିଭାଗୀୟ ବିଟ୍ହାଉସ କର୍ମଚାରୀଙ୍କୁ ଅବଗତ କରିବା ପରେ ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ବନବିଭାଗୀୟ ଫରେଷ୍ଟର ପ୍ରଦିପ କୁମାର ପଣ୍ଡା ଓ କିଛି କର୍ମଚାରୀ ସଂପୃକ୍ତ ଗ୍ରାମରେ ପଂହଚି ପାଗଳ ମାଙ୍କଡ଼କୁ କାବୁ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଶନିବାର ସନ୍ଧ୍ୟା ସୁଦ୍ଧା ବିଫଳ ହୋଇଛନ୍ତି । ରବିବାର ଦିନ ଟ୍ରାଙ୍କୁଲାଇଜର ଟିମ ସହାୟତାରେ ପାଗଳ ମାଙ୍କଡ଼କୁ କାବୁ କରାଯିବ ବୋଲି ଫରେଷ୍ଟର ପଣ୍ଡା କହିଛନ୍ତି । ଅନ୍ୟପକ୍ଷରେ ସଂପୃକ୍ତ ଗ୍ରାମରେ ପାଗଳ ମାଙ୍କଡ଼ ତଙ୍କଦେଖାଦେଇଥିବାରୁ ଡ଼ାକବାଜି ଯନ୍ତ୍ର ସାହାର୍ଯ୍ୟରେ ଘରୁ ବାହାରକୁ ନବାହାରିବା ପାଇଁ ଅନୁରୋଧ କରାଯାଉଥିଲେ ମଧ୍ୟ ଗ୍ରାମର ଜନ ସାଧାରଣ ବାରମ୍ବାର ଘରୁ ପଦାକୁ ବାହାରୁଥିବାୁ ଏଭଳି ସମସ୍ୟା ଦେଖାଦେୁଛି ବୋଲି ବନ ବିଭାଗୀୟ କର୍ମଚାରୀ ସଫେଇ ଦେଇଛନ୍ତି । ବନ ବିଭାଗୀୟ କର୍ମଚାରୀଙ୍କ ଏଭଳି ମନ୍ତବ୍ୟରେ ଅତିଷ୍ଟ ହୋଇ ଶନିବାର ଗ୍ରାମରେ ଉତେଜନା ପରିସ୍ଥିତ ସୃଷ୍ଟି ହୋଇଥିଲା । ଗ୍ରାମର କିଛି ରାଜନୈତିକ ବ୍ୟକ୍ତି ବିଶେଷଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ପ୍ରକାଶ ଥାଉକି, ଗତ ୧ ଜୁଲାଇରେ ହିଂଜିଳି ଥାନା ଦୁର୍ବନ୍ଧ ଗ୍ରାମରେ ପାଗଳ ମାଙ୍କଡ଼ କାମୁଡ଼ାରେ ଗ୍ରାମର ୧୫ରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଥିବା ବେଳେ ୨୭ ଏପ୍ରିଲରେ ହିଂଜିଳି ଥାନା କାଂଜିଆମା ଗ୍ରାମରେ ପାଗଳ ମାଙ୍କଡ଼ କାମୁଡ଼ାରେ ୫ ଜଣ ମହିଳା ଓ ୩ ପୁରୁଷ ଗୁରୁତର ଆହତ ହୋଇଥିଲେ ଏବଂ ଗତ ସେପ୍ଟେମ୍ବର ୨୦୧୮ରେ ହିଂଜିଳି ଥାନା କଂଟାଇକୋଳି ଗ୍ରାମରେ ପାଗଳ ମାଙ୍କଡ଼ କାମୁଡ଼ାରେ ପ୍ରାୟ ୪୦ ରୁ ଉଦ୍ଧ୍ୱର୍ ଆହତ ହୋଇଥିଲେ । ହିଂଜିଳିକାଟୁ ଅଂଚଳରେ ବାରମ୍ବାର ପାଗଳ ମାଙ୍କଡ଼ ଆତଙ୍କ ଦେଖାଦେବା ସହ ପାଗଳ ମାଙ୍କଡ଼ ଆକ୍ରମଣରେ ବହୁ ମହିଳା ଓ ପୁରୁଷ ଆହାତ ହେଉଥିଲେ ମଧ୍ୟ ସ୍ଥାନୀୟ ବନବିଭାଗୀୟ ବିଟ୍ ହାଉସ କର୍ମଚାରୀ ମାନେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଅଂଚଳରେ ଏଭଳି ବାରମ୍ବାର ସମସ୍ୟା ସୃଷ୍ଟି ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ବାରମ୍ବାର ଅଭିଯୋଗ କଲେ ଭଲ ମାଙ୍କଡ଼କୁ କାବୁ କରି ପାଗଳ ମାଙ୍କଡ଼କୁ କାବୁ କରିଥିବା ନେଇ ସଫେଇ ଦେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମରେ ଗତ ୪ ଦିନ ଧରି ପାଗଳ ମାଙ୍କଡ଼ ଆତଙ୍କ ଦେଖା ଦେଇଥିଲେ ମଧ୍ୟ ମାଙ୍କଡ଼କୁ କାବୁ କରିବାରେ ବନ ବିଭାଗୀୟ କର୍ମଚାରୀ ମାନେ ବିଫଳ ହେଉଥିବା ବେଳେ ଅନ୍ୟପରେ ଗ୍ରାମରେ ଦିନକୁ ଦିନ ମାଙ୍କଡ଼ ଆକ୍ରମଣରେ ଗୁରୁତର ଆହତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରବିବାର ସୁଦ୍ଧା ବନ ବିଭାଗୀୟ କର୍ମଚାରୀ ମାନେ ପାଗଳ ମାଙ୍କଡ଼କୁ କାବୁ ନକରିପାରିଲେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।