ମୌଳିକ ସୁଭିଧାରୁ ବଞ୍ଚିତ କାଶିବୁଣ୍ଡେଲ ଗ୍ରାମବାସୀ ଗମନାଗମନ ବିଜୁଳି ସାତ ସପନ
କଳାହାଣ୍ଡି, (ଚିତ୍ତରଞ୍ଜନ ବିଷି): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଗୁଡିକରେ ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି।ଏହାକୁ ନେଇ କୋଟି କୋଟି ଟଙ୍କା ବ୍ୟୟବରାଦ ମଧ୍ୟ କରୁଛନ୍ତି। ହେଲେ ଏବେ ବି ଦୁର୍ଗମ ଲାଞ୍ଜିଗଡ ବ୍ଲକର ୩୦ରୁ ଅଧିକ ଗାଁ ଯେଉଁଠିକି ସରକାରଙ୍କ ମୌଳିକ ସୁଭିଧା ଆଜି ପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ।ଏଭଳି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ଅଧିନସ୍ଥ ଏକ ଆଦିବାସୀ ଅଦ୍ୟଷିତ ଗାଁ କାଶିବୁଣ୍ଡେଲ। ଲାଞ୍ଜିଗଡ ବ୍ଳକ ତ୍ରିଲୋଚନପୁର ପଞ୍ଚାୟତର ଏହି କାଶିବୁଣ୍ଡେଲ ଗାଁରେ ୧୦ଟି ଆଦିବାସୀ ବା କୋଟିଆ କନ୍ଦ ସମ୍ପ୍ରଦାୟ ଲୋକେ ଦୀର୍ଘ ୮୦ ବର୍ଷ ଉର୍ଦ୍ଧ୍ବ ସମୟ ଧରି ବସବାସ କରିଆସୁଛନ୍ତି। ହେଲେ ଏମାନଙ୍କୁ ଏବେବି ସରକାରଙ୍କ ପକ୍ଷରୁ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି। ଗମନା ଗମନ ଓ ବିଜୁଳି ଏହି ଗ୍ରାମବାସୀଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇ ରହିଛି।ବ୍ଳକ କାର୍ଯ୍ୟାଳୟଠାରୁ ୩୧ କିମି ଦୂରରେ ରହିଥିବା ବେଳେ ନିଜ ପଞ୍ଚାୟତ ଅଫିସ ଠାରୁ ମାତ୍ର ୪ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁ।କିନ୍ତୁ ଏହି ଗାଁରେ ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ଏଯାଏଁ କୌଣସି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ। ଯାହା ଫଳରେ ଦୂରଦିନ ଅବସ୍ଥାରେ ବର୍ଷ ବର୍ଷ ଧରି ପଡି ରହିଛି ଏହି କାଶିବୁଣ୍ଡେଲ ଗାଁ।ଗମନାଗମନ ପାଇଁ ଗାଁକୁ ଏ ଯାଏଁ ରାସ୍ତା ଟିଏ ହୋଇ ପାରିନାହିଁ।ପଞ୍ଚାୟତ ପକ୍ଷରୁ କିଛି ରାସ୍ତା କାମ କରାଯାଇଛି।ବର୍ତ୍ତମାନ ସେହି ରାସ୍ତାଟି ମରଣଜନ୍ତା ପାଲଟିଛି।ଯେଉଁଠାରେ ଗମନାଗମନର ବ୍ୟବସ୍ଥା ଏଭଳି ହୋଇଛି ସେଠାରେ ଶିକ୍ଷାକୁ ପଚାରେ କିଏ। ଯାହା ଫଳରେ ଗାଁର ଅନେକ କୋମଳମତି ଶିଶୁ ଶିକ୍ଷାରୁ ବଞ୍ଚିତ ଅଛନ୍ତି। ଏମାନଙ୍କୁ କେବଳ ପାଦ ଚଲା ରାସ୍ତା ହିଁ ଏକ ମାତ୍ର ବିକଳ୍ପ ହୋଇଛି।ତ୍ରିଲୋଚନପୁର ଲଡାଙ୍ଗ ଗାଁ ଠାରୁ ଏହି ଗାଁକୁ ପାଦ ଚଲା ରାସ୍ତା ମାତ୍ର ଦେଢ଼ କିମି ଦୂର ରହିଥିବା ବେଳେ ପାଦ ଚଲା ରାସ୍ତାର ଦୁଇ ପାର୍ଶ୍ଵରେ ଅନାବନା ଗଛ ସହିତ ଘଞ୍ଚ ଜଙ୍ଗଲ ପରି ରହିଛି। ସେହି ରାସ୍ତା ଦେଇ ଛୋଟ ଛୋଟ ପିଲାମାନେ ଲଡାଙ୍ଗ ଗାଁ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ ପାଠ ପଢି ଯିବା ସମ୍ଭବ ହେଉନାହିଁ।ଏହି ରାସ୍ତା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ ପ୍ରଶାସନ ଗାଁ ପ୍ରତି ଦୃଷ୍ଟି ଦେଉନଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି।ଯାହା ଫଳରେ ଅନେକ ଗରିବ ନିରୀହ ଶିଶୁଙ୍କ ଭବିଷ୍ୟତ ନଷ୍ଟ ହେବାରେ ଲାଗିଛି।ଯେଉଁ ଗ୍ରାମରେ ରାସ୍ତା ନାହିଁ ସେଠାରେ ସ୍ବାସ୍ଥ୍ୟ କୁ କିଏ ପଚାରେ।ଗାଁକୁ ଭଲକରି ସ୍ବାସ୍ଥ୍ୟକର୍ମୀ ଆସୁନାହାନ୍ତି ବୋଲି ଗାଁ ଲୋକେ କହୁଥିବା ବେଳେ ଗାଁ ଠାରୁ ୫ କିଲୋମିଟର ଦୂର ତ୍ରିଲୋଚନପୁର ଠାରେ ଥିବା ଉପ ସ୍ବାସ୍ଥ୍ୟକେନ୍ଦ୍ରଟି ଏବେ ଭୁତ କୋଠି ପାଲଟିଛି। ବିଦ୍ୟୁତ କଥା କହିଲେ ଏବେ ଯାଏଁ ବିଦ୍ୟୁତ ଗାଁରେ ସଂଯୋଗ ହୋଇପାରିନାହିଁ।ପଞ୍ଚାୟତରେ ପୂର୍ବ ଭଳି କିରୋସିନୀ ହିତାଧିକାରୀଙ୍କୁ ଆଉ ମିଳୁନାହିଁ। ଯାହା ଫଳରେ ଡିବିରୀ ଆଲୁଅ ହିଁ ଏହି ଗାଁ ପାଇଁ ଭରଷା ହୋଇଛି।ବାରମ୍ବାର ବିଦ୍ୟୁତ୍ ବିଭାଗକୁ ଜଣାଇବା ପରେ ବ୍ଳକ ଅଭିଯୋଗ ଶୁଣାଣି ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ଗାଁ ଲୋକେ ପ୍ରକାଶ କରିଛନ୍ତି।ବିଜୁଳି ନଥିବା ଯୋଗୁଁ ନାନା ଅସୁଭିଧାରେ ସମ୍ମୁଖୀନ ହେଉଛି ବୋଲି ମତ ପ୍ରକାଶ କରିଛନ୍ତି ଗ୍ରାମବାସି।ତେଣୁ ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ଗାଁ ରାସ୍ତା ଓ ବିଦ୍ୟୁତ ସଂଯୋଗ କରାଯାଉ ବୋଲି ସାଧାରଣରେ ଦାବି ହେଉଛି।