ଯାତ୍ରା ଗଣ୍ଡଗୋଳ ପ୍ରସଙ୍ଗ: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୩ ଗିରଫ
ବନ୍ତ,(ଯୁଗାବ୍ଦନ୍ୟୁଜ୍ : ବନ୍ତ ବଜାର ଠାରେ ଯାତ୍ରା ଗଣ୍ଡଗୋଳ ବେଳେ ଜନୈକ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯିବା ଘଟଣାରେ ପୋଲିସ ସୋମବାର ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ମାନେ ଟିଲୋ ଅଞ୍ଚଳର ଦଣ୍ଡା ରାଉତ, ପୁନିଆ ରାଉତ ଓ ଗଣେଶ ସ୍ୱାଇଁ ଅଟନ୍ତି । ପ୍ରକାଶ ଥାଉକି, ଗତ ୧୦ ତାରିଖ ବନ୍ତ ବଜାର ଠାରେ ଯାତ୍ରା ଦେଖିବାକୁ ଟିଲୋ ଗ୍ରାମର ଅଭିନାଶ ସ୍ୱାଇଁ ଆସିଥିବା ବେଳେ ଯାତ୍ରା ଟେଣ୍ଟ ପାଖରେ ୧୪ ଜଣ ବ୍ୟକ୍ତି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ତାଙ୍କ କାନରେ ଶକ୍ତ ଆଘାତ ଲାଗି ଥିଲା । ତାଙ୍କୁ ଚିକିତ୍ସା ନିମନ୍ତେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏନେଇ ଅଭିନାଶଙ୍କ ଅଭିଯୋଗ କ୍ରମେ ପୋଲିସ କେସ ନଂ-୨/୨୦ ମୂଳେ ମାମଲା ରୁଜ୍ଜୁ କରିଥିଲା । ହେଲେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିଲା । ଜଣେ ଅଭିଯୁକ୍ତକୁ ସ୍ଥାନୀୟ ଲୋକେ ଧରି ପୋଲିସର ଜିମା ଦେଇଥିଲେ ମଧ୍ୟ ପୋଲିସ ତାକୁ ଅସୁସ୍ଥ ଦର୍ଶାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏହାକୁ ନେଇ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ କରାଯିବା ସହ ଗତ ଦୁଇ ଦିନ ତଳେ ସାମ୍ବାଦିକ ସମ୍ମିଳନୀରେ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠାଇଥିଲା । ଫଳରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ଜଣାଯାଇଛି ।


