ମୋ ଦଳର ଦୁଇଦିନିଆ ନେତୃତ୍ୱ ତାଲିମ ଶିବିର ଆରମ୍ଭ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମୋଦ ଦଳର ଦୁଇଦିନିଆ ନେତୃତ୍ୱ ତାଲିମ ଶିବିର ନାଗଭୂଷଣ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର କୋଷାଧ୍ୟକ ନିମାଇଁ ରାୟଙ୍କ ସଞ୍ଚାଳନରେ ଚାଲିଥିବା ପ୍ରଶିକ୍ଷଣ ଶିବିରାର୍ଥୀଙ୍କୁ ଉଦ୍ବୋଧନ ଦେଇ ଦଳର କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର କହିଲେ ଯେ, ସାରା ଦୁନିଆରେ ଯେତେ ବଡ଼ ବଡ଼ ପରିବର୍ତ୍ତନ ହୋଇଛି ତାହା ହାତଗଣତି ଲୋକଙ୍କ ଦ୍ୱାରା ହୋଇଛି । ନିଷ୍ଠା, ଏକାଗ୍ରତା ଓ ନିର୍ଭିକତାର ସହ କର୍ମୀମାନେ ଯଦି କାମ କରିବେ, ତେବେ ମୋ ଦଳ କ୍ଷମତାକୁ ଆସିବା ଆଦୌ ବିସ୍ମୟକର ହେବନାହିଁ । ଆଗାମୀ ଦିନରେ ମୋ ଦଳ ହିଁ ସରକାର କରିବ ବୋଲି ଦୃଢତାର ସହ ସେ କହିଥିଲେ । ଆମେ ହିଁ ବିଜେଡ଼ିର ଏକମାତ୍ର ବିକଳ୍ପ ବୋଲି ଶ୍ରୀ କୁମାର କହିଥିଲେ । ବିଶିଷ୍ଟ ସାମ୍ବାଦିକ ସତ୍ୟ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ନିଜ ଭିତରର ଆତ୍ମବିଶ୍ୱାସର ଅଭାବ ଜଣଙ୍କୁ ଯୁଦ୍ଧରେ ହରାଇଦିଏ । ସେହିଭଳି ଇତିହାସର ସବୁ ଲଢେଇର ଇତିହାସ ହେଉଛି ସାଧନ ଥିଲାବାଲା ହିଁ ଯୁଦ୍ଧ ଜିତେନାହିଁ, ସାଧନା ଥିଲାବାଲା ହିଁ ଯୁଦ୍ଧ ଜିତେ ।
ଦଳର ମହାସଚିବ ପ୍ରଦୀପ ପ୍ରଧାନ ଶିବିରାର୍ଥୀଙ୍କୁ କହିଥିଲେ ଯେ, ନବୀନ ପଟ୍ଟନାୟକ ସରକାର କେବଳ ମିଛ ପ୍ରଚାର ଓ ପ୍ରତାରଣାରେ ଚାଲିଛି । ମଧ୍ୟଯୁଗୀୟ ସମୟକୁ ଯେମିତି ଅନ୍ଧକାରର ଯୁଗ କୁହାଯାଉଥିଲା ଓ ସେତେବେଳର ଶାସକ ଯେକୌଣସି ସତ୍ୟଘୋଷଣାକୁ ବିରୋଧ କରୁଥିଲେ, ଏବେ ସେଭଳି ବିଜେଡ଼ି ଶାସନର ନୀତି ଚାଲିଛି । ତାନାସାହି ଶାସନ ବିରୁଦ୍ଧରେ ଯେକେହି ମୁହଁ ଖୋଲିଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ବିଜେପି, କଂଗ୍ରେସ ନୁହଁନ୍ତି, ମୋ ଦଳ କାହିଁକି ଏକମାତ୍ର ବିକଳ୍ପ ବୋଲି ତାହା ସେ ବୁଝାଇଥିଲେ । ତଥ୍ୟ ଓ ସତ୍ୟ ବଳରେ ବିଜେଡ଼ିକୁ ପରାସ୍ତ କରିବା ସମ୍ଭବ । ବିଶିଷ୍ଟ ସାମାଜିକ କର୍ମୀ ସୁବାସ ପଣ୍ଡା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଓଡ଼ିଶାରେ ମିଛ ବିକାଶ ନାଁରେ ବିନାଶର ମହାପର୍ବ ଚାଲିଛି । ଏହି ସତ୍ୟକୁ ତୃଣମୂଳସ୍ତରରେ ପ୍ରଚାର କଲେ ପରିବର୍ତ୍ତନ ଆରମ୍ଭ ହେବ । ସଂଗଠନର ପ୍ରଚାର କମିଟିର ଅଧ୍ୟକ୍ଷ ଶେଷଦେବ ନନ୍ଦ କହିଲେ ଯେ, ଓଡ଼ିଶା ଏବେ ଅଣଓଡ଼ିଆ ଲୋକଙ୍କ ରାଜନୀତି ଓ ବ୍ୟବସାୟର ହବ୍ ପାଲଟିଛି । ଆଞ୍ଚଳିକତାବାଦର ଆଦୌ ଆଦର୍ଶ ଗନ୍ଧ ନଥିବା ବିଜେଡ଼ିକୁ ଆମେ କ୍ଷମତାରୁ ପ୍ରସ୍ଥାନ କରାଇ ପାରିବା । ସଂଗଠନର ସାଧାରଣ ସମ୍ପାଦକ ଉମାକାନ୍ତ ଭାରତ କହିଲେ ଯେ, ଯେକୌଣସି ରାଜନୈତିକ ଦଳର କର୍ମୀମାନଙ୍କର ଶୃଙ୍ଖଳିତ ଓ ପ୍ରଚଣ୍ଡ ପରିଶ୍ରମ ଏହି ଦଳକୁ ସରକାରକୁ ଆଣେ । ବିଜେଡ଼ିର ୨୩ବର୍ଷର ଲୁଣ୍ଠନର କାହାଣୀ ବଦଳରେ ନୂଆ ଓଡ଼ିଶାର ବିକାଶର ବାର୍ତ୍ତା ଦେଇ ଆମେ ସଫଳ ହେବାକୁ ପ୍ରୟାସ କରିବା ବୋଲି ଯୁବଛାତ୍ର ସଂଯୋଜକ ମନୱାର ଅଲ୍ଲୀ କହିଥିଲେ । ପ୍ରାରମ୍ଭରେ ଦଳର ରାଜ୍ୟ ସମ୍ପାଦକ ଦେବୀ ପ୍ରସାଦ ମହାରଣା ବୈପ୍ଲବିକ ସଙ୍ଗୀତ ଗାନ କରିଥିଲେ । ପରେ କର୍ମୀମାନଙ୍କୁ ସୂଚନା ଅଧିକାର ଆଇନରେ ତଥ୍ୟ ଆଦାୟର ପ୍ରଶିକ୍ଷଣ ଦିଆଯାଇଥିଲା ।


