ମ୍ୟାଲେରିଆ ନିୟନ୍ତ୍ରଣ ସଚେତନ ମାସର ଟାସ୍କ ଫୋର୍ସ ବୈଠକ

କେନ୍ଦ୍ରାପଡା, (ଯୁଗାବ୍ଦ ନ୍ୟୁଜ୍): ପ୍ରତ୍ୟେକ ବର୍ଷର ଜୁନମାସକୁ ମ୍ୟାଲେରିଆ ସଚେତନ ମାସ ଭାବେ ଗ୍ରହଣ କରାଯାଇ ଥାଏ । ଚଳିତ ଜୁନମାସରେ ସାରା ଜିଲ୍ଲାରେ ଜନସାଧାରଣଙ୍କ ମଧ୍ୟରେ ମ୍ୟାଲେରିଆ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ଜିଲ୍ଲାପାଳ ପ୍ରେମ ଚନ୍ଦ୍ର ଚୈାଧୁରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉର୍ମିଳା ମିଶ୍ର ଜିଲ୍ଲାରେ ଚଳିତ ବର୍ଷର ପ୍ରଥମ ୫ମାସ ମଧ୍ୟରେ ୫ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ କରାଯାଇଥିବା ବେଳେ ପୂର୍ବ ବର୍ଷ ୪୦ଜଣ ମ୍ୟାଲେରିଆ ରୋଗୀଙ୍କୁ ଚିହ୍ନଟ କରାଯାଇ ଚିକିତ୍ସା କରାଯାଇଥିବାରୁ ଚଳିତ ବର୍ଷ ସଚେତନତା ଉପରେ ଗୁରୁତ୍ୱାରୋପ କରାଯାଉଛି ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ମିର୍ଜା ବାବର ବେଗ ପାୱାର ପ୍ରୋଜେକସନ ମାଧ୍ୟମରେ ଆସନ୍ତା ମୈାସୁମୀ ବର୍ଷା ସମୟରେ ପାଣି ଜମୁଥିବା ସ୍ଥାନରେ ମାଇ ଏନୋଫିଲିସ ମଶା ଡିମ୍ବ ଦେଇ ବଂଶ ବୃଦ୍ଧି କରିବେ ତେଣୁ ସଚେତନତା ସୁରୂପ ଘରର ଆଖପାଖ ଅଚଂଳରେ ପାଣି ଜମିବାକୁ ନଦେବା ସହ ବିଶେଷ କରି ସଢେଇ,ଟାୟାର,ବ୍ୟବହୃତ ହେଉନଥିବା କୁଲର ପ୍ରଭୃତି ବର୍ଯ୍ୟବସ୍ତୁକୁ ସଫା କରିବା ଓ ପରିବେଶକୁ ପରିଷ୍କାର ପରିଛନ୍ନ ରଖିବା ସହିତ ବର୍ଷାଦିନେ ମଶାରୀ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ । ସାଧାରଣତଃ ମ୍ୟାଲେରିଆ ରୋଗରେ ପିଡିତ ରୋଗୀର କିଡନୀ,ଲିଭର ଓ ମସ୍ତିସ୍କକୁ ଏହା ଆକ୍ରାନ୍ତ କରି କ୍ଷତିଗ୍ରସ୍ତ କରିଥାଏ । ଜିଲ୍ଲାର ପ୍ରତ୍ୟେକ ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ ସହିତ ସଫେଇ କରାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିବା ସହ ଏହି କାର୍ଯ୍ୟକ୍ରମର ସଠିକ ପରିଚାଳନା ନିମନ୍ତେ ପ୍ରତ୍ୟେକ ସଚେତନତା ସ୍ଥାନର ଜିଓଟ୍ୟାଗିଂ ଫଟୋ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ । ବୈଠକରେ ପିଡି ଦିଲ୍ଲିପ କୁମାର ପରିଡା,ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକଙ୍କ ସମେତ କମିଟି ସଦସ୍ୟ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ