ଯଶିପୁର ବିଧାୟକଙ୍କ ଅଚାନକ ବାଳିକା ବିଦ୍ୟାଳୟ ପରିଦର୍ଶନ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମଙ୍ଗଳବାର ପୂର୍ବାହ୍ନରେ ଯଶିପୁର ବିଧାୟକ ଇଂ ଶ୍ରୀଯୁକ୍ତ ଗଣେଶରାମ ସିଂ ଖୁଣ୍ଟିଆଙ୍କ ଗସ୍ତ ସମୟରେ ଭଂଜକିଆ ନୋଡାଲ ଉ.ପ୍ରା.ବିଦ୍ୟାଳୟ ପ୍ରାଙ୍ଗଣରେଥିବା ଆଦିବାସୀ ହୋଷ୍ଟେଲ ପରିଦର୍ଶନ ସମୟରେ କୋମଳମତି ପିଲାମାନଙ୍କ ରହିବା ଏବଂ ଖାଇବା ବିଷୟ ସହିତ ଅନ୍ୟାନ୍ୟ ସୁବିଧା ଅସୁବିଧା ସମ୍ପର୍କ ରେ ଟିକିନିଖି ଛାତ୍ର ଛାତ୍ରୀଙ୍କ ଠାରୁ ପଚାରି ବୁଝିଥିଲେ । ଉକ୍ତ ସମୟରେ ଛାତ୍ରାବାସର ସ୍ଥିତି ଖରାପଥିବାର ଦେଖି ଦାୟିତ୍ବରେ ଥିବା ଶିକ୍ଷକ, ମେଟ୍ରନ ଏବଂ ସହକାରୀ ଶିକ୍ଷକ ମାନଙ୍କୁ ତାଗିଦ କରିଥିଲେ । ଗ୍ରୀଷ୍ମ ସମୟରେ ମଧ୍ୟ ହୋଷ୍ଟେଲ ଗୁଡିକର ପଙ୍ଖା ଏବଂ ପରିସ୍କାର ପରିଛନ୍ନତା ନ ଦେଖି କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ମେଟ୍ରନ ମାନଙ୍କୁ ସ୍ୱଛତା ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ କରିଥିଲେ । ସରକାରଙ୍କ ସମସ୍ତ ସୁବିଧା ସତ୍ତ୍ୱେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବାର ଦେଖି ଉପରିସ୍ଥ ଅଧିକାରୀଙ୍କୁ ବିଧାୟକ ଭବିଷ୍ୟତରେ ଏଭଳି ନ ହେବାକୁ ତାଗିଦ ପ୍ରଦାନ କରିଥିଲେ । ବଲାଣପୋଷି ଏସ୍.ଏସ୍.ଡି. ବିଦ୍ୟାଳୟ ର ହୋଷ୍ଟେଲ ପରିଦର୍ଶନ ସମୟରେ କୌଣସି ହୋଷ୍ଟେଲ ଇନ୍ ଚାର୍ଜ କିମ୍ବା ପ୍ରଧାନ ଶିକ୍ଷକ ନ ଥିବାର ଦେଖି ବିଧାୟକ ମହୋଦୟ ଗଭୀର କ୍ଷୋଭ ପ୍ରକାଶ କରିଥିଲେ । ଉକ୍ତ ବିଦ୍ୟାଳୟଗୁଡିକୁ ପରିଦର୍ଶନ କରିବା ସମୟରେ ବି.ଜେ.ପି. ରରୁଁଆ ମଣ୍ଡଳ ସଭାପତି ରତିକାନ୍ତ ସିଂ କାଟିଆର, ପଶ୍ଚିମ ମୟୂରଭଞ୍ଜ ଉପ ସଭାପତି ବିପିନ୍ ବିହାରୀ ମହାନ୍ତ, ଯୁବମୋର୍ଚ୍ଚା ଉପସଭାପତି ଧରଣୀଧର ବାରିକ,ସମାଜସେବୀ ବିଜୟ କୁମାର ମହାକୁଡ, ନାଗେନ୍ଦ୍ର ବାରିକ, ରୀମା ମହାନ୍ତ ପ୍ରଭୃତି ବହୁ ମାନ୍ୟଗଣ୍ୟ ଭଦ୍ରବ୍ୟକ୍ତି ଉପସ୍ଥିତଥିଲେ ।।


