ଯାଜପୁରରେ ଆରଏସ୍ଏସ୍ର ସେବାକାମ
ଯାଜପୁର (ଓ୍ବାଇଏନ୍ଏସ୍) : କରୋନା ମହାମାରୀ ର ଜରୁରୀ କାଳିନ ପରିସ୍ଥିତିରେ ସମଗ୍ର ଦେଶରେ ଲକ୍ଡାଉନ୍ ଜାରି ହୋଇଛି । ଏହି ଭଳି ଜଟିଳ ସ୍ଥିତିରେ ଚିକିତ୍ସାକାରୀ ଡାକ୍ତର ଓ କର୍ମଚାରୀ, ପୋଲିସ ପ୍ରଶାସନ, ଗଣମାଧ୍ୟମ ସଂସ୍ଥାମାନେ ଜନସାଧାଣଙ୍କ ଚିକିତ୍ସା ଲକ୍ଡାଉନ୍ ସମୟରେ ସାମାଜିକ ଦ୍ୱରତ୍ୱ ଓ ସଚେତନତା କ୍ଷେତ୍ରରେ ସେମାନଙ୍କ ନିଷ୍ଠାପର ସେବା ଏବଂ ଅନେକ ପ୍ରକାର ସେବା ଜାରିରଖିଛନ୍ତି । ସେହିପରି ସାଧାରଣ ଲୋକଙ୍କୁ ଅତ୍ୟାବଶ୍ୟକୀୟ ରାସନ ସାମଗ୍ରୀ ଯୋଗାଣ ଓ ସଂକ୍ରମଣ ପ୍ରତିଷେଧକ ମାସ୍କ ବିତରଣ ତଥା ଗରୀବ ମାନଙ୍କୁ ରନ୍ଧାଖାଦ୍ୟ ବିତରଣ ଓ ପଶୁପକ୍ଷୀ ମାନଙ୍କୁ ଖାଦ୍ୟ ବଂଟନ,ବିଭିନ୍ନ ସ୍ଥାନକୁ ଜୀବାଣୁ ମୁକ୍ତ କରିବା ପାଇଁ ବିଶୋଧିତ ଜଳ ସିଂଚନ, ହାତ ଧୋଇବା, ଘରେ ରହିବା ସୁସ୍ଥ ରହିବା ଏବଂ ସାମାଜିକ ଦୂରତ୍ୱ ଆଦି ଜନସଚେତନତା କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଯାଜପୁର ଜିଲ୍ଲା ତରଫରୁ ଯୋରଦାର କରାଯାଇଛି । ଯାଜପୁରର ସ୍ୱୟଂସେବକମାନେ ବିଝାଂରପୁର ଅଂଚଳରେ ସାତ ଦିନ ଧରି ସାନିଟାଇଜ କରିଥିଲେ । ୪୦ ଜଣ ସ୍ୱୟଂସେବକ ୧୦ଟି ପଂଚାୟତର ବିଭିନ୍ନ ଗ୍ରାମ ବୁଲି ମନ୍ଦିର,ବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ, ଚିକିତ୍ସାଳୟ ଆଦି ବିଭିନ୍ନ ସ୍ଥାନକୁ ଜୀବାଣୁ ମୁକ୍ତ କରିବା ପାଇଁ ବିଶୋଧିତ ଜଳ ସିଂଚନ କରିଛନ୍ତି । ବିବେକାନନ୍ଦ ସାୟଂ ଶାଖାର ସ୍ୱୟଂସେବକମାନେ ମଧ୍ୟ ୫ଟି ଗାଁରେ ଘର ଘର ବୁଲି ସାନିଟାଇଜ କରିଛନ୍ତି । ବ୍ୟାସନଗରରେ ସାତ ଦିନ ପାଇଁ ୧୫ଟି ପରିବାରକୁ ଚାଉଳ, ଡାଲି, ଆଳୁ, ପିଆଜ, ଚୁଡା, ହଳଦୀ ଆଦି ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ ସ୍ୱୟଂସେବକ । ଜଗନ୍ନାଥ ଶାଖା କାଚ ଗୁଡିସାହି ତରଫରୁ ହାତ ଧୋଇବା ଓ ସମଦୂରତା ରଖିବା ପାଇଁ ଜନ ଜାଗରଣ ସୃଷ୍ଟି କରାଯାଇଛି । ମାର୍ଚ୍ଚ ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଦିବ୍ୟାଙ୍ଗ, ଅସହାୟ, ନିରାଶ୍ରୟ ଆଦି ୬୫ ଜଣଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ବରୀ ଖଣ୍ଡର ୪୦ଟି ସ୍ଥାନରେ ୨୫୦ ପ୍ୟାକେଟ ଶୁଖିଲା ଖାଦ୍ୟ, ୨୦ଟି ସ୍ଥାନରେ ୩୦୦୦ ମାସ୍କ ବଂଟନ କରାଯାଇଛି । ଏସବୁ କାମରେ ୪୦ରୁ ଉର୍ଦ୍ଧ୍ୱ ସ୍ୱୟଂସେବକ ଲାଗିଛନ୍ତି । ସୁକିନ୍ଦାର ସାନ୍ତରାପୁର, ବରପାଳ, ଜାମୁକୋଳି ଗ୍ରାମରେ ସ୍ୱୟଂସେବକମାନେ ୧୬ଟି ପରିବାରକୁ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ପ୍ରଦାନ କରିଥିଲେ ।