ଯାଜପୁର ସହରରେ ଆଜି ଲକଡାଉନ ଦ୍ୱିତୀୟ ଦିନରେ ଚାଲିଥିବା ବେଳେ ଲୋକେ ଏହାକୁ ସମର୍ଥନ ଜଣାଇଛନ୍ତି
ଯାଜପୁର:କୋରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରକୁ ସରକାର ଲକ ଡାଉନ ଘୋଷଣା କରିଛନ୍ତି । ଏଥିରେ ଯାଜପୁର ଜିଲ୍ଲାର ଯାଜପୁର ରୋଡ ଓ ଯାଜପୁର ସହରକୁ ସାମିଲ କରାଯାଇଛି । ଯାଜପୁର ସହରରେ ଆଜି ଲକଡାଉନ ଦ୍ୱିତୀୟ ଦିନରେ ଚାଲିଥିବା ବେଳେ ଲୋକେ ଏହାକୁ ସମର୍ଥନ ଜଣାଇ ନିଜ ନିଜ ଘରେ ପରିବାରଙ୍କ ସହିତ ରହୁଛନ୍ତି । ସହରରେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଲେ ପ୍ରାୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ସହରକୁ ସଂଯୋଗ କରୁଥିବା ତିନିଗୋଟି ପ୍ରବେଶ ପଥରେ ପୋଲିସ ପକ୍ଷରୁ ବାହାରୁ ଆସୁଥିବା ଲୋକଙ୍କୁ ସହର ମଧ୍ୟକୁ ନଯିବା ଲାଗି ବାରଣ କରାଯାଉଛି । ସେହିପରି କେତେଜଣ ଏହି ଲକଡାଉନକୁ ନମାନି ସହରରେ ବୁଲୁଥିବା ଦେଖିବାକୁ ମିଳିଛି । ଜିଲ୍ଲାପାଳ ରଂଜନ କୁମାର ଦାସ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଏବଂ ଏସପି ଚରଣ ସିଂ ମିନା ସହରରେ ବୁଲି ପରିସ୍ଥିତି ଉପରେ ନଜର ରଖିବା ସହିତ ଲୋକମାନଙ୍କୁ ଏସମ୍ପର୍କରେ ସଚେତନ କରୁଛନ୍ତି । ଏହି ଲକ ଡାଉନ ସମୟରେ ଯୋଉଁମାନେ ବିନା କାରଣରେ ବାହାରେ ବୁଲିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠନ ନିଆଯିବ ଏପରିକି ସେମାନଙ୍କୁ ଗିରଫ କରିବା ଲାଗି ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।