ଯାନବାହନ ଚଳାଚଳ ନେଇ ଟ୍ରାଫିକ୍ କଟକଣା ଲାଗୁ
ବାଲେଶ୍ୱର, (ସରୋଜ ପଣ୍ଡା) :-ଦୁର୍ଘଟଣା, ଜୀବନହାନି ଏବଂ ଟ୍ରାଫିକ୍ ଜାମ୍ ହ୍ରାସ କରିବା ପାଇଁ ବାଲେଶ୍ୱର ସହରର କେତୋଟି ନିର୍ଦ୍ଦିଷ୍ଟ ରାସ୍ତାରେ ଭାରୀଯାନ ଚଳାଚଳ ନେଇ ଜିଲ୍ଲା ପ୍ରଶାସନ ତରଫରୁ କଟକଣା ଲାଗୁ କରାଯାଇଛି । ଆଇ.ଟି.ଆଇ. ଛକରୁ ଭାୟା ବାଲେଶ୍ୱର ବସ୍ଷ୍ଟାଣ୍ଡ, ଏଫ.ଏମ୍. ଗୋଲେଇ ଦେଇ ସୁରଜ ହୋଟେଲ ଛକ, ପୋଲିସ ଲାଇନ ଛକରୁ ଭାୟା ଏଫ.ଏମ୍. କଲେଜ ଦେଇ ହେମକାପଦା ଛକ, ଫକୀରମୋହନ ଗୋଲେଇରୁ ଭାୟା ଫାଣ୍ଡି ଛକ, ଚିଡିଆପୋଲ, ସଦର ମହକୁମା ଡାକ୍ତରଖାନା, ସିନେମା ଛକ ଏବଂ ମୋତିଗଞ୍ଜ ବଜାର ଦେଇ ଟାଉନ ଥାନା, ଷ୍ଟେସନ ଛକରୁ ଭାୟା ଏଡିଏମ ଛକ, ଜିଲ୍ଲା ସ୍କୁଲ ଦେଇ ପାଣି ଟାଙ୍କି ଛକ, ମିର୍ଜାପୋଖରୀ ଛକରୁ ଭାୟା ମାଣିଖମ୍ବ ଏବଂ ବାରବାଟୀ ଦେଇ ବୁଢା କାର୍ତିକ ଛକ, ମିର୍ଜାପୋଖରୀରୁ ଭାୟା ଟାଉନହଲ ଏବଂ ସିନେମା ଛକ ଦେଇ ବେବିଲୋନ ଛକ, ଟେକନିକାଲ ସ୍କୁଲ ଛକରୁ ଭାୟା ଏଡିଏମ ଛକ, ରାଜାବଗିଚା ଦେଇ ନାରୀସଂଘ,ଷ୍ଟେସନ ଛକରୁ ଭାୟା ନାରୀସଂଘ ଦେଇ ପଢୁଆଁପଦା ଛକ ପର୍ଯ୍ୟନ୍ତ ରାସ୍ତାଗୁଡିକରେ ସକାଳ ୮ଘଟିକା ୩୦ମିନିଟ୍ରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ହରିପୁର ପାଶ୍ୱର୍ରୁ ଆସୁଥିବା କେବଳ ଟ୍ରାକ୍ଟର, ମିନିଟ୍ରକ୍ ଗୁଡିକୁ ଆନନ୍ଦ ବଜାର, ମାଲଗୋଦାମ, ଭାସ୍କରଗଞ୍ଜ ଛକ, ତେଲେଙ୍ଗା ସାହି ଛକ, ପୋଲିସ ଲାଇନ ଛକ ଦେଇ ଆଇ.ଟି.ଆଇ.ଛକ ଆଡକୁ ଯିବା ଓ ସେହି ସମାନ ରାସ୍ତା ଦେଇ ଫେରିବାକୁ ଅନୁମତି ଦିଆଯିବ । ସେହିପରି ଚାନ୍ଦିପୁର ଅଂଚଳରେ ସମୁଦ୍ର ବେଳାଭୂମିରେ ଗାଡି ଚାଳନା ଯୋଗୁଁ ଘଟୁଥିବା ଅଘଟଣକୁ କମାଇବା ପାଇଁ ସୋନପୁର ଛକରୁ ଆରମ୍ଭ କରି ଚାନ୍ଦିପୁର ପାନ୍ଥନିବାସ ପର୍ଯ୍ୟନ୍ତ ଯାନ ଚାଳନା ନିଷେଧ ଥିବା ଅଂଚଳରେ ସମସ୍ତ ପ୍ରକାର ଯାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ଅନୁରୂପ ଭାବେ ଯାନବାହାନ ଚଳାଚଳ ପାଇଁ ଉଦ୍ଦିଷ୍ଟ ନ ଥିବା ତାଳସାରୀ ବେଳାଭୂମି ଅଂଚଳରେ ମଧ୍ୟ ସମସ୍ତ ପ୍ରକାର ଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଜିଲ୍ଲାପାଳ ଶ୍ରୀ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଦ୍ୱାରା ଅନୁମୋଦିତ ଆଦେଶନାମା ଅନୁଯାୟୀ ତା ୪.୭.୨୦୨୨ରିଖରୁ ତା ୨.୮.୨୦୨୨ରିଖ ପର୍ଯ୍ୟନ୍ତ ୩୦ଦିନ ପାଇଁ ଏହି ସମସ୍ତ କଟକଣା ବଳବତର ରହିବ ।