ମୟୂରଭଞ୍ଜ ଓ ଅନୁଗୁଳ ଜିଲ୍ଲାରେ ୨ ବୃଦ୍ଧଙ୍କୁ କଚାଡ଼ି ମାରିଲା ହାତୀ
ବେତନଟୀ/ଛେଣ୍ଡିପଦା: ମୟୂରଭଞ୍ଜ ଓ ଅନୁଗୁଳ ଜିଲ୍ଲାରେ ଆଜି ଦନ୍ତାହାତୀ ଆକ୍ରମଣରେ ୨ ଜଣ ବୃଦ୍ଧ ପ୍ରାଣ ହରାଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲାର ମାରଡ଼ା ବ୍ଲକ୍ ଦାନ୍ତିଆମୁଁହା ପଞ୍ଚାୟତ ଜାମୁଗାଧା ଗ୍ରାମର ଗଜେନ୍ଦ୍ର ମହାନ୍ତ(୬୫)ଙ୍କର ଏକ ଦନ୍ତା ଆକ୍ରମଣରେ ଜୀବନ ଯାଇଛି । ସ୍ଥାନୀୟ ଜଙ୍ଗଲ ସୁରକ୍ଷା କମିଟିର ସଭାପତି ଥିବା ଗଜେନ୍ଦ୍ର ଭାର ସମୟରେ ନିକଟସ୍ଥ ଜଙ୍ଗଲ ବୁଲିବା ସହ ଚାଷ ଜମିଆଡ଼କୁ ଯାଉଥିଲେ । ବାଟରେ ହଠାତ୍ ଏକ ଦନ୍ତା ତାଙ୍କୁ ଆକ୍ରମଣ କରିଥିଲା । ହାତୀଟି ଗଜେନ୍ଦ୍ରଙ୍କୁ ଶୁଣ୍ଢରେ ଟେକିନେଇ ଏକାଧିକ ଥର କଚାଡ଼ି କଚାଡ଼ି ମାରିଦେଇଥିଲା । ଏହି ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।
ସେହିଭଳି, ଅନୁଗୁଳ ଜିଲ୍ଲା ଟାଙ୍ଗିରି ପଞ୍ଚାୟତ ବାରମଞ୍ଚା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ହୃଷୀକେଶ ନାୟକ(୭୦) ଏକ ଦନ୍ତାହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ହୃଷୀକେଶ ସାଇକେଲରେ ଯାଉଥିବାବେଳେ ଧାଙ୍ଗରୁମୁଣ୍ଡା ଗ୍ରାମର ଆମ୍ବତାଟାରୁ ଏକ ଦନ୍ତା ହାତୀ ବାହାରି ତାଙ୍କୁ ଆକ୍ରମଣ କରିବା ସହ ସାଇକେଲକୁ ଶୁଣ୍ଢରେ କଚାଡ଼ି ଦେଇଥିଲା । ଦନ୍ତା ଆକ୍ରମଣରେ ଘଟଣାସ୍ଥଳରେ ହୃଷୀକେଶଙ୍କ ମୃତ୍ୟୁ ହାଇଥିଲା । ଖବର ପାଇ ବନ ବିଭାଗ କର୍ମଚାରୀ ଓ ଛେଣ୍ଡିପଦା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛନ୍ତି ।
ଲୋକଙ୍କ ପାଖରେ ପହଞ୍ଚିବେ କଂଗ୍ରେସ ‘ପ୍ରେରକ’
ଭୁବନେଶ୍ୱର : ଏଣିକି ନୂଆ ଢ଼ଙ୍ଗରେ ଲୋକଙ୍କ ପାଖକୁ ଯିବ କଂଗ୍ରେସ । ରାଷ୍ଟ୍ରୀୟ ସେବକ ସଂଘ ବା ଆରଏସଏସର ପ୍ରଚାରକମାନଙ୍କ ଭଳି କଂଗ୍ରେସ ‘ପ୍ରେରକ’ମାନେ ଲୋକଙ୍କ ପାଖକୁ ଯିବେ । ସେମାନେ ଲୋକମାନଙ୍କୁ କଂଗ୍ରେସ ଦଳର ଇତିହାସ, ସ୍ୱାଧୀନତା ସଂଗ୍ରାମରେ କଂଗ୍ରେସର ଭୂମିକା ବାବଦରେ ବୁଝାଇବେ । ମହାତ୍ମା ଗାନ୍ଧିଙ୍କ ବାବଦରେ ମଧ୍ୟ ଲୋକଙ୍କୁ କହିବେ । ଲୋକଙ୍କ ଭିତରେ କଂଗ୍ରେସ ପ୍ରତି ସକରାତ୍ମକ ଚିନ୍ତାଧାରା ଆଣିବାକୁ ଚେଷ୍ଟା କରିବେ ବୋଲି ଆଜି କଂଗ୍ରେସ ଭବନରେ ଆୟୋଜିତ ପ୍ରେରକ ପ୍ରଶିକ୍ଷଣ ଶିବିରକୁ ସୂଚନା ଦିଆଯାଇଛି ।
ମଙ୍ଗଳବାର ପ୍ରଦେଶ କଂଗ୍ରେସ କମିଟିର ପ୍ରେରକ କାର୍ଯ୍ୟକ୍ରମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପ୍ରଶିକ୍ଷଣ ସଂଯୋଜକ ଶୁଭେନ୍ଦୁ ମହାନ୍ତିଙ୍କ ଆବାହକରେ କଂଗ୍ରେସ ଭବନରେ ସାଂଗଠିନିକ ଜିଲ୍ଲାଗୁଡ଼ିକ ନିମନ୍ତେ ୩୩ ଜଣ ପ୍ରେରକ ବଛାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଏଥିରେ ରାଜ୍ୟ କଂଗ୍ରେସର ଶତାଧିକ ନେତା ଓ କର୍ମକର୍ତ୍ତା ଯୋଗ ଦେଇ ଟ୍ରେନିଂ ନେଇଥିଲେ । ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଜିତେନ୍ଦ୍ର କହିଛନ୍ତି, ମୋଦି ସରକାରଙ୍କ ୬ ବର୍ଷର ଶାସନ ଭିତରେ ଦେଶର ସାମ୍ପ୍ରତିକ ରାଜନୈତିକ, ସାମାଜିକ, ଅର୍ଥନୈତିକ ପରିସ୍ଥିତି ଦିନକୁ ଦିନ ଜଟିଳ ଓ ଦୁର୍ବିସହ ହେବାରେ ଲାଗିଛି । ବଜାର ଦର ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି । ଅଚ୍ଛେଦିନର ସ୍ଲୋଗାନ ସମ୍ପୂର୍ଣ୍ଣ ବୁରାଦିନରେ ପରିଣତ ହୋଇଛି । ଏପରି ସ୍ଥଳେ ଦେଶବାସୀଙ୍କ ନିକଟରେ ସକ୍ର୍ରିୟ ବିରୋଧି ଦଳ ଭାବେ କଂଗ୍ରେସ ଉଭା ହେବ । ପ୍ରତି ଜିଲ୍ଲାରେ ପ୍ରେରକମାନଙ୍କୁ ଚୟନ କରି କଂଗ୍ରେସ ସଂଗଠନକୁ ସୁଦୃଢ଼ କରାଯିବ । ଏହି କ୍ଷେତ୍ରରେ ପ୍ରେରକମାନଙ୍କର ଗୁରୁଦାୟିତ୍ୱ ରହିଛି ବୋଲି ଶ୍ରୀ ସିଂ କହିଛନ୍ତି । ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ଅନିଲ ଚୌଧୁରୀ, ସେକ ମସ୍ତାନ ଭାଲି ପ୍ରମୁଖ ଯୋଗ ଦେଇ ପ୍ରେରକ ପ୍ରଶିକ୍ଷଣ ଶିବିରରେ ବକ୍ତବ୍ୟ ପ୍ରଦାନ କରିଥିଲେ ।