ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଗ୍ରାମ ମହୁଲ ମେଲାଣି : ବିକାଶ ଏଠି ସାତସପନ, ସନ୍ଧ୍ୟା ହେଲେ ହିଁଂସ୍ରଜନ୍ତୁଙ୍କ ଭୟ, ତାଟି କବାଟ ବନ୍ଦ
ମୋହନା, (ଅଂଶୁମାନ ପଣ୍ଡା): କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଗ୍ରାମ ଗୁଡିକର ବିକାଶ କରୁଥିବା କଥା କହୁଛନ୍ତି ହେଲେ ମୋହନା ବ୍ଳକରେ ଗୁଡାଏ ଗାଁ ରହିଛି ଯେଉଁଠି କି ନା ଅଛି ରାସ୍ତା, ବିଷୁଦ୍ଧ ପାଣି ନା ଆଲୋକ ବ୍ୟବସ୍ଥା। ଏପରିକି ଲୋକେ ପକ୍କା ଘର ଖଣ୍ଡେ ପାଇବାରୁ ବଞ୍ଚିତ । ଟଙ୍କିକିଆ ଚାଉଳ ଆଣିବାକୁ ହେଲେ ଚାଲି ଚାଲି ଯିବାକୁ ପଡୁଛି ୪ ରୁ ୫ କିଲୋମିଟର ଦୂର । ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ପଞ୍ଚାୟତର ମହୁଲ ମେଲାଣି ଗ୍ରାମରେ ବସବାସ କରନ୍ତି ପ୍ରାୟ ୨୫ରୁ ଉର୍ଦ୍ଧ୍ଵ ପରିବାର । ଏଠାକାର ଜନ ସଂଖ୍ୟା ୧୨୫ । ଗ୍ରାମର ଦୁଇଟି ସାହିରେ ନାହିଁ ବିଦ୍ୟୁତ ଆଲୁଅ ବ୍ୟବସ୍ଥା। ପିଲାଙ୍କ ପାଠ ପଢିବାରେ ନାହିଁ ନଥିବା ଅସୁବିଧା ହେଉଛି। ରାତିରେ ଜଙ୍ଗଲୀ ହିଂସ୍ର ଜନ୍ତୁଙ୍କ ଭୟ । ଗ୍ରାମକୁ ବିଦ୍ୟୁତ ସଂଯୋଗୀକରଣ ନିମନ୍ତେ ବିଭାଗ ପକ୍ଷରୁ ପୋଲ ଯୋଗାଇ ଦିଆଯାଇଥିଲା । ଗ୍ରାମବାସୀ ନିଜ ପରିଶ୍ରମରେ ମାଣିକପୁର ଠାରୁ ନିଜ ଗ୍ରାମକୁ ବିଦ୍ୟୁତ ପୋଲ ପୋତିଥିଲେ।କିନ୍ତୁ ଚାନ୍ଦିପୁଟ ବନ ବିଭାଗ ଯାଗାରେ ପୋଲ ଗୁଡିକ ପୋତା ଯାଇଥିବାରୁ ସେଗୁଡିକୁ କର୍ମଚାରୀମାନେ ଉପାଡି ଫୋପାଡି ଦେଇଛନ୍ତି। ଯାହାଫଳରେ ଗାଁକୁ ଆସି ପାରୁନି ବିଦ୍ୟୁତ ସଂଯୋଗ । ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ । ଯେଉଁ ମାଟି ରାସ୍ତା ରହିଛି ତାହା ବର୍ଷା ଦିନେ ବର୍ଷା ପାଣିରେ ଧୋଇ ହୋଇଯାଉଛି । ବଡ଼ ବଡ଼ ପଥର ବାହାରି ଥିବା ଫଳରେ ରାସ୍ତାରେ ଗମନାଗମନ କରିବା କଷ୍ଟକର। ଏହି ବିଷୟରେ ବହୁବାର ବ୍ଲକ , ଜିଲ୍ଲା ଓ ରାଜ୍ୟ ପ୍ରଶାସନକୁ ଗ୍ରାମବାସୀ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଲେଖି ଜଣାଇଥିଲେ ମଧ୍ୟ ପ୍ରସାସନ ଶୁଣୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବର୍ଷା ଟିକିଏ ହେଲେ ମାଟି ଧୋଇ ହୋଇ ଗଲେ ବନବିଭାଗ କିଛି ମାଟି ପକାଇ ବହୁ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଇ ବିଲ କରି ଲୁଟୁଥିବା ଗ୍ରାମବାସୀ କହିଛନ୍ତି। ଗାଁକୁ ରାସ୍ତା ଓ ପୋଲ ନିର୍ମାଣ ହୋଇଗଲେ ଢ଼େପାଗୁଡା ପଞ୍ଚାୟତକୁ ମୋହନା ବ୍ଲକ ଠାରୁ ମାତ୍ର ୧୫କିମି ଦୂର ହେବ । କିନ୍ତୁ ଏସବୁ ନିର୍ମାଣ ହୋଇ ପାରୁ ନଥିବାରୁ ଢେପାଗୁଡା ପଞ୍ଚାୟତବାସୀ ଗଂଜାମ ଜିଲ୍ଲା ଦେଇ ୬୦କିମି ଦୂର ମୋହନା ବ୍ଳକ କୁ ସରକାରୀ ଓ ବେସରକାରୀ କାମରେ ଅଧିକ ଖର୍ଚାନ୍ତ ଓ ସମୟ ଅପଚୟ କରି ଆସିବାକୁ ପଡ଼ୁଛି। ଗ୍ରାମରେ ନଳକୂପ ଗୋଟିଏ ମଧ୍ୟ ନାହିଁ। ଯାହାଫଳରେ ଲୋକେ ଝରଣାର ଦୂଷିତ ପାଣି ଉପରେ ଭରସାକରନ୍ତି । ଦୂଷିତ ପାଣି ପିଇ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଉଥିବା ନଜିର ମଧ୍ୟ ରହିଛି। ଖରା ଦିନେ ଝରଣା ଜଳ ସୁଖି ଯାଉଛି। ଗାଁରେ ଗୋଟିଏ ମଧ୍ୟ ପରିବାରକୁ ମିଳିନି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆବାସ ଗୃହ । ମୌଳିକ ସୁବିଧାରୁ ବଞ୍ଚିତ ମହୁଲ ମେଲାଣି ଗ୍ରାମକୁ କେବେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ପଡିବ ସେହି ଦିନକୁ ଅପେକ୍ଷା କରି ଚାହିଁ ରହିଛନ୍ତି ଗ୍ରାମବାସୀ ।