ଯାତ୍ରାରେ ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍ର ୩ଦିନିଆ ସେବା ଶିବିର

ଦିଗପହଣ୍ଡି : ଦିଗପହଣ୍ଡି ବ୍ଳକ୍ ବଡଡୁମୁଳାରେ ଚାଲିଥିବା ମା ବାଙ୍କେଶ୍ୱରୀ ଯାତ୍ରାରେ ଭକ୍ତମାନଙ୍କୁ ସେବା ଯୋଗାଇଦେବାକୁ ଭାରତ ସ୍କାଉଟ୍ ଆଣ୍ଡ୍ ଗାଇଡ୍ ପକ୍ଷରୁ ତିନିଦିନିଆ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଦକ୍ଷିଣାଞ୍ଚଳର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ପୀଠ ମାଁ ସିଦ୍ଧ ବାଙ୍କେଶ୍ୱରୀଙ୍କ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ତିନି ଦିନ ବ୍ୟାପୀ ଯାତ୍ରା ଉତ୍ସବ ହୋଇଥିଲା । ଉତ୍ସବ ଦୋଳପୂର୍ଣ୍ଣିମା ପୂର୍ବ ରାତିରୁ ଆରମ୍ଭ ହୋଇ ହୋଲି ପରଦିନ ପର୍ଯ୍ୟନ୍ତ ଚାଲିଥାଏ । ମାଁଙ୍କ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଥାଏ । ଏଠାରେ ନବଜାତ ଶିଶୁଙ୍କ ପ୍ରଥମ ମୁଣ୍ଡନ କରାଯାଇଥାଏ । ପରେ ଲଣ୍ଡିତ ମସ୍ତକକୁ ମାଁଙ୍କୁ ଦେଖାଇ ତାହାର ଉତ୍ତୋରତ୍ତର ଉନ୍ନତି ସକାଶେ ଆଶୀର୍ବାଦ ଭିକ୍ଷା କରାଯାଇଥାଏ । ଏଥିପାଇଁ ଦକ୍ଷିଣାଞ୍ଚଳ ଜିଲ୍ଲା ଗଜପତି, ରାୟଗଡା, କୋରାପୁଟ, କନ୍ଧମାଳ, ମାଲକାନିଗିରି, ନବରଙ୍ଗପୁର ସମେତ ପଡୋଶୀରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମ ବଙ୍ଗ ଓ ଛତିଶଗଡର ମଧ୍ୟ ଦର୍ଶନାର୍ଥୀ ମାନଙ୍କ ଭିଡ ହୋଇଥାଏ । ଭିଡକୁ ନିୟନ୍ତ୍ରଣ ଲାଗି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଥିବା ବେଳେ ଖେମୁଣ୍ଡି କଲେଜ ଦିଗପହଣ୍ଡି ଓ ଉଦୟ ପ୍ରତାପ ବିଜ୍ଞାନ ମହାବିଦ୍ୟାଳୟ ଶେରଗଡ ଏବଂ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାବିଦ୍ୟାଳୟ ବମକେଇରେ ଥିବା ଭାରତ ସ୍କାଉଟ୍ ଆଣ୍ଡ୍ ଗାଇଡ୍ର ରୋଭର୍ ଏବଂ ରେଞ୍ଜର୍ ଦଳ ପକ୍ଷରୁ ତିନି ଦିନ ଧରି ସେବା ଶିବିର ଆୟୋଜନ କରାଯାଇଥିଲା । ଶିବିରଟିକୁ ଶେରଗଡ ଉଦୟ ପ୍ରତାପ ବିଜ୍ଞାନ ମହାବିଦ୍ୟାଳୟର କ୍ରୀଡା ଅଧ୍ୟାପକ ସୁଧାଂଶୁ ମୋହନ ପ୍ରଧାନ, ଖେମୁଣ୍ଡି କଲେଜର କ୍ରୀଡା ଅଧ୍ୟାପକ ତଥା ସ୍କାଉଟ୍ ଆଣ୍ଡ୍ ଗାଇଡ୍ ରୋଭର୍ ଲିଡର୍ ଏସ୍.ସୀତାରାମ ମୂର୍ତ୍ତି ଓ ବମକେଇ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାବିଦ୍ୟାଳୟର କ୍ରୀଡା ଅଧ୍ୟାପକ ତଥା ରୋଭର୍ ଲିଡର୍ ପ୍ରଦୀପ କୁମାର ପ୍ରଧାନଙ୍କ ନେତୃତ୍ୱରେ ସେବା ଶିବିର ପରିଚାଳନା ହୋଇଥିଲା । ତିନୋଟି କଲେଜର ୨୫ ଜଣିଆ ଲେଖାଏଁ ୭୫ ଜଣ ରୋଭର୍ ରେଞ୍ଜର୍ ଛାତ୍ରଛାତ୍ରୀ ଯୋଗଦେଇ ଦର୍ଶନାର୍ଥୀଙ୍କୁ ସେବା ଯୋଗାଇଥିଲେ । ଯାତ୍ରା କମିଟି ଏବଂ ପୁଲିସ ପକ୍ଷରୁ ଶିବିରାର୍ଥୀମାନଙ୍କ ସେବା କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ