ଯାତାୟତ ସମସ୍ୟା ଭୋଗୁଛନ୍ତି ମହାପୋଖରୀ ବାସୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାସ୍ତା ନିର୍ମାଣ ନହେଲେ ଭୋଟ ବର୍ଜନ ନିଷ୍ପତ୍ତି
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ନଗୁଆଁ ପଞ୍ଚାୟତ ଶାସନ ମହାପୋଖରୀ ଦୀର୍ଘ ବର୍ଷ ହେବ ଯାତାୟତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ନଗୁଆଁ ବଜାର ସ୍ଥିତ ଗ୍ରାମ୍ୟ ଉନ୍ନୟନ ରାସ୍ତା ଠାରୁ ଉକ୍ତ ଗାଁକୁ କେନାଲ ବନ୍ଧ ରାସ୍ତା ଲମ୍ବିଥିବା ବେଳେ ଦୀର୍ଘ ବର୍ଷ ହେବ ଏହାର ମରାମତି ହେଉନାହିଁ। ଗାଁର ପ୍ରାୟ ୪୦ରୁ ଉର୍ଦ୍ଧ୍ବ ପରିବାର ରାତିପାହିଲେ ହାଇଲେବୁଲ କେନାଲ ବନ୍ଧ ୫ଶହ ମିଟର ରାସ୍ତାକୁ ଅତିକ୍ରମ କରି ମୁଖ୍ୟ ରାସ୍ତାକୁ ଆସିଥାନ୍ତି । ଏହାଛଡା ଏହି କେନାଲ ରାସ୍ତା ଦେଇ ପଞ୍ଚାୟତର ବାଲିଗଡ଼ିଆ ଓ ଆଖପାଖ ଗାଁର ଲୋକେ ଅପରପାର୍ଶ୍ୱ ବନ୍ତ ବ୍ଲକ ବରଡେଶ୍ୱର ପୀଠକୁ ଯାଇଥାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ବର୍ଷକ ଖରା ଆଠ ମାସ ଯେନତେନ ଉପାୟରେ ଶାସନବାସୀ ମାନେ କେନାଲ ବନ୍ଧ ରାସ୍ତାରେ ଯାତାୟତ କରୁଥିବା ବେଳେ ବର୍ଷା ଦିନ କଥା ନକହିବା ଭଲ। ଆକାଶରେ କଳା ମେଘ ଦେଖାଦେଲେ ନିକଟ ନଗୁଆଁ ବଜାରରେ ଥିବା ସାଇକେଲ, ମୋଟର ସାଇକେଲ ଆରୋହୀ ଗ୍ରାମବାସୀମାନେ ତରତର ହୋଇ ଘରକୁ ଫେରି ଯାଆନ୍ତି। ଯଦିବା କିଏ କେମିତି ଦୂରଦୂରାନ୍ତରେ ରହି ଯାଇଥିବ ତାହେଲେ ବର୍ଷା ପରେ ଗାଁକୁ ଗାଡି ନେଇଯିବା କାଠିକର ପାଠ ହୋଇଥାଏ। ସବୁଠାରୁ ଦୁଃଖର କଥା ହେଲେ ସୁବିଧା ଅସୁବିଧା ସମୟରେ ଶାସନ ବାସୀଙ୍କ ନିକଟକୁ ୧୦୮କିମ୍ବା ଅଗ୍ନିଶମ ଗାଡି କେନାଲ ବନ୍ଧରେ ଯିବା ଆଦୌ ସମ୍ଭବ ହୋଇନଥାଏ । ଲୋକଙ୍କ ଯାତାୟତ ସମସ୍ୟା ସହିତ ଗୁରୁତ୍ୱ ଦୃଷ୍ଟିରୁ ଉକ୍ତ ୫୦୦ମିଟର ରାସ୍ତାକୁ ନିର୍ମାଣ ପାଇଁ ଗ୍ରାମବାସୀ ମାନେ ଅନେକ ବାର ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜଳସମ୍ପଦ ବିଭାଗ ନିକଟରେ ଦାବି କରୁଥିଲେ ସୁଦ୍ଧା କେହି ଏହାକୁ ଶୁଣୁନାହାଁନ୍ତି । ସରକାର ଜନସାଧାରଣଙ୍କ ଯାତାୟତ ସୁରକ୍ଷା ଦୃଷ୍ଟିରୁ କୋଟିକୋଟି ଟଙ୍କା ବ୍ୟୟ କରୁଥିଲେ ସୁଦ୍ଧା ଏଠି କିନ୍ତୁ ତାହା ସାତ ସପନ ପାଲଟି ଯାଇଛି । ଏ ବାବଦରେ ସ୍ଥାନୀୟ ସରପଞ୍ଚ କମଳ କୁମାର ନନ୍ଦଙ୍କ ମତାମତ ନେବାରୁ ଏହି କେନାଲ ବନ୍ଧ ରାସ୍ତାଟି ଆଖୁଆପଦା ଜଳସମ୍ପଦ ବିଭାଗ ହାତରେ ଥିବା ବେଳେ ଏଠାରେ ପଞ୍ଚାୟତ ପକ୍ଷରୁ ନିର୍ମାଣ କାର୍ଯ୍ୟ କରିବା ସମ୍ଭବ ନୁହେଁ । ତେଣୁ ଜଳସମ୍ପଦ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଅନେକ ବାର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଦାବି ଜଣାଇଛନ୍ତି । ଏପଟେ ପଂଚାୟତ ନିର୍ବାଚନ ପୂର୍ବରୁ ରାସ୍ତା ନିର୍ମାଣ ନହେଲେ ସମୂହ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ ଶଙ୍କର୍ଷଣ ପଣ୍ଡା, ଚନ୍ଦ୍ରମଣି ବେହେରା, ଶ୍ରୀରାମ ପଣ୍ଡା, କାର୍ତ୍ତିକ ପଣ୍ଡା, ସୁଧାକର ପଣ୍ଡା, ସୀତାକାନ୍ତ ପେରେଇ, ଶଶିକାନ୍ତ ବେହେରା, ଗଜେନ୍ଦ୍ର ଅରଖ, ଗୁଲନ ଅରଖ, ଯାଇନ ଅରଖ ପ୍ରମୁଖ ଚେତାବନୀ ଦେଇଛନ୍ତି ।