ମଡ଼ର୍ଣ୍ଣ ପବ୍ଲିକ ସ୍କୁଲରେ କ୍ୟାରିୟର କାଉନସେଲିଂ
ବାଲେଶ୍ୱର, (ସରୋଜ ପଣ୍ଡା) : ରାଜସ୍ଥାନର ‘କୋଟା ଆଲେନ କ୍ୟାରିଅର ଇନଷ୍ଟିଚ୍ୟୁଟ’ ଭୁନେଶ୍ୱର ଷ୍ଟଡି ସେଣ୍ଟର ପକ୍ଷରୁ କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ ସ୍ଥାନୀୟ ମଡ଼ର୍ଣ୍ଣ ପବ୍ଲିକ ସ୍କୁଲ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରର ଆଲେନ ମେଡିକାଲ ପ୍ରବେଶିକା ପରୀକ୍ଷା କୋଚିଂ ବିଭାଗ ମୁଖ୍ୟ ରବିକାନ୍ତ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଇଞ୍ଜିନିଅରିଂ ଏବଂ ମେଡିକାଲ ପ୍ରବେଶିକା ପରୀକ୍ଷାର ସମ୍ଭାବ୍ୟ ସଫଳତା ଓ ନାମଲେଖା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଆଲେନ କ୍ୟାରିଅର ଇନଷ୍ଟିଚ୍ୟୁଟର ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା ଗୁଣାତ୍ମକ ଶିକ୍ଷାଦାନ ପଦ୍ଧତି ତଥା ୩୩ ବର୍ଷର ସଫଳତା ଛାତ୍ରଛାତ୍ରୀଙ୍କ ଉନ୍ନତ କ୍ୟାରିଅର ଗଠନରେ ସହାୟକ ହୋଇପାରିଛି ବୋଲି ସେ ପ୍ରକାଶ କରିଥିଲେ । ଭୁବନେଶ୍ୱର ଆଲେନର ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ ସିଦ୍ଧାର୍ଥ ରାଉତ, ରସାୟନ ବିଭାଗ ଅଧ୍ୟାପକ ରିତେଶ ସିଂହ ଓ ଋତୁରାଜ ଶ୍ରୀବାସ୍ତବ ପ୍ରମୁଖ ଏଥିରେ ଯୋଗଦେଇ ଆଲେନରେ ଶିକ୍ଷାଦାନ ଧାରା ସମ୍ପର୍କରେ ସୂଚନା ଦେଇଥିଲେ । ମଡ଼ର୍ଣ୍ଣ ପବ୍ଲିକ ସ୍କୁଲର ବିଜ୍ଞାନ ଅଧ୍ୟାପକ ଦ୍ୱୀପାୟନ ଭଟ୍ଟାଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ପୃଷ୍ଟି ଓ ଉପାଧ୍ୟକ୍ଷ ରଞ୍ଜନ ନାୟକଙ୍କ ବହୁ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ । ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ ।


