ମୋହନା ପଞ୍ଚାୟତ ସମିତି ବୈଠକରେ ହଟଗୋଳ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବିଜୁ କଲ୍ୟାଣ ମଣ୍ଡପରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆରମ୍ଭରୁ ହଟଗୋଳ ଦେଖିବାକୁ ମିଳିଥିଲା l ବିଶେଷ କରି ବ୍ଲକ ପ୍ରଶାସନର ମନୋମୁଖି ଶାସନ ଉପରେ ଅଭିଯୋଗ କରିଥିଲେ ଜନପ୍ରତିନିଧି l ବୈଠକ ସଂମ୍ପର୍କରେ ଜନପ୍ରତିନିଧି ମାନଙ୍କୁ ସୂଚନା ଦିଆଯାଉନଥିବା ନେଇ ଜିଲ୍ଲା ପରିଷଦ ସଭ୍ୟ ସୁନିଲ ବିଷୋୟୀ ଅଭିଯୋଗ କରିଥିଲେ l ଏଥିସହ ଗଣମାଧ୍ୟମ କୁ ମଧ୍ୟ ସୂଚନା ଦିଆଯାଇନଥିବା ନେଇ ମୋହନା ପ୍ରେସ କ୍ଲବ ସଭାପତି ଲକ୍ଷ୍ମଣ ଚୌଧୁରୀଙ୍କ ନେତୃତ୍ୱରେ ପ୍ରତିବାଦ କରିଥିଲେ ବ୍ଲକର ସମସ୍ତ ସାମ୍ବାଦିକ l ପୂର୍ବ ବୈଠକ ରେ ଯାହା ସବୁ ଆଲୋଚନା ହୋଇଥିଲା ଏବଂ ଯେଉଁ ସବୁ ଉନ୍ନୟନ କାର୍ଯ୍ୟର ପ୍ରସ୍ତାବ ହୋଇଥିଲା ତାହା ଉପରେ ଆଲୋଚନା କରିବାକୁ ଅଡି ବସିଥିଲେ ଜନ ପ୍ରତିନିଧି l ସମିତି ବୈଠକରେ ଯାହା ସବୁ ପ୍ରସ୍ତାବ ରଖାଯାଉଛି ତାହାକୁ କାର୍ଯ୍ୟକାରୀ କରାନଯାଇ ପରବର୍ତ୍ତୀ ସମୟରେ ବ୍ଲକ ପ୍ରଶାସନ ତାଙ୍କ ମନ ମୁତାବକ ପ୍ରକଳ୍ପ ରଖୁଥିବା ଅଭିଯୋଗ କରିଥିଲେ ମୋହନା ସମିତି ସଭ୍ୟ ବାଳକୃଷ୍ଣ ମଲ୍ଲିକ l କେବଳ ବ୍ଲକ କାର୍ଯ୍ୟାଳୟ ଓ ଷ୍ଟାଫ କ୍ୱlଟର ନିର୍ମାଣ ରେ ହିଁ ବ୍ଲକ୍ ପ୍ରଶାସନର ଉନ୍ନୟନ କାର୍ଯ୍ୟ ସମିତି ରହିଛି ବୋଲି ଜନ ପ୍ରତିନିଧି ଅଭିଯୋଗ କରିଛନ୍ତି l ସେପଟେ ସରପଞ୍ଚ ଓ ସମିତି ସଭ୍ୟଙ୍କ ଦାୟିତ୍ଵ ଓ ଅଧିକାର କୁ ବ୍ଲକ ପ୍ରଶାସନ ଗୁରୁତ୍ୱ ଦେଉନଥିବା ସହ ନିୟମ ଅନୁଯାୟୀ ସମିତି ବୈଠକ ହେଉନଥିବା ଅଭିଯୋଗ କରିଛନ୍ତି ବଡଖଣି ସମିତି ସଭ୍ୟ ପ୍ରଶାନ୍ତ ମଲ୍ଲିକ l ନିୟମ ତେବେ ଏଭଳି ଭୂଲ ଆଗକୁ ନହେବା ନେଇ ବ୍ଲକ ଅଧ୍ୟକ୍ଷ ଓ ବିଡ଼ିଓ ତପସ୍ଵିନୀ ହାଂସଦା ପ୍ରତିଶ୍ରୁତି ଦେବା ପରେ ଶାନ୍ତ ପଡ଼ିଥିଲେ ଜନପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି l ମୋହନାରେ ବସ୍ ଷ୍ଟାଣ୍ଡ ଅର୍ଦ୍ଧନିର୍ମିତ ଅବସ୍ତାରେ ପଡ଼ି ରହିଛି l ଶିଶୁ ପାର୍କ ଅର୍ଦ୍ଧନିର୍ମିତ ଥିବା ବେଳେ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି l ବିଭିନ୍ନ ସାହିକୁ ଡ୍ରେନେଜ ବ୍ୟବସ୍ଥା ନାହିଁ l ବିଭିନ୍ନ ସାହିକୁ ରାସ୍ତା ନିର୍ମାଣ ହୋଇନଥିବା ଯୋଗୁଁ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି l ମୁଖ୍ୟ ବଜାର ରାସ୍ତାରେ ରେ ପିଚୁ ଉଠି ରାସ୍ତା ଖରାପ ହେଲାଣି l ତଥାପି ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି l ଯଦି ଆଗାମୀ ୨୦ ଦିନ ମଧ୍ୟରେ ଏହି ସବୁ ସମସ୍ୟାର ସମାଧାନ ନହେଲେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ମୋହନା ସମିତି ସଭ୍ୟ l ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ସମେତ ବିଭିନ୍ନ ବିଭାଗ ଉପରେ ଆଲୋଚନା କରାଯାଇଛି l ତେବେ କିଛି ବିଭାଗର ଅଧିକାରୀ ବୈଠକରେ ଅନୁପସ୍ଥିତ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା lଏହି ବୈଠକରେ ଏବିଡିଓ ରମାକାନ୍ତ ଚୌଧୁରୀ, ବ୍ଲକ ଉପାଧ୍ୟକ୍ଷl ବାଲମିନ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ l