‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ସମାରୋହ ଅନୁଷ୍ଠିତ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱରରୁ ନିୟମିତ ଭାବେ ପ୍ରକାଶିତ ମାସିକ ମହିଳା ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ସମାରୋହ-୨୦୨୦ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଫେବୃଆରୀ ୧୮ ତାରିଖ ମଙ୍ଗଳବାର ସନ୍ଧ୍ୟା ୬ ଘଟିକା ସମୟରେ ଜୟଦେବ ଭବନ (ସୂଚନା ଭବନ) ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ ସମାରୋହରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ ଯୋଗଦେଇ ପତ୍ରିକାର ଗୁଣାତ୍ମକ ମାନ କମିଯାଉଥିବାରୁ କ୍ଷୋଭ ପ୍ରକାଶ କରି ‘ଯୁଗଶ୍ରୀ ଯୁଗନାରୀ’ ପତ୍ରିକା ଏହାର ଉତ୍କର୍ଷତା ପ୍ରତିପାଦନ କରିପାରିଥିବାରୁ ପତ୍ରିକାର ଶୁଭାକାମନା କରିଥିଲେ । ମୁଖ୍ୟବକ୍ତା ବିଶିଷ୍ଟ ପ୍ରାବନ୍ଧିକ ପ୍ରଫେସର ଡ. ବସନ୍ତ କୁମାର ପଣ୍ଡା ଏହି ପତ୍ରିକା ନାରୀ ପ୍ରାଣର ସ୍ପନ୍ଦନ ଭାବେ ସୁପ୍ରତିଷ୍ଠିତ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ବିଶିଷ୍ଟ ନାଟ୍ୟକାର ଓ ସୁସାହିତ୍ୟିକା ପ୍ରଫେସର ଡ. ସଂଘମିତ୍ରା ମିଶ୍ର ପତ୍ରିକାର ଉପାଦେୟତା ଓ ଗୁଣବତ୍ତା ଉପରେ ଆଲୋଚନା କରି ପାଠକମାନଙ୍କ ପାଇଁ ଏହା ପ୍ରେରଣାର ଉତ୍ସ ବୋଲି ଅଭିହିତ କରିଥିଲେ । ଶ୍ରୀମତୀ ମମତା ମହାପାତ୍ର, ସଂପାଦିକା, ‘ଯୁଗଶ୍ରୀ ଯୁଗନାରୀ’ ପୌରୋହିତ୍ୟ କରିଥିଲେ । ପତ୍ରିକାର ସହ ସମ୍ପାଦିକ ଡ. ପ୍ରଭାବତୀ ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ସାରସ୍ୱତ ସମାରୋହରେ ଯୁଗଶ୍ରୀ ଯୁଗନାରୀର ବାର୍ଷିକ ସଂଖ୍ୟା ଫେବୃୟାରୀ-୨୦୨୦ର ଉନ୍ମୋଚନ କରାଯାଇଥିଲା । ଏଥରର ସଂଖ୍ୟାରେ ଅଛନ୍ତି ଶିଶୁ ସାହିତ୍ୟିକା ଓ ସଂସାର ପତ୍ରିକାର ସମ୍ପାଦିକା ଶ୍ରୀମତୀ ଅନସୂୟା ନନ୍ଦ ଓ ତାଙ୍କର ସାକ୍ଷାତ୍କାର ନେଇଛନ୍ତି ଗାଳ୍ପିକା ରୁମ୍ଝୁମ୍ ନାୟକ । ଏଥିରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟ, ଇଂ ପ୍ରିୟବ୍ରତ ଦା, ଶନ୍ନୋ ଦେବୀ, ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଅବସର ବେଉରିଆ, ଶାଶ୍ୱତୀ ବଳ, ସୁଷମା ତେଜ, କୁନ୍ତଳା କୁମାରୀ ଆଚାର୍ଯ୍ୟ, ଶୈଳରାଣୀ ମିଶ୍ର, ସମାଜର ପରିଚାଳନା ନିର୍ଦ୍ଦେଶକ ସୁରେଶ ମନ୍ତ୍ରୀ, ବନଜ ଦେବୀ, ଡ.ମନୋରମା ବିଶ୍ୱାଳ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ସଭା ଆରମ୍ଭରେ ବିପ୍ଲବୀ କବି ରବି ସିଂ, ବିଶିଷ୍ଟ ସଙ୍ଗୀତ ଶିଳୀ ସୁନନ୍ଦା ପଟ୍ଟନାୟକ, ସମାଜସେବୀ ଡା. ସରସ୍ୱତୀ ସ୍ୱାଇଁ ଓ ଶିକ୍ଷାବିତ୍ ଡ. ରେଖା ମହାନ୍ତିଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସାରସ୍ୱତ ଓ ସମ୍ବର୍ଦ୍ଧନା ସମାରୋହରେ ‘ଯୁଗଶ୍ରୀ ଯୁଗନାରୀ ସାରସ୍ୱତ ସମ୍ମାନ’ ଶ୍ରୀମତୀ ଗାୟତ୍ରୀ ସରାଫ୍, ବିଶିଷ୍ଟ କଥାକାର; ‘ଯୁୁଗଶ୍ରୀ ଯୁଗନାରୀ ସମାଜସେବା ସମ୍ମାନ’, ଶ୍ରୀମତୀ ସ୍ୱର୍ଣ୍ଣ ମିଶ୍ର୍ର,ବିଶିଷ୍ଟ ସମାଜସେବୀ ଓ ‘ଯୁଗଶ୍ରୀ ଯୁଗନାରୀ ଶ୍ରେଷ୍ଠସଂପାଦିକା ସମ୍ମାନ’ ଡ. ଇତି ସାମନ୍ତ, ସଂପାଦିକା, ‘କାଦମ୍ବିନୀ’ଙ୍କୁ ସମ୍ବର୍ଦ୍ଧିତ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ମେଜର ଡ. କୁମୁଦିନୀ ବରାଇଙ୍କ ଅନୁବାଦ ପୁସ୍ତକ ‘ଜୀବନ ଜଞ୍ଜାଳ’, ଶ୍ରୀମତୀ ସରୋଜିନୀ ବର୍ମାଙ୍କ କବିତା ପୁସ୍ତକ ‘କୁମୁଦିନୀ’ ଓ ଗୀତାଞ୍ଜଳି ପଟ୍ଟନାୟକଙ୍କ ଗଳ୍ପ ପୁସ୍ତକ ‘ମନସୃଜନ’ର ଲୋକାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବେଦ ପାଠ କରିଥିଲେ ଶ୍ରୀମତୀ ଲିତା ଦାଶ, ମମତା ମହାପାତ୍ର ଏବଂ ସୁପ୍ରିୟା ରଥ ଓ ସରସ୍ୱତୀ ବନ୍ଦନା ଗାନ କରିଥିଲେ ଗୀତାଞ୍ଜଳି ପଟ୍ଟନାୟକ ଓ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଏଥିରେ ମାନପତ୍ର ପାଠ କରିଥିଲେ ଡ. ସୁଷମା ମିଶ୍ର, ଡ. ମୀନାକ୍ଷୀ ପଣ୍ଡା ଓ ଡ. ଗାୟତ୍ରୀ କର । କାର୍ଯ୍ୟକ୍ରମରେ କମଳାକାନ୍ତ ଦାଶ, ସ୍ମୃତି ଦାସ, ବସନ୍ତ ପ୍ରଧାନ ଓ ମିହିର ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସୁଶ୍ରୀ ଗୀତାଞ୍ଜଳି ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।