ଯାତ୍ରା ଦେଖି ଫେରୁଥିବା ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): କେ.ନୂଆଗାଁ ପୁଲିସ ରବିବାର ତେଣ୍ଟୁଆପଡ଼ା ଗ୍ରାମର ପେସାଦାର ଅପରାଧି ଲାଲୁ ପ୍ରସାଦ ସେଠୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା ଗ୍ରାମର ପ୍ରସାଦ ଗୌଡ଼ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସେ ସମ୍ପୃକ୍ତ ଥିଲେ ବୋଲି ଆଇଆଇସି କିଶୋର କୁମାର ସାମଲ କହିଛନ୍ତି।ଥାନା ମାମଲା ନଂ.୧୧୦/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ୨ ତାରିଖ ରାତି ପ୍ରାୟ ୧୧ ଟାରେ ପ୍ରସାଦ ଚିକିଟି ବ୍ଲକ ବଡ଼କେଳାଝରି ଗ୍ରାମରୁ ଯାତ୍ରା ଦେଖି ବାଇକ ଯୋଗେ ଗାଁ କୁ ଫେରୁଥିଲେ।କେ.ନୂଆଗାଁ ଥାନା ପହଁରାବାଡ଼ି ଗାଁ ରାସ୍ତାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଭିଯୁକ୍ତ ଲାଲୁ ପ୍ରସାଦ ଏବଂ ବଢେଇ ସନ୍ଧିଗାଁ ର ସଦାନନ୍ଦ ପ୍ରଧାନ ଙ୍କ ସମେତ ଅନ୍ୟକିଛି ଯୁବକ ତାଙ୍କୁ ରାସ୍ତାରେ ଜବରଦସ୍ତ ଅଟକାଇ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରି ହତ୍ୟା ଉଦ୍ଦେଶ୍ୟରେ ତାଙ୍କ ମୁଣ୍ଡକୁ ଖଣ୍ଡା ରେ ହାଣି ଦେଇଥିଲେ।ରକ୍ତାକ୍ତ ଅବସ୍ଥାରେ ପ୍ରସାଦ କୌଶଳକ୍ରମେ ଅଭିଯୁକ୍ତ ମାନଙ୍କ କବଳରୁ ଖସି ପଳାଇଥିଲେ। ଗୁରୁତର ଆହାତ ପ୍ରସାଦ ବମୋକେଇ ଗ୍ରାମ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ହେବା ପରେ ଘଟଣାର ପରଦିନ କେ.ନୂଆଗାଁ ଥାନାରେ ପହଞ୍ଚି ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇଆଇସି ଅଭିଯୁକ୍ତ ମାନଙ୍କ ନାଁ ରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ।ଘଟଣା ପରଠାରୁ ଫେରାର ଥିବା ଲାଲୁ କୁ ତଦନ୍ତକାରୀ ଅଧିକାରୀ ଏଏସଆଇ ତାରକେଶ୍ଵର ରାଓ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଲାଲୁ ଠାରୁ ଆକ୍ରମଣରେ ବ୍ୟବହୃତ ଖଣ୍ଡା କୁ ଜବତ କରାଯାଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।