ମ୍ୟୁଜିକ୍ ବାଜିବାରୁ ମରିଗଲା କୁମ୍ଭୀର
ଇଷ୍ଟ୍କୋଷ୍ଟ୍ ରୋଡ୍ ସ୍ଥିତ ଏକ ଷ୍ଟାର୍ ହୋଟେଲ୍ରେ ଆୟୋଜିତ ପାର୍ଟିରେ ଉଚ୍ଚ ଶବ୍ଦରେ ମ୍ୟୁଜିକ୍ ବାଜିବାରୁ ନିକଟରେ ଥିବା ଚିଡ଼ିଆଖାନାରେ ଗୋଟିଏ କୁମ୍ଭୀରର ମୃତ୍ୟୁ ହୋଇଛି । ହୋଟେଲ୍ ଲନ୍ରୁ ସୃଷ୍ଟି ହୋଇଥିବା କମ୍ପନର ଚାପ ଯୋଗୁଁ ବିଲୁପ୍ତ ପ୍ରାୟ କ୍ୟୁବା ଦେଶର ସେ କୁମ୍ଭୀରଟି ମରିଛି ବୋଲି ଚିଡ଼ିଆଖାନା କର୍ତ୍ତୃପକ୍ଷମାନେ ଅଭିଯୋଗ କରୁଛନ୍ତି । ଏଇଟି ଏକ ମାତ୍ର ଘଟଣା ନୁହେଁ । ଚିଡ଼ିଆଖାନା ଚଳାଉଥିବା ମାଡ୍ରାସ କ୍ରକୋଡାଇଲ୍ ବ୍ୟାଙ୍କ୍ ପୂର୍ବରୁ ମଧ୍ୟ ଏଭଳି ଚାପ କାରଣରୁ କୁମ୍ଭୀରମାନେ ପରସ୍ପର ମଧ୍ୟରେ ଲଢ଼େଇ କରୁଥିବା ଅଭିଯୋଗ କରିଥିଲା । ଶେରାଟନ୍ ଗ୍ରାଣ୍ଡ୍ ଚେନ୍ନାଇ ରିସର୍ଟ ଆଣ୍ଡ୍ ସ୍ପା ନାମକ ସେ ହୋଟେଲ୍ ଉଠିଥିବା ସମସ୍ୟା ସମାଧାନ ଲାଗି ସହଯୋଗ କରିବ ବୋଲି କର୍ତ୍ତୃପକ୍ଷଙ୍କୁ ପ୍ରତିଶ୍ରୁତି ଦେଇଥିଲା । ଏଥରର ଘଟଣାଟି ମାର୍ଚ୍ଚ ୩୦ ତାରିଖରେ ଘଟିଛି । କ୍ୟୁବା କୁମ୍ଭୀର ଘେରାଠାରୁ ପ୍ରାୟ ୫୦ ଫୁଟ୍ ଦୂରରେ ଥିବା ଗୋଟିଏ ପାଚେରି ଉଭୟ ମାଡ୍ରାସ୍ କ୍ରକୋଡାଇଲ୍ ବ୍ୟାଙ୍କ୍ ଏବଂ ହୋଟେଲ୍କୁ ଦୁଇ ଭାଗ କରୁଛି । ଠିକ୍ ପାଚେରି ଆଡ଼କୁ ମୁହଁ କରି ଶକ୍ତିଶାଳୀ ସ୍ପିକର ସବୁ ରଖାଯାଇଥିବା କଥା ଚିଡ଼ିଆଖାନାର ଅନ୍ୟତମ ପ୍ରତିଷ୍ଠାତା ରାମୁଲସ୍ ୱିଟାକର୍ କହିଛନ୍ତି ।