ଯୁଗଶ୍ରୀ ଟ୍ରଷ୍ଟ ପକ୍ଷରୁ ଶ୍ୟାମସୁନ୍ଦର ମହାପାତ୍ର ସ୍ମାରକୀ ବକ୍ତୃତା
ବାଲେଶ୍ୱର, (ସରୋଜ ପଣ୍ଡା):‘ଯୁଗଶ୍ରୀ ଟ୍ରଷ୍ଟ’ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଡ. ଶ୍ୟାମସୁନ୍ଦର ମହାପାତ୍ର ସ୍ମାରକୀ ବକ୍ତୃତା କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପୂର୍ବତନ କୁଳପତି ପ୍ରଫେସର କୁମରବର ଦାସ ଯୋଗଦେଇ ବିକାଶ, ଯୁଦ୍ଧ ଓ ସାମାଜିକ ସନ୍ତୁଳନ ଶୀର୍ଷକ ବିଷୟ ଉପରେ ଆଲୋକପାତ କରିଥିଲେ । ମଣିଷ ଜୀବନର ମଙ୍ଗଳ ଖୋଜି ମଙ୍ଗଳ ଗ୍ରହରେ ଜୀବନ ଖୋଜିବା ବିଜ୍ଞାନର ବିକାଶର ଏକ ବିଡ଼ମ୍ବନା ଭାବେ ଚିତ୍ରଣ ସହ ବିବେକ ଓ ଆଦର୍ଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ସୁବାସ ଚନ୍ଦ୍ର ପାତ୍ର ଶ୍ୟାମସୁନ୍ଦର ମହାପାତ୍ରଙ୍କ ଜୀବନାଦର୍ଶ ଉପରେ ଦୃଷ୍ଟାନ୍ତ ଦେଇ ତାଙ୍କୁ ଜଣେ ଉଜ୍ଜ୍ୱଳ ଜ୍ୟୋତିଷ୍କ ଭାବେ ଅଭିହିତ କରିଥିଲେ । ଟ୍ରଷ୍ଟର ଅଧ୍ୟକ୍ଷ ତଥା ଶ୍ୟାମସୁନ୍ଦର ମହାପାତ୍ରଙ୍କ ସୁପୁତ୍ର ଶୁଭଙ୍କର ମହାପାତ୍ର ଏଥିରେ ଉପସ୍ଥିତ ରହି ତାଙ୍କ ବାପା ଲଣ୍ଡନରେ ମେୟର ହେବା ସାଙ୍ଗକୁ ବିଶ୍ୱ ରାଜନୀତିରେ କିଭଳି ଚର୍ଚ୍ଚିତ ଓ ପ୍ରଭାବଶାଳୀ ରାଜନୀତିଜ୍ଞ ହୋଇପାରିଥିଲେ ଉଦାହରଣ ସହ ଉପସ୍ଥାପନ କରିଥିଲେ । ବିଶ୍ୱବିଦ୍ୟାଳୟ ପିଜି କାଉନ୍ସିଲ୍ ଚେୟାରମେନ ଡ. ମୁନେଶ ଚନ୍ଦ୍ର ଅଧିକାରୀ ଏହି କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ. ଜଗନ୍ନାଥ ବେହେରା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ବହୁ ଅଧ୍ୟାପକ ଓ ଅଧ୍ୟାପିକା ଏଥିରେ ଉପସ୍ଥିତ ଥିଲେ ।


