ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ
ହିଂଜିଳିକାଟୁ, : ହିଂଜିଳି ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ୫ମ ପାଳି ଶାସନ କାଳରେ ୩ଟି ପରେ ପୁଣି ଥରେ ୫ଟି ମନ୍ତ୍ର ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଶାସନ ବ୍ୟବସ୍ଥାକୁ ଅଧିକ ଦକ୍ଷ, କ୍ରିୟାଶୀଳ ଓ ଲୋକାଭିମୁଖୀ କରିବା ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକ ପଂଚାୟତରେ କିପରି ଲୋକଙ୍କ ହାତ ପାହାନ୍ତାରେ ଉପଲବ୍ଧ ହେବ, ସେ ନେଇ ଗଂଜାମ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଅଭିଯୋଗ ଶୁଣାଣୀ ‘ମୋ ନିବେଦନ’ କାର୍ଯ୍ୟକ୍ରମ । ହିଂଜିଳିକାଟୁ ତହସିଲ ଓ ବ୍ଳକ ପ୍ରଶାସନର ମିଳିତ ସହଯୋଗରେ ଗୁରୁବାର ହିଂଜିଳିକାଟୁ ବ୍ଳକ ଦୁର୍ବନ୍ଧ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ମିଳିତ ଭାବେ ମୋ’ ନିବେଦନ ଓ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୁର୍ବନ୍ଧ ପଂଚାୟତ କାର୍ଯ୍ୟାଳୟ ପରିସରରେ ଦୁର୍ବନ୍ଧ ସମେତ ସାରୁ, କଂଚୁରୁ, ଦୟାପଲ୍ଲୀ ଆଦି ୪ ଟି ପଂଚାୟତକୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଂଚୁରୁ ପଂଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର, ଦୁର୍ବନ୍ଧ ସରଂପଚ ରଂଜୁ ବେହେରା, ସମିତିସଭ୍ୟା ଝିଲି ବେହେରା, ଏକାଂଉଟ ଅଫିସର ଦିବ୍ୟସିଂହ ନାୟକ,ଗଂଜାମ ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ରାମହରି ଶର୍ମା ପ୍ରମୁଖ ଉପସ୍ତିତ ଥିଲେ । ମୋ ନିବେଦନ କାର୍ଯ୍ୟକ୍ରମରେ ୧୩୮ ଜଣ ହିତାଧିକାରୀଙ୍କ ମଧ୍ୟରୁ ଦୁର୍ବନ୍ଧର ୧୪୨, ଦୟାପଲ୍ଲୀର ୧୦, ସାରୁର ଗୋଟିଏ ଏବଂ କଂଚୁରୁ ପୁଂାୟତର ୩ ଟି ଅଭିଯୋଗ ମୋଟ ୧୫୬ଟି ଅଭିଯୋଗର ଶୁଣାଣୀ କରାଯାଇଥିଲା । ସେହିପରି ୨ୟ ପର୍ଯ୍ୟାୟରେ ମୋ’ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ୧୪୮ ଜଣ ଆବେଦନକାରୀ ନାମ ପଂଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୬୮ ଆବେଦନକାରୀଙ୍କୁ ପଟ୍ଟା ପ୍ରଦାନ, ୩୫ ଜଣଙ୍କୁ ଇ-ପାଉତି ଓ ୧୮ ଜଣ ଆବେଦନକାରୀଙ୍କୁ ସ୍ଥାୟୀ ବାସିନ୍ଦା, ଆୟ, ଜାତିଗତ, ବିଧି ସମନ୍ଧୀୟ ଦାୟାଦ, ଋଣ ପରିଶୋଧ କ୍ଷମତା ପ୍ରଭୃତି ପ୍ରମାଣପତ୍ର ବଂଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ କିରାଣୀ କାଳୁ ସାହୁ, ରେକର୍ଡ଼ କିପର ଏନ. କୃର୍ଷ୍ଣମୂର୍ତି, ଯସ୍ମିନି ଭୁୟାଁ, ରାଜସ୍ୱ ନିରୀକ୍ଷକ ସଂଜୟ ବିଷୋୟୀ, ସଂଜୟ ଦାସ, ନିରଂଜନ ସାହୁ, ଏସ. ଗୁରୁ, ସିମାଂଚଳ ସାହୁ, ସୁନିତା ପାତ୍ର, ନିକୁଂଜ ମହାନ୍ତି, ଗାୟତ୍ରୀ ଦେବି, ରଶ୍ମିନ ସାହୁଙ୍କ ସମେତ ଅମିନ ଓ ତହସିଲ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।