ଯୁବକଙ୍କୁ ଆକ୍ରମଣ ସହ ହତ୍ୟା ଉଦ୍ୟମ ଅଭିଯୋଗ, ୨ ଗିରଫ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ୨ ଜଣ ଯୁବକ ମିଶି ଆକ୍ରମଣ କରିବା ସହ ହତ୍ୟା ଉଦ୍ୟମ କରିଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ମୁତାବକ ଶୁକ୍ରବାର ରାତି ପ୍ରାୟ ୧୦ ଘଣ୍ଟା ସମୟରେ ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୈାରାଞ୍ଚଳ ଆଙ୍କୋରଡା ଗ୍ରାମର ଶ୍ରୀକାନ୍ତ ନାହାକ (୩୫) ବିଦ୍ୟୁତ୍ ତାର କିଣିବା ସକାଶେ ମୋଟର ସାଇକେଲ ଯୋଗେ ହିଞ୍ଜିଳିକାଟୁ ବଜାରକୁ ଯାଇଥିଲେ। ତାର କିଣି ଘରକୁ ଫେରୁଥିବା ସମୟରେ ହିଞ୍ଜିଳିକାଟୁ ଥାନା ସାହିରେ ୨ ଜଣ ଯୁବକ ହଠାତ୍ ଶ୍ରୀକାନ୍ତଙ୍କ ମୋଟର ସାଇକେଲକୁ ଅଟକାଇ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ଯୁବକ ଜଣଙ୍କ କାହିଁକି ଗାଳିଗୁଲଜ କରୁଛ ପଚାରିବାରୁ ତୁମ ବାପା ଗତ କିଛି ବର୍ଷ ପୂର୍ବେ ଆମ ବାପାଙ୍କୁ ଗାଳି କାହିଁକି କରିଥିଲେ ବୋଲି ୨ ଯୁବକ ପଚାରିଥିଲେ। ପରେ ଉତକ୍ଷିପ୍ତ ହୋଇ ୨ ଯୁବକ ମାଡ ମାରିବା ସହ ଧରିଥିବା ଏକ ମାରଣାସ୍ତ୍ରରେ ଶ୍ରୀକାନ୍ତଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ଆହତଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚିବା ପରେ ଆକ୍ରମଣକାରୀ ୨ ଯୁବକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ପରେ ଘଟଣା ନେଇ ଯୁବକ ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନ°- ୩୮୧/୨୫ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। ଶୁକ୍ରବାର ବିଳମ୍ବିତ ରାତ୍ରିରେ ପୁଲିସ ଚଢ଼ାଉ କରି ଆକ୍ରମଣକାରୀ ୨ ଯୁବକଙ୍କୁ ଗିରଫ କରିଥିଲା। ଗିରଫ ୨ ଯୁବକ ହେଲେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ଗଜପତି ମାର୍ଗର ଅନୁପ ଗୈାଡ (୨୮) ଓ ସିନେମାହଲ ଛକର ବୁଲୁ ଗୈାଡ (୩୪) । ଶନିବାର ଆକ୍ରମଣକାରୀ ୨ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।