ଯାଜପୁର ରୋଡ଼ ରେ ଖୋଲିବ ବିଗ୍ ବଜାର
ଯାଜପୁର -: ଯାଜପୁର ଜିଲା ବ୍ୟାସନଗର ସହରରେ ବିଗ୍ ବଜାର ଖୋଲିବ । ପୈାରାଞ୍ଚଳର ଚୋରଦା ବାଇପାସ୍ ଠାରେ ଉତ୍କଳ ସେଣ୍ଟର ପଏଣ୍ଟ ଠାରେ ଏହା ଖୋଲିବାକୁ ଯାଉଥିବା ବେଳେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ସେଣ୍ଟର ପଏଣ୍ଟର ଚେୟାରମ୍ୟାନ ସୁବାଷ ଭୁରା ଏବଂ ମୁଖ୍ୟ ପରିଚାଳକ ଶରଦ ବୈଦ ସୂଚନା ଦେଇଛନ୍ତି । ଉତ୍କଳ ସେଣ୍ଟର ପଏଣ୍ଟରେ ସବୁ ଶ୍ରେଣୀର ଗ୍ରାହକଙ୍କ ଆବଶ୍ୟକତା ପୂରଣ ଏବଂ ଉନ୍ନତମାନର ଦୋକାନ ମାନ ଖୋଲିବ । କଳିଙ୍ଗନଗର ଶିଳ୍ପାଞ୍ଚଳ ଗଢି ଉଠିବା ପରେ ଏଠାରେ ଏକ ମଲର ଆବଶ୍ୟକତା ରହିଥିବା ବେଳେ ଉତ୍କଳ ସେଣ୍ଟର ପଏଣ୍ଟ ଏହାକୁ ପୂରଣ କରିବାକୁ ଯଥା ଉଦ୍ୟମ କରିଥିଲା । ସହରର ବିକାଶ ଘଟୁଥିବାରୁ ଉତ୍କଳ ବିଲଡ଼ର ଲିମିଟେଡ଼ ଆଧୁନିକ ସପିଂ ମଲ ଖୋଲିବାକୁ ଉଦ୍ୟମ କରିଥିଲା । ସପିଂ ମଲ ଖୋଲିବା ଫଳରେ ପ୍ରତ୍ୟକ୍ଷ ଭାବେ ୪ଶହ ବେକାର ଯୁବକ-ଯୁବତୀ ନିଯୁକ୍ତିର ସୁଯୋଗ ପାଇବାକୁ ଥିବା ବେଳେ ପରୋକ୍ଷରେ ହଜାର ହଜାର ବେକାର ଆର୍ଥିକ ସୁବିଧା ହାସଲ କରିପାରିବେ । ବ୍ୟାସନଗର କେବଳ କଳିଙ୍ଗନଗର ନୁହେଁ, କେନ୍ଦୁଝର, ଢେଙ୍କନାଳ ଏବଂ ଯାଜପୁର ଜିଲାର ବ୍ୟବସାୟୀକ କେନ୍ଦ୍ର ହୋଇଥିବାରୁ ଏହି ସପିଂମଲ ସମସ୍ତଙ୍କ ଆବଶ୍ୟକତା ପୂରଣ କରିପାରିବ । ଭୁବନେଶ୍ୱର ପରେ ବ୍ୟାସନଗର ମଲ ରାଜ୍ୟର ଦ୍ୱିତୀୟ ବୃହତ ମଲ ଭାବେ ପରିଗଣିତ ହେବ । ପଡ଼ୋଶୀ ଭଦ୍ରକ ଏବଂ ଅନ୍ୟ ଜିଲାର ଲୋକେ ଏହି ମଲ ସାମଗ୍ରିକ ଅର୍ଥନୈତିକ ବିକାଶରେ ସହାୟକ ହେବ ବୋଲି କହିଛନ୍ତି ଚେୟାରମ୍ୟାନ ସୁବାଷ ଭୁରା ।