ମୌଳିକ ସୁବିଧାରୁ ବଞ୍ଚିତ କରନ୍ଦାଗଡ ଗ୍ରାମବାସୀ

ମୌଳିକ ସୁବିଧାରୁ ବଞ୍ଚିତ କରନ୍ଦାଗଡ ଗ୍ରାମବାସୀ
ମୌଳିକ ସୁବିଧାରୁ ବଞ୍ଚିତ କରନ୍ଦାଗଡ ଗ୍ରାମବାସୀ

କୋଦଳା: (ଗୁଲସନ୍ କୁମାର କର) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଚନ୍ଦନପୁର ପଞ୍ଚାୟତ କରନ୍ଦାଗଡ ଗାଁ କହିଲେ ମନେପଡେ ନଗଡ଼ାର ଚିତ୍ର। ସରକାର ଅପହଞ୍ଚର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଆଦିବାସୀ, ଦଳିତଙ୍କ ପାଇଁ ମଧ୍ୟ ପଦକ୍ଷେପ ହେଉଛି। ସାରା ଦେଶ ଏବେ ଡ଼ିଜିଟାଲର ସ୍ବପ୍ନ ଦେଖୁଥିବା ବେଳେ ଏବେ ମଧ୍ୟ ଏମିତି ଗାଁ ରହିଛି ଯେଉଁଠି ନା ଅଛି ବିଦ୍ୟୁତ, ରାସ୍ତାଘାଟ ।ଗ୍ରାମବାସୀ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସବୁଥିରୁ ବଞ୍ଚିତ ହୋଇ ରହିଛନ୍ତି ।ରୋଗହେଲେ ଖଟ ବା ଭାରରେ ବୁହାହୋଇ ଗଲେ ଜୀବନ ରହିବ ନହେଲେ ହାତପାଖରେ ମୁର୍ତ୍ୟୁ । ଏଭଳି ଏକ ଗାଁ ସବୁଠାରୁ ଅବହେଳିତ ଅବସ୍ଥାରେ ରହିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବିକାଶର ବାର୍ତ୍ତା ଏଠାରେ ପହଞ୍ଚି ପାରିନାହିଁ। ଚନ୍ଦନପୁର ପଞ୍ଚାୟତର ସବୁଠାରୁ ଅବହେଳିତ ବଣ ଜଙ୍ଗଲ ଘେରା ଗାଁ କରନ୍ଦାଗଡ ।କୋଦଳା ଠାରୁ ୨୨କିମି ତ ପୋଲସରା ଠାରୁ ୩୦କିମି ଦୂରରେ ଅବସ୍ଥିତ ଯୁଆଡେ ଦେଖିବ ଖାଲି ଜଙ୍ଗଲ ଆଉ ଜଙ୍ଗଲ। ରାଜ୍ୟ ସରକାର ହୁଅନ୍ତୁ ବା କେନ୍ଦ୍ର ସରକାର ଗାଁ ରାସ୍ତାକୁ ସହରୀ ଭଳି କରିବାକୁ ଯୋଜନା କରିବା ପୂର୍ବକ କୋଟିକୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଥିଲେ ହେଁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର କରନ୍ଦାଗଡ ଗାଁ ଲୋକେ ମାଟି କାଦୁଅ ରାସ୍ତାରେ ଆଜି ବି ଚଳପ୍ରଚଳ କରୁଛନ୍ତି ।ପାନୀୟ ଜଳ ସମସ୍ୟା ଦୂର ସହ ସମସ୍ତଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ କୋଟି କୋଟି ଟଙ୍କା ବିନିମୟରେ ପାନୀୟ ଜଳ ପ୍ରକଳ୍ପ କରାଯାଇଥିଲେ ହେଁ କରନ୍ଦାଗଡ ଗାଁ ବାସି କିନ୍ତୁ ଆଜିର ଦିନରେ ଦୂଷିତ ପାଣି ପିଉଛନ୍ତି ।ଦୀର୍ଘବର୍ଷ ଧରି ଗ୍ରାମବାସୀ ମାନେ ବସବାସ କରୁଥିବା ବେଳେ ୧୫ଟି ପରିବାରର ୭୦ରୁ ଅଧିକ ଲୋକ ଗ୍ରାମରେ ବସବାସ କରୁଛନ୍ତି ।ଗାଁ ତ ନୁହେଁ ଗୋଟାଏ ଅନ୍ଧାରି ଇଲାକା କହିଲେ ଅତ୍ୟୁକ୍ତି ହେବନାହିଁ।ଓଳିଏ ଖାଇଲେ ଆଉ ଓଳିଏ ଭୋକରେ ଛଟପଟ ହୁଅନ୍ତି । ସେହିପରି ଗ୍ରାମବାସୀଙ୍କ ପାଇଁ ସ୍ବାସ୍ଥ୍ୟ ସେବା ଅପହଞ୍ଚ। ପାହାଡ଼ ପର୍ବତଘେରା ଗ୍ରାମକୁ ରାସ୍ତା ନାହିଁ। କାହାକୁ ରୋଗ ହେଲେ ୧୦୨ କି ୧୦୮ ଆସିବା ସମ୍ଭବପର ନୁହେଁ। ଫଳରେ ରୋଗୀମାନଙ୍କୁ ଗ୍ରାମବାସୀମାନେ ଭାର କିମ୍ବା ଦୋଳା କରି ବୋହି ଜାନବିଲି ଗାଁକୁ ଆଣିବା ପରେ ବହୁତ ଦୂରତା ବ୍ୟବଧାନରେ ରୋଗୀର ଚିକିତ୍ସା କରିବାକୁ ପଡିଥାଏ।ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ଶିଶୁମାନଙ୍କ ପାଠ ପଢ଼ିବା କଥା ତ ସ୍ବପ୍ନ ପାଲଟିଛି।ମୁଲ ମଜୁରୀ ଏବଂ ଜଙ୍ଗଲ ଉପରେ ଭରସା କରି ଜୀବନ ଜିଉଁଥିବା ବେଳେ ପ୍ରଶାସନିକ ଅଧିକାରର ଶିକାର ହେଇଛନ୍ତି।ସବୁ ଦିଗରୁ ଅବହେଳିତ ଏହି ଗ୍ରାମକୁ ସରକାରଙ୍କ ଦୃଷ୍ଟି ଆଦୌ ନାହିଁ।  ଏଠାରେ ରାସ୍ତା ପାଇଁ ସବୁଠାରୁ ବଡ ସମସ୍ୟା ହୋଇ ଠିଆ ହୋଇଛି। ଜଙ୍ଗଲ ଅଧିକାର ଆଇନ ଅନୁସାରେ ସେମାନଙ୍କୁ ପଟ୍ଟା ଯୋଗାଇ ଦିଆଯାଇନାହିଁ ।ଯାହା ପାଇଁ ଲୋକମାନେ ପକ୍କା ଘରରୁ ବଞ୍ଚିତ ହୋଇ ଝୁମ୍ପୁଡି ଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ୍ୟ ହୋଇଛନ୍ତି ।ଦୀର୍ଘ ବର୍ଷ ଧରି ଗ୍ରାମବାସୀ ମାନେ ରାସ୍ତା, ପାନୀୟ ଜଳ ଓ ବିଭିନ୍ନ ଦାବି ନେଇ ପ୍ରଶାସନିକ ଅଧିକାରୀ ମାନଙ୍କୁ ଅବଗତ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। କେବଳ ନିର୍ବାଚନ ସମୟକୁ ଛାଡିଦେଲେ ଅନ୍ୟ ବେଳେ ରାଜନେତା କିମ୍ବା ଜନପ୍ରତିନିଧି କାହାର ପାଦ ଏହି ଗ୍ରାମରେ ପଡୁନଥିବା ଅଭିଯୋଗ ହୋଇଛି। ସମସ୍ତ ପ୍ରକାରର ସରକାରୀ ଯୋଜନାରୁ ବଞ୍ଚିତ କରନ୍ଦାଗଡ ବାସି ଯେ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି, ସେଇଆ ଗାଁର ସ୍ଥିତି ହିଁ ଜଣାଇ ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ