ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଦୁଇଦିନ ଲଗାଣ ବର୍ଷା ହେବା ଯୋଗୁ ବୈତରଣୀରେ ଏକ ବୃହତ୍ତ ବନ୍ୟା ଆସି ଲୋକ ମାନଙ୍କର ନାହିଁନଥିବା କ୍ଷତି ପହଂଚାଇଛି। ବନ୍ୟା ଯୋଗୁଁ ଭଣ୍ଡାରିପୋଖରୀ ବ୍ଲକର ପ୍ରାୟ ୭ଗୋଟି ପଞ୍ଚାୟତ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ରାସ୍ତା ଘାଟ ଓ ଚାଷ ଜମି ଗୁଡିକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହାରି ଭିତରେ ପାଣିରେ ଜନୈକ ଯୁବକ ଭାସି ଯାଇ ୧୪ଘଣ୍ଟା ପରେ ଉଦ୍ଧାର ହେବା ଘଟଣା ମଧ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଷୋଳମପୁର ପଂଚାୟତ ସୀମାନ୍ତ ଆନନ୍ଦପୁର(ଚମ୍ପାବାଗ) ଗ୍ରାମର ମନୋଜ ପଲେଇ ନାମକ ଯୁବକ କାଲି ସନ୍ଧ୍ୟା ବେଳ ଠାରୁ ବନ୍ୟା ପାଣିରେ ଭାସିଯାଇଥିଲେ। ମନୋଜ ଛେଳି ଗୋଡ଼ାଇବାକୁ ଆସିଥିବା ବେଳେ ବନ୍ୟା ପାଣିର ପ୍ରଖର ସୁଅରେ ଫସି ଯାଇଥିଲେ। ଗତ ବୁଧବାର ରାତି ତମାମ ଦାଣ୍ଡକୁଳ ଅବଦୂତ ଆଶ୍ରମ ନିକଟ ଏକ ବୁଦା ମୂଳେ ଭୟ ଓ ଆଶଙ୍କାରେ ରହିଥିଲେ। ଆଜି ସକାଳୁ ନିଜ ମୋବାଇଲରେ ଏକ ଭିଡ଼ିଓ କରି ଭୁବନେଶ୍ୱର ଠାରେ ଥିବା ନିଜ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି ମନୋଜ ଦାସଙ୍କୁ ପଠାଇଥିଲେ। ଗଣମାଧ୍ୟମ ପ୍ରତିନିଧି ଜଣକ ଜିଲ୍ଲା ପ୍ରଶାସନକୁ ଟୁଇଟ ଜରିଆରେ ଘଟଣା ସମ୍ପର୍କରେ ଜଣାଇଥିବା ବେଳେ ୧୪ଘଣ୍ଟା ଧରି ଫସି ରହିଥିବା ଯୁବକଙ୍କୁ ଉଦ୍ଧାର ପାଇଁ ନିବେଦନ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଣି ଘେରରେ ଥିବା ମନୋଜକୁ ଉଦ୍ଧାର କରିଥିଲେ। ସେହିଭଳି ଝୁଟୁଣା ଗ୍ରାମର ଦାଶରଥି ସାହୁ ନାମକ ଯୁବକ ଘରକୁ ଆସୁଥିବା ବେଳେ ହଠାତ ପାଣି ଆସିଯିବାରୁ ଫସି ଯାଇଥିଲେ। ତାଙ୍କୁ ମଧ୍ୟ ଆଜି ଅଗ୍ନିଶମ ବାହିନୀ ଉଦ୍ଧାର କରି ଘରେ ଛାଡିଥିବା ଜଣାପଡିଛି।


