ମୋ ସ୍କୁଲ ଅଭିଯାନରେ ସ୍ୱଚ୍ଛତାକୁ ସର୍ବାଧିକ ପ୍ରାଥମିକତା ଦିଆଯିବ- ଜିଲ୍ଲାପାଳ

ଛତ୍ରପୁର: ଗଂଜାମ ଜିଲ୍ଲାରେ ମୋ ସ୍କୁଲ ଅଭିଯାନରେ ସ୍ୱଚ୍ଛତା ସର୍ବାଧିକ ପ୍ରାଥମିକତା ଦିଆଯିବ ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରକାଶ କରିଛନ୍ତି । ଶିଶୁ ଦିବସ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀ ମାନଙ୍କର ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ବିଦ୍ୟାଳୟ ସ୍ତରରେ ପ୍ଲାଷ୍ଟିକ କୁ ସମ୍ପୂର୍ଣ୍ଣ ବର୍ଜନ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କୁ ମୋ ସ୍କୁଲ ଅଭିଯାନ ପାଣ୍ଠିରୁ ଷ୍ଟିଲ ପାଣି ବୋତଲ ପ୍ରଦାନ କରାଯିବ । ପରିମଳକୁ ଲୋକାଭିମୁଖୀ କରିବା ପାଇଁ ସେମାନଙ୍କୁ ପାରମ୍ପରିକ ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରାଯିବ । ଶୈାଚାଳୟ ବ୍ୟବହାର ଉପରେ ବିଦ୍ୟାଳୟ ମାନଙ୍କରୁ ଅଭିମତ ଗ୍ରହଣ କରାଯିବ । ଘରେ ଅଭିଭାବକ ମାନେ ଶୈାଚାଳୟ ବ୍ୟବହାର କରିବାକୁ ସେମାନଙ୍କୁ ଛାତ୍ରଛାତ୍ରୀ ପ୍ରବର୍ତ୍ତାଇବେ । ବିଦ୍ୟାଳୟରେ ପାଚେରୀ ବଦଳରେ ସବୁଜ ବାଡକୁ ପ୍ରାଧାନ୍ୟ ଦିଆଯିବ । ଋତୁ ଭିତ୍ତିକ ଫୁଲଗଛ ଲଗାଇବାପାଇଁ ଉତ୍ସାହିତ କରାଯିବ । ଛାତ୍ରଛାତ୍ରୀମାନେ ଯେପରି ସେମାନଙ୍କର ବେଶପୋଷାକ ନିରୀକ୍ଷଣ କରିପାରିବେ ସେଥିପାଇଁ ବିଦ୍ୟାଳୟ ମାନଙ୍କରେ ବୃହତ୍ତ ଦର୍ପଣ ସ୍ଥାନିତ ହେବ । ପରିମଳ ବିଷୟରେ ପ୍ରବନ୍ଧ, ବକ୍ତୃତା, ଚିତ୍ରାଙ୍କନ ପ୍ରତି÷ଯୋଗିତା ହେବ । ଯେଉଁ ବିଦ୍ୟାଳୟ ସ୍ୱଚ୍ଛତାରେ ଉତ୍କର୍ଷତା ହାସଲ କରିବେ ଉକ୍ତ ବିଦ୍ୟାଳୟ ଏବଂ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରାଯିବ । ୨୦୧୭ ମସିହାରେ ଆରମ୍ଭ କରାଯାଇଥିବା ମୋ ସ୍କୁଲ ଅଭିଯାନ ରେ ରାଜ୍ୟର ଅଦ୍ୟାବଧି ୧୦ହଜାର ସ୍କୁଲ ସାମିଲ ହୋଇଛନ୍ତି । ଗଂଜାମ ଜିଲ୍ଲାରେ ମୋ ସ୍କୁଲ ଅଭିଯାନରେ ୨୦୯୮ ସ୍କୁଲ ସାମିଲ ହୋଇଛି । ଏଥି ନିମନ୍ତେ ବିଭିନ୍ନ ବ୍ୟକ୍ତି ବିଶେଷ ୨କୋଟି ୮୯ଲକ୍ଷ ଟଙ୍କାର ସହଯୋଗ ରାଶି ପ୍ରଦାନ କରିଛନ୍ତି । ଜିଲ୍ଲାରେ ମୋ ସ୍କୁଲ ଅଭିଯାନକୁ ଅଧିକ ପ୍ରସାରିତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ନୀଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ, ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ ,ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜିକା ବିନୀତା ସେନାପତି , ମୋ ସ୍କୁଲ ଅଭିଯାନର ପ୍ରମୁଖ ସହାୟତାକାରୀ ଡା. ନାରାୟଣ ମିଶ୍ର ଏବଂ ତାଙ୍କ ଧର୍ମପତ୍ନୀ ଆଶା ମିଶ୍ର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ ।  ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସ୍କୁଲ ମୋବାଇଲ ଆପକୁ ଉନ୍ମୋଚନ କରିଛନ୍ତି । ମୋ ସ୍କୁଲ ୨ବର୍ଷ ପୂର୍ତ୍ତି ଅବସରରେ ଏହି ଆପ୍ କୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ଅଧିକ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ, ବିଭିନ୍ନ ଅନୁଷ୍ଠାନ ସଂସ୍ଥା ବିଦ୍ୟାଳୟ ସହ ଯୋଡି ହୋଇ ଅଧିକ ରୁ ଅଧିକ ଦାନ କରିପାରିବେ । ଏଥିସହ ଭିଡିଓ କନଫେରସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ସହ କଥା ହୋଇ ମୋ ସ୍କୁଲ ଯୋଜନାରର ସମୀକ୍ଷା କରିଛନ୍ତି । ଏହି ଅବସରରେ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଓସ୍ୱାନ ହଲ ଠାରେ ଗଂଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଡିଇଓ, ବିଇଓ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ