ମୋ ଦଳର ଦୁଇଦିନିଆ ନେତୃତ୍ୱ ତାଲିମ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ନାଗଭୂଷଣ ଭବନରେ ମୋ ଦଳର ଦୁଇଦିନିଆ ନେତୃତ୍ୱ ତାଲିମ ଶିବିର ଗୁରୁବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଦଳର ସଭାପତି ନିତ୍ୟସୁନ୍ଦର ଦାସ, ସଂଯୋଜକ ବିଶିଷ୍ଟ ଅଧିବକ୍ତା କ୍ଷୀରୋଦ ରାଉତ ପ୍ରମୁଖ ଉଦ୍‌ଯାପନୀ ଶିବିରରେ ଯୋଗ ଦେଇଥିଲେ । ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ଶିବିରାର୍ଥୀଙ୍କୁ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଦୁନିଆରେ ବଡ଼ ବଡ଼ ଦେଶରେ ନାଗରିକମାନଙ୍କୁ ସର୍ବନିମ୍ନ ରୋଜଗାର ଯୋଗାଇ ଦିଆଯାଉଛି । ସେହି ଦେଶ ଭଳି ଓଡ଼ିଶାରେ ପ୍ରତି ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ପରିବାରକୁ ମାସକୁ ୨୦ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଇହେବ । କାରଣ ଆମ ରାଜ୍ୟରେ ଲୋକସଂଖ୍ୟା କମୁଥିଲା ବେଳେ ରାଜ୍ୟ ବଜେଟ ବଢୁଛି । ପ୍ରତି ପରିବାରକୁ ସର୍ବନିମ୍ନ ଆର୍ଥିକ ପ୍ରେତ୍ସାହନ ଦେଲା ପରେ ଆଉ ଛୋଟମୋଟ ରିଲିଫ ଯୋଜନା ଚଳାଇବାକୁ ପଡ଼ିବ ନାହିଁ । ବିଶିଷ୍ଟ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଓଡ଼ିଶାର ସ୍ୱାସ୍ଥ୍ୟ ଓ ଶିକ୍ଷାର କରୁଣ ଚିତ୍ର ଦର୍ଶାଇ କହିଲେ ଯେ, ମୋ ମା’ ଯେଉଁ ଶଯ୍ୟାରେ ଚିକିତ୍ସିତ ହେବ ସେ ଶଯ୍ୟାରେ କୁକୁର ଶୋଉଛି । ସେହିଭଳି ଡାକ୍ତରଖାନାରେ ବିଦ୍ୟୁତ୍ ନଥାଇ ମୋବାଇଲରେ ଅପରେସନ କାର୍ଯ୍ୟ ସମାହିତ ହେଉଛି । ଦିନକୁ ଦିନ ସ୍କୁଲ୍ ଘର ଗୁଡ଼ିକରେ ତାଲା ଝୁଲିଲା ବେଳେ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରିକରଣ ହେଉଛି ବୋଲି କୁହାଯାଉଛି । ଏ ସବୁ ମିଛ ବିରୁଦ୍ଧରେ ଓଡ଼ିଶା ଲୋକଙ୍କୁ ସଚେତନ କରିବାକୁ ପଡ଼ିବ ।
ଦଳର କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର କହିଲେ ଯେ, ଓଡ଼ିଶାକୁ ଯେତେ ରସାତଳକୁ ନିଆଯିିବା କଥା ବିଜେଡ଼ି ତାଠୁ ଓଡ଼ିଶାର ଢେର କ୍ଷତି କରିସାରିଲାଣି । ନବୀନଙ୍କ କୁଶାସନ ଓ ଦୁର୍ନୀତିକୁ ଆମେ ଆଉ ତିଳେ ମାତ୍ର ସହ୍ୟ କରିବା ନାହିଁ । ଏଥର ନବୀନଙ୍କ ନାଁରେ କିଭଳି ମକଦ୍ଦମା ହେବ, ସେ ଦାୟିତ୍ୱ ମୋ ଦଳ ମୁଣ୍ଡାଇବ । ଏହି ପରିପ୍ରେକ୍ଷୀରେ ୧୭ ତରିଖରୁ ନବୀନଙ୍କ ନାଁରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲାରେ ଏତଲା ଦେବା ପାଇଁ ଏକ ବିଶାଳ ପଦଯାତ୍ରା ଆରମ୍ଭ ହେବ । ଏହି ଯାତ୍ରାକୁ ସଫଳ କରିବାକୁ ସମସ୍ତେ ଅକ୍ଲାନ୍ତ ଉଦ୍ୟମ କରିବାକୁ ଶ୍ରୀ କୁମାର ଆହ୍ୱାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ସୁବାସ ପଣ୍ଡା, ଦଳର ପ୍ରଚାର କମିଟିର ଅଧ୍ୟକ୍ଷ ଶେଷଦେବ ନନ୍ଦ, ସାଧାରଣ ସମ୍ପାଦକ ଉମାକାନ୍ତ ଭାରତ, ଯୁବଛାତ୍ର ସଂଯୋଜକ ମନୱର ଅଲ୍ଲୀ, ଦେବୀ ପ୍ରସାଦ ମହାରଣା ପ୍ରମୁଖ ଗାଁ ଗାଁରେ କିଭଳି ସଂଗଠନ ବିସ୍ତାର ହେବ ଓ ନବୀନଙ୍କ ଦୁର୍ନୀତିଗ୍ରସ୍ତ କୁଶାସନରୁ ଲୋକେ ମୁହଁ ବୁଲାଇବେ ଏଥିପାଇଁ ମୋ ଦଳର କର୍ମୀମାନେ ଗାଁ ଗାଁରେ ପଥପ୍ରାନ୍ତ ସଭା, ନାଟ୍ୟ ମଣ୍ଡଳୀ ଦ୍ୱାରା ନାଟକ ପରିବେଷଣ ଓ ହୋର୍ଡ଼ିଂମାନ ଲଗାଇବାକୁ କହିଥିଲେ । ପ୍ରଶିକ୍ଷଣ ପରେ ବ୍ୟାପକ ସଭ୍ୟ ସଂଗ୍ରହ ପାଇଁ ନିଷ୍ପତ୍ତି ନିଆଯିବା ସହ ନବୀନଙ୍କୁ ଗିରଫ ପାଇଁ କଟକରୁ ଭୁବନେଶ୍ୱର ପଦଯାତ୍ରା ସଫଳ କରିବା ପାଇଁ ସମସ୍ତେ ସଂକଳ୍ପ କରିଥିଲେ । ଆଜିର ପ୍ରଶିକ୍ଷଣରେ ଅନ୍ୟମାନଙ୍କ ମଧ୍ୟରେ ଦୁର୍ଗାଚରଣ ସ୍ୱାଇଁ, ପ୍ରହଲ୍ଲାଦ ସାହୁ, ସୁରେଶ ମାନସିଂ, ମାଣିକ ପାଇକ, ରଣଜିତ ପଟ୍ଟନାୟକ, ଦୀନେଶ ଦାସ, ଅଶ୍ୱିନୀ ଜେନା, ଭରତ ଚନ୍ଦ୍ର ସ୍ୱାଇଁ, ଅକ୍ରୁର ପଲେଇ, ବିଜୟ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ