ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ୨୭ଟି ଅଭିଯୋଗ ପଂଜିକୃତ
ନାଉଗାଁ, (ଓ୍ବାଇଏନ୍ଏସ୍) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଜ୍ୟୋତି ଫେଡରେସନ ସମ୍ମିଳନୀ କକ୍ଷରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଜିଲ୍ଲାପାଳ ପାରୁଲ ପଟାୱାରୀ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗର ଶୁଣାଣି କରିଥିଲେ । ଶିବିରରେ ସମୁଦାୟ ୨୭ଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ଗ୍ରାମ୍ୟ ଓ ଗୋଷ୍ଠୀଗତ ସମସ୍ୟା ସଂପର୍କୀୟ ୩ଟି ଓ ବ୍ୟକ୍ତିଗତ ସମସ୍ୟା ସଂପର୍କୀୟ ୨୪ଟି ରହିଥିଲା । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରେସନ କାର୍ଡ ସମସ୍ୟା ସଂପର୍କୀୟ ୨ଟି, ଆବାସ ଯୋଜନା ସଂପର୍କୀୟ ୪ଟି, ଜମିଜମା ସମସ୍ୟା ସଂପର୍କୀୟ ୩ଟି, ରେଡକ୍ରସ ପାଣ୍ଠିରୁ ସହାୟତା ପାଇବା ପାଇଁ ୨ଟି ଏବଂ ଅନ୍ୟାନ୍ୟ ୮ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ୫ଟି ଅଭିଯୋଗ ତତ୍କାଳ ଫଏସଲା ହୋଇଥିବା ବେଳେ ଅନ୍ୟ ଅଭିଯୋଗ ଗୁଡିକର ସମାଧାନ କରାଯିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି । ଅଭିଯୋଗ ମଧ୍ୟରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଧାନ ମଣ୍ଡିରେ ଉପୁଜୁଥିବା ସମସ୍ୟା ସମ୍ବନ୍ଧରେ ରାଜ୍ୟ ସଭାପତି ଶେଷଦେବ ନନ୍ଦ, ଜିଲ୍ଲା ସହସଂପାଦକ ଅଶୋକ ସ୍ୱାଇଁ, ନବକିଶୋର ମହାନ୍ତି, କୈଳାସ ପରିଡା ଆଦି ଅଭିଯୋଗ କରିଥିଲେ । ନାଉଗାଁ ଗ୍ରାମର ଭିନ୍ନକ୍ଷମ ପ୍ରିୟତମା ସାହୁ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ଓ ଝିଅର ଉଚ୍ଚ ଶିକ୍ଷା ପାଇଁ ଶିକ୍ଷା ଋଣର ବ୍ୟବସ୍ଥା କରିବା ପାଇଁ ଅଭିଯୋଗ କରିଥିଲେ । ଏହି ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କ ସହିତ ଆରକ୍ଷୀ ଅଧିକ୍ଷକ ରାହୁଲ ପି. ଆର୍, ମୁଖ୍ୟ ବିକାଶ-ତଥା-ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ରବିନାରାୟଣ ଜେଠୀ, ଉପଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରଶ୍ମୀରଂଜନ ସାହୁ, ବିଡିଓ ତପନ କୁମାର ମହାପାତ୍ର, ତହସିଲଦାର ଏସ.କେ ସାଗିର, ନାଉଗାଁ ବ୍ଳକ ଅଧ୍ୟକ୍ଷା ତୃଷ୍ଣା ଲେଙ୍କାଙ୍କ ସହିତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଓ କ୍ଷେତ୍ର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତି ଅଭିଯୋଗ ଶୁଣାଣି କରିଥିଲେ ।