ଯନ୍ତରମନ୍ତର ସମ୍ପର୍କରେ ଅଜଣା କଥା

ଯନ୍ତ୍ର ମନ୍ତ୍ରରୁ ଯନ୍ତରମନ୍ତରର ସୃଷ୍ଟି । ପ୍ରକୃତପକ୍ଷେ ଏହା ହେଉଛି ଏକ ପର୍ଯ୍ୟବେକ୍ଷଣାଗାର, ଯେଉଁଠାରେ ପୂର୍ବେ ବିଭିନ୍ନ ଯନ୍ତ୍ର ତଥା ବସ୍ତୁ ସାହାଯ୍ୟରେ ସମୟ ନିର୍ଦ୍ଧାରଣ କରାଯିବା ସହିତ ସୂର୍ଯ୍ୟ, ଚନ୍ଦ୍ର ତଥା ଗ୍ରହମାନଙ୍କର ସ୍ଥିତି ଏବଂ ଗତି ନିରୂପଣ କରାଯାଉଥିଲା । ଇତିହାସରୁ ଯାହା ଜଣାଯାଏ, ଅଷ୍ଟାଦଶ ଖ୍ରୀଷ୍ଟାବ୍ଦରେ ମହାରାଜା ସୱାଇ ଜୟସିଂହ (ଦ୍ୱିତୀୟ) ଏହି ଯନ୍ତରମନ୍ତରର ନିର୍ମାଣ କରାଇଥିଲେ । ସେତେବେଳେ ରାଜସ୍ଥାନର ଜୟପୁରରେ ଏହି ରାଜାଙ୍କର ରାଜତ୍ୱ ଥିଲା । ଆଉ ତାଙ୍କ ଦ୍ୱାରା ହିଁ ନୂଆଦିଲ୍ଲୀ, ଜୟପୁର, ଉଜ୍ଜୟିନୀ, ମଥୁରା ଏବଂ ବାରାଣସୀରେ ପୃଥକ୍ ପୃଥକ୍ ୫ଟି ଯନ୍ତରମନ୍ତର ଗଢ଼ାଯାଇଥିଲା । ଏବେ ବି ଏହିସବୁ ଐତିହାସିକ କୀର୍ତ୍ତିରାଜିଗୁଡ଼ିକ ଅକ୍ଷୁର୍ଣ୍ଣ ଅବସ୍ଥାରେ ରହିଛି । ତେବେ ଏହି ୫ଟି ଯନ୍ତରମନ୍ତର ମଧ୍ୟରୁ ଜୟପୁରସ୍ଥିତ ଯନ୍ତର ମନ୍ତରଟି ହେଉଛି ସବୁଠାରୁ ବଡ଼ ଆଉ ଆକର୍ଷଣୀୟ । ସେଥିପାଇଁ ତାକୁ ୟୁନେସ୍କୋ ୱାଲର୍ଡ ହେରିଟେଜ୍ ସାଇଟ୍‌ର ମାନ୍ୟତା ମିଳିଛି ।
ଜୟପୁର ସ୍ଥିତ ଏହି ପର୍ଯ୍ୟବେକ୍ଷଣାଗାରରେ ୧୯ଟି ଭିନ୍ନ ଭିନ୍ନ ଏମିତି ସ୍ୱତନ୍ତ୍ର ଯନ୍ତ୍ର ରହିଛି, ଯାହା ମାଧ୍ୟମରେ ସମୟ ନିରୂପଣ କରାଯିବା ସହିତ ଚନ୍ଦ୍ରଗ୍ରହଣ ସମ୍ପର୍କିତ ଭବିଷ୍ୟବାଣୀ ମଧ୍ୟ ଜାଣି ହେଉଥିଲା । ସେହିପରି ସୌରମଣ୍ଡଳୀୟ ଗ୍ରହ ତଥା ତାରାମାନଙ୍କର ସ୍ଥିତି ଏବଂ ଗତି ସମ୍ପର୍କରେ ତଥ୍ୟ ମଧ୍ୟ ଏହି ଯନ୍ତ୍ରଗୁଡ଼ିକ ସାହାଯ୍ୟରେ ନିରୂପଣ କରି ହେଉଥିଲା । ଏବେ ମଧ୍ୟ ଏହି ଯନ୍ତ୍ରଗୁଡ଼ିକୁ ଦେଖିଲେ ଅନୁମାନ କରିହୁଏ ଯେ, ଭାରତୀୟ ଲୋକମାନଙ୍କର ଗଣିତ ତଥା ଜ୍ୟୋତିଷ ଶାସ୍ତ୍ରରେ କେତେ ଗଭୀର ଜ୍ଞାନ ଥିଲା । ଯେଉଁଥିପାଇଁ ସେମାନେ ତାଙ୍କର ଜ୍ଞାନକୁ ବିନିଯୋଗ କରି ଏପରି ଏକ ଶିକ୍ଷଣୀୟ ପର୍ଯ୍ୟବେକ୍ଷଣାଗାର ଗଠନ କରିବାରେ ସହାୟକ ହୋଇଥିଲେ ।
ଜୟପୁରସ୍ଥିତ ଯନ୍ତର ମନ୍ତରରେ ଥିବା ୧୯ଟି ପ୍ରମୁଖ ଯନ୍ତ୍ର ହେଉଛି ବୃହତ୍ ସମ୍ରାଟ ଯନ୍ତ୍ର, ଲଘୁ ସମ୍ରାଟ ଯନ୍ତ୍ର, ଜୟପ୍ରକାଶ ଯନ୍ତ୍ର, ରାମ ଯନ୍ତ୍ର, ଧ୍ରୁବ ଯନ୍ତ୍ର, ଦକ୍ଷିଣା ଭିତ୍ତି ଯନ୍ତ୍ର, ନାଡି ବଳୟ ଯନ୍ତ୍ର, ରାଶି ବଳୟ ଯନ୍ତ୍ର, ଦିଶା ଯନ୍ତ୍ର, ସତାଂଶ ଯନ୍ତ୍ର, ଉନ୍ନତାଂଶ ଯନ୍ତ୍ର, ଦିଗଂଶା ଯନ୍ତ୍ର, ଯନ୍ତ୍ର ରାଜ ଯନ୍ତ୍ର, କପାଳି ଯନ୍ତ୍ର, କନାଳି ଯନ୍ତ୍ର, କ୍ରାନ୍ତି ଭ୍ରିତ୍ତା ଯନ୍ତ୍ର, ଚକ୍ର ଯନ୍ତ୍ର, ମିଶ୍ର ଯନ୍ତ୍ର, ପଲ୍ଲଭ ଯନ୍ତ୍ର । ପ୍ରତି ଯନ୍ତ୍ରର ଭିନ୍ନ ଭିନ୍ନ କାମ ରହିଥାଏ । ଯାହା ସମ୍ପର୍କରେ ସବିଶେଷ ବିବରଣୀ ଏଠାକୁ ଗଲେ ଆରାମରେ ପର୍ଯ୍ୟଟକ ପାଇପାରିବେ । ତା’ଛଡ଼ା ଏହି ସମସ୍ତ ଯନ୍ତ୍ର ଏବେ ବି ଅକ୍ଷୁର୍ଣ୍ଣ ଆଉ ଆକର୍ଷଣୀୟ ଅବସ୍ଥାରେ ରହିଥିବାରୁ ଏହି ସ୍ଥାନକୁ ୱାଲର୍ଡ ହେରିଟେଜ୍ ସାଇଟ୍‌ର ମାନ୍ୟତା ମିଳିଛି । ଯେଉଁଥିପାଇଁ ଏଠାକୁ ସବୁବେଳେ ପର୍ଯ୍ୟଟକଙ୍କର ସୁଅ ଛୁଟୁଛି ।
ଶୁଣିବାକୁ ମିଳେ ମହାରାଜା ସୱାଇ ଜୟସିଂହ (ଦ୍ୱିତୀୟ) ଜୟପୁରରେ ଏହି ପର୍ଯ୍ୟବେକ୍ଷଣାଗାର କରିବା ପୂର୍ବରୁ କୁଆଡ଼େ ବିଭିନ୍ନ ଦେଶକୁ ନିଜର ଶାନ୍ତିଦୂତଙ୍କୁ ପ୍ରେରଣ କରିଥିଲେ । ଆଉ ସେହିସବୁ ସ୍ଥାନରୁ ଗଣିତ ତଥା ଜ୍ୟୋତିଷ ଶାସ୍ତ୍ର ସମ୍ପର୍କିତ ବିଭିନ୍ନ ପାଣ୍ଡୁଲିପି ମଗାଇ ତାକୁ ପଢ଼ି ପ୍ରଥମେ ନିଜେ ଜ୍ଞାନ ଆହରଣ କରିଥିଲେ । ପରବର୍ତ୍ତୀ ସମୟରେ ଅନ୍ୟମାନେ କିପରି ଏହାକୁ ସହଜରେ ବୁଝିପାରିବେ ସେଥିପାଇଁ ସେହି ପାଣ୍ଡୁଲିପିଗୁଡ଼ିକୁ ସରଳ ଭାଷାରେ ଅନୁବାଦ ବି କରାଇଥିଲେ । ସେହିପରି କୁହାଯାଏ, ଏବେ ବି ଜୟପୁରସ୍ଥିତ ଏହି ପର୍ଯ୍ୟବେକ୍ଷଣାଗାରରେ ଥିବା ଯନ୍ତ୍ରଗୁଡ଼ିକ ଦ୍ୱାରା କରାଯାଉଥିବା ଗଣନାକୁ ଆଧାର କରି ଏଠାରେ ପାଞ୍ଜି ପ୍ରସ୍ତୁତ ହେଉଛି ଏବଂ ତଦନୁଯାୟୀ ରୀତିନୀତି ପାଳନ କରାଯାଉଛି । ରାଜସ୍ଥାନର ଜୟପୁର ସ୍ଥିତ ପ୍ରସିଦ୍ଧ ସିଟି ପ୍ୟାଲେସ୍ ଓ ହାୱା ମହଲ ନିକଟବର୍ତ୍ତୀ ଅଞ୍ଚଳରେ ଏହି ଯନ୍ତରମନ୍ତର ଅବସ୍ଥିତ । ଯେଉଁଠାକୁ ଯିବା ପାଇଁ ଗମନାଗମନର ଭଲ ବ୍ୟବସ୍ଥା ରହିଛି । ତା’ଛଡ଼ା ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ମଧ୍ୟ ଉପଲବ୍ଧ ଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ