ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ
କୋଦଳା , (ଯୁଗାବ୍ଦ ନ୍ୟୁଜ) : ବେଗୁନିଆପଡ଼ା ବ୍ଳକ ମର୍ଦ୍ଦକୋଟ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିଜୁ କନ୍ୟା ରତ୍ନ ଯୋଜନାରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସରପଞ୍ଚ ପ୍ରତିନିଧି ଦୀପ୍ତି ପ୍ରକାଶ ନାୟକ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମୋସା ଶବର ଯୋଗ ଦେଇଥିଲେ। ସଦ୍ୟଜନ୍ମିତ ମର୍ଦକୋଟ ଓ କଣ୍ଟାପଡ଼ାର ୨ଜଣ ଶିଶୁ କନ୍ୟାଙ୍କୁ ଆମନ୍ତ୍ରିତ କରାଯାଇ ତାଙ୍କ ମା’ ସାଗରିକା ଘୋଷ ଓ ଅନୀତା ସ୍ବାଇଁଙ୍କୁ ମିଷ୍ଟାନ୍ନ, ପୋଷାକ ଓ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ପ୍ରଦତ୍ତ ପ୍ରଶଂସାପତ୍ର ପ୍ରଦାନ ସହ କେକ୍ ମଧ୍ୟ କଟା ଯାଇଥିଲା। ପୁଅ-ଝିଅ ମଧ୍ୟରେ ଭେଦଭାବ ନ ରଖି ସମାନତା ରକ୍ଷା କରି କନ୍ୟାସନ୍ତାନଙ୍କ ଯତ୍ନ ନେବାକୁ ଶପଥ ନିଆଯାଇଥିଲା। ଏଥିସହ କନ୍ୟାଭ୍ରୂଣ ହତ୍ୟା ରୋକିବା ସହ ଶିଶୁକନ୍ୟା ଏକ ରତ୍ନ ବୋଲି ଅଂଗନବାଡି ମାନେ ସୂଚନା ଦେଇଥିଲେ। ଏହି ଅବସରରେ ରୀନା ଦେବୀ, ପ୍ରଭାସିନି ମନ୍ଦର, ଆରତୀ ଭୂୟାଁ, ବବି ଦାସ, ରେବତୀ ସାହୁ, ଅନୀତା ପ୍ରଧାନ, ସୁମତିରାଣୀ ସାହୁ ଓ ସଂଯୁକ୍ତା ଗୌଡ ପ୍ରମୁଖ ଅଂଗନବାଡି କର୍ମୀ, ଆଶା କର୍ମୀ ମାନେ ଉପସ୍ଥିତ ଥିଲେ।


