ମୋ ଖତ ସଫଳତା ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କଲେ : ଡଃ. ଅଚ୍ୟୁତାନନ୍ଦ ସାମନ୍ତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ବିଜୁ ସ୍ମୃତି କଲ୍ୟାଣ ମଣ୍ଡପ ପରିସରରେ ଫୁଲବାଣୀ ପୌର ପରିଷଦ ପକ୍ଷରୁ ମୋ ଖତର ଲୋକାର୍ପଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ, କନ୍ଧମାଳ ସାଂସଦ ଡଃ. ଅଚ୍ୟୁତାନନ୍ଦ ସାମନ୍ତ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲ୍ଲାରେ ଭରି ରହିଥିବା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିବା ସହିତ ଫୁଲବାଣୀ ସହରକୁ ସ୍ୱଚ୍ଛସୁନ୍ଦର ସହରରେ ପରିଣତ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ଘରମାନଙ୍କରୁ ସଂଗୃହୀତ ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରି ଏହାକୁ ଖତରେ ପରିଣତ କରିବା ରାଜ୍ୟର ବଡ଼ବଡ଼ ସହରମାନଙ୍କରେ ସଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରୁନଥିବା ବେଳେ, ଫୁଲବାଣୀ ସହରରେ ଏହାର ସଫଳତା ପାଇଁ ଜିଲ୍ଲା ପ୍ରଶାସନକୁ ଭୂୟସୀ ପ୍ରଶଂସା କରଥିଲେ । ଏଥି ସହିତ ଫୁଲବାଣୀ ସହରର ମୁଖ୍ୟ ରାସ୍ତାକୁ ଭୁବନେଶ୍ୱର ସହରର ମୁଖ୍ୟ ରାସ୍ତା ଢାଞ୍ଝାରେ ପରିଣତ କରିବାକୁ ପୌର ପରିଷଦକୁ ଅନୁରୋଧ କରିଥିଲେ । ଫୁଲବାଣୀ ପୌରପରିଷଦର ପ୍ରଶାସିକା ତଥା କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି. ସମ୍ମାନିତ ଅତିଥି ଭାବେ ଯୋଗଦେଇ ସହରକୁ ସ୍ୱଚ୍ଛ ସୁନ୍ଦର ରଖିବାରେ ସଫେଇ କର୍ମଚାରୀଙ୍କ ଅବଦାନକୁ ସାଧୁବାଦ ଜଣାଇବା ସହିତ ଏଥିରେ ସହରବାସୀଙ୍କ ସହଯୋଗ କାମନା କରିଥିଲେ। ସେହିପରି, ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପରିଷଦର ସଭାପତି ଆକାଂକ୍ଷା ପ୍ରଧାନ, ଜିଲ୍ଲା ଏସପି ଭିନିତ ଅଗ୍ରୱାଲ ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ । ଏହି ଅବସରରେ, ଖତ ପ୍ରକ୍ରିୟାକରଣ ୟୁନିଟରେ କାର୍ଯ୍ୟରତ ସତ୍ୟବତୀ ମୁଖି, ଆବର୍ଜ୍ଜନା ସଂଗ୍ରହକାରୀ ବ୍ୟାଟେରୀ ଚାଳିତ ଯାନ ଚାଳିକା ତଥା ସୁରକ୍ଷାକର୍ମୀ କମଳା ବେହେରା ଏବଂ ସଫେଇ କର୍ମଚାରୀ ସୁଜିତ ନାୟକଙ୍କ ଉଲ୍ଲେଖନୀୟ କାର୍ଯ୍ୟପାଇଁ ମୁଖ୍ୟ ଅତିଥି ତଥା ସାଂସଦ ଡ. ସାମନ୍ତ ସେମାନଙ୍କୁ ପୁରସ୍କୃତ କରିବା ସହିତ ନିଜନିଜ ଘର ପରିସରକୁ ସର୍ବାଧିକ ସ୍ୱଚ୍ଛ ସୁନ୍ଦର ରଖିଥିବା ୪ ନଂ. ୱାର୍ଡର ବୈଜୟନ୍ତୀ ଦେହୁରୀ, ୫ ନଂ. ୱାର୍ଡ଼ର ଦେବରତି ସାହୁ ଏବଂ ୭ ନଂ. ୱାର୍ଡର ସରସ୍ୱତୀ ଦାସଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ପରେପରେ, ଡ. ସାମନ୍ତ ମିନି ସେସପୁଲ ଯାନକୁ ଲୋକାର୍ପିତ କରିବା ସହିତ ଖତ ବିକ୍ରୟ କେନ୍ଦ୍ରର ଉଦ୍ଘାଟନ କରିଥିଲେ। ଫୁଲବାଣୀ ପୌର ପରିଷଦର ନିର୍ବାହୀ ଅଧିକାରୀ ବଳଦେବ ବେହେରା ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ କରିଥିବା ବେଳେ, ଜିଲ୍ଲା ନଗର ଉନ୍ନୟନ ପରିଷଦର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଫୁଲବାଣୀ ପୌର ପରିଷଦର ସମସ୍ତ ସଫେଇ କର୍ମଚାରୀଙ୍କ ସମେତ ସହରର ବିଭିନ୍ନ ବର୍ଗର ଜନସାଧାରଣ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ବହୁସଂଖ୍ୟାରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପୌରପରିଷଦର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ