ମୋ ବ୍ୟବସ୍ଥା
ଆହେ ଇଛାମୟ
ଇଛାର ଠାକୁର
ତୁମ ଇଛା ଯାହା କର,
ତାରିଛ ମାରିଛ
ଯାହା ବି କରିଛ
ମଉନେ କରି ବିଚାର ।
ଚକ୍ର ପେଷିଅଛ
ନକ୍ର ନାସିଅଛ
ସବୁ ତୁମ ଇଛାମତେ,
ଗଜକୁ ତାରିଛ
ଗ୍ରାହକୁ ମାରିଛ
ଅଦୃଶ୍ଯରୁ ଶୂନ୍ଯ ହସ୍ତେ ।
ଯିଏ ଦୋଷ କଲା
କି ଦଣ୍ଡ ପାଇଲା
ବୁଝାପଡୁ ନାହିଁ ମୋତେ,
ଜଗତେ କହନ୍ତି
ଗ୍ରାହ ମୋକ୍ଷହେଲା
ତୁମ କର ଚକ୍ରାଘାତେ ।
ତୁମରି ଇଙ୍ଗିତେ
ସବୁ ହିଁ ଘଟୁଛି
ଆମେ ନପାରୁଛୁ ଜାଣି,
ବିନା ଦୋଷେ ପ୍ରାଣୀ
ଦଣ୍ଡ ଭୋଗେ ଭାବୁ
ପୂର୍ବ ଜନ୍ମ କର୍ମ ପୁଣି ।
ଆହେ ଜଗନ୍ନାଥ
କହିଦିଅ ମୋର
ପୂର୍ବ ଜନ୍ମ କର୍ମ କଥା,
ଏ ଜନ୍ମରେ ମୋତେ
କୋଉ ଦଣ୍ଡ ଦେବ
କରିଛ କେଉଁ ବ୍ୟବସ୍ଥା ।
ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ, ବ୍ରହ୍ମଗିରି,ପୁରୀ