ଯାତ୍ରୀବାହୀ ବସରେ ପାଳନ ହେଉନି କରୋନା ନିୟମ
ବିନା ମାସ୍କରେ ଯାତ୍ରୀ ପରିବହନ: ୩ ବସରୁ ୩ ହଜାର ୫ଶହ ଟଙ୍କା ଫାଇନ ଆଦାୟ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଯାତ୍ରୀବାହୀ ବସରେ କୌଣସି ପ୍ରତିଶେଧକ ବ୍ୟବସ୍ଥା ନିଆଯାଉନଥିବାରୁ ଏବେ ଯାତ୍ରୀବାହୀ ବସ କରୋନା ବାହକ ସାଜିବା ଆଶଙ୍କା କରାଯାଉଛି । ବିନା ମାସ୍କରେ ଯାତ୍ରୀ ଯାତାୟତ କରୁଥିବା ବେଳେ ଯାତ୍ରା ଶେଷ ପରେ ବସ୍ ଗୁଡ଼ିକୁ ସାନିଟାଇଜ କରାଯାଉନାହିଁ । ଏ ନେଇ ପ୍ରଶାସନ ପକ୍ଷରୁ ନିୟମ କରାଯାଇଥିଲେ ସୁଦ୍ଧା ବସ୍ କର୍ମଚାରୀ କିମ୍ବା ମାଲିକ ମାନେ ନିୟମ ମାନୁନଥିବା ଜଣାପଡ଼ିଛି । ଏବେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ମହାରାଷ୍ଟ୍ର, ଗୁଜୁରାଟ ଭଳି ରାଜ୍ୟରେ ଏହା ତ୍ରୀବ ଗତିରେ ଚାଲିଛି । ମୁମ୍ବାଇ, ସୁରତ ସହ ଗଞ୍ଜାମ ଜିଲ୍ଲାର ଦୌନିକ ସର୍ମ୍ପକ ଲାଗିରହିଛି । ପ୍ରତ୍ୟେକ ଦିନ ଟ୍ରେନରେ ମୁମ୍ବାଇ ଓ ସୁରତରୁ ଗଞ୍ଜାମ ଜିଲ୍ଲାର ଶହ ଶହ ଲୋକ ଆସି ବ୍ରହ୍ମପୁର ରେଳ ଷ୍ଟେସନରେ ଓହ୍ଲାଉଛନ୍ତି । ବ୍ରହ୍ମପୁର ଠାରୁ ନିଜ ନିଜ ଗ୍ରାମକୁ ଯାତ୍ରୀବାହୀରେ ଯାଉଛନ୍ତି । ମୁମ୍ବାଇ ଓ ସୁରତର ସ୍ଥିତି ବିଗିଡ଼ିବାରେ ଲାଗିଥିବା ବେଳେ ବର୍ତମାନ ଅଧିକରୁ ଅଧିକ ପ୍ରବାସୀ ନିଜ ଗାଁ ମୁହାଁ ହେଉଛନ୍ତି । ବସରେ ଯାତ୍ରା ପୂର୍ବରୁ ସମସ୍ତ ଯାତ୍ରୀ ଯେପରି ମାସ୍କ ପିନ୍ଧିବେ ତାହା ସୁନିଶ୍ଚିତ କରିବା ସହ ସାନିଟାଇଜ କରିବା ଭଳି ନିୟମ ମାନିବାକୁ ଗତବର୍ଷ ଜୁଲାଇରେ ବସ ମାଲିକ ଓ କର୍ମଚାରୀ ମାନଙ୍କୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ବସ ମାଲିକ ଓ କର୍ମଚାରୀ ମାନେ ପ୍ରଶାସନିକ କଟକଣାକୁ ଅବମାନନା କରୁଥିବା ମନେକରି ଗୁରୁବାର ରାତିରେ ହିଞ୍ଜିଳିକାଟୁ ପ୍ରଶାସନ ପକ୍ଷରୁ ବିଭିନ୍ନ ଯାତ୍ରୀବାହୀ ବସ ଗୁଡ଼ିକୁ ଯାଂଚ କରାଯାଇଥିଲା । ଯାଂଚ ସମୟରେ ୨ଟି ଦୃତଗାମୀ ବସରେ ଆବଶ୍ୟକୀୟ ବ୍ୟବସ୍ଥା ନଥିବାରୁ ପ୍ରତ୍ୟେକ ଗାଡ଼ିରୁ ୧୫ଶହ ଟଙ୍କା ଲେଖାଏଁ ୩ ହଜାର ଯଙ୍କା ଓ ସିଟି ବସ ଚାଳକ ମାସ୍କ ବ୍ୟବହାର କରିନଥିବାରୁ ୫ଶହ ଟଙ୍କା ସମୁଦାୟ ୨ହଜାର ୫ଶହ ଯଭ୍କା ଜୋରିମାନା ଆଦାୟ କରାଯାଇଥିଲା । ଆଗାମୀ ଦିନରେ ପ୍ରତ୍ୟେକ ଯାତ୍ରୀବାହୀ ବସ ଗୁଡ଼ିକରେ ସାନିଟାଇଜ ମହଜୁଦ ରଖିବା ସହ ବିନା ମାସ୍କରେ ଯାତ୍ରୀ ପରିବହନ ନକରିବାକୁ ପରାମର୍ଶ ଦିଆଯାଇଥିଲା । ଯାଂଚ ସମୟରେ ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭୀମନ୍ୟୁ ଦାସ ଓ ପୁଲିସ ଫୋର୍ସ ଅଂଶ ଗ୍ରହଣ କରିଥିଲେ ।


