ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଥାନାରେ ଅଭିଯୋଗ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଦେଓଝର ଗ୍ରାମରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ ବିଲେଇପଦା ଫାଣ୍ଡିରେ ଅଭିଯୋଗ ହୋଇଥିବା ଜଣାପଡିଛି । ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ ଦେଓଝର ଗ୍ରାମର ଜନ୍ ଶବର । ଅଭିଯୋଗ ଅନୁଯାୟୀ ଜଣାପଡିଛି ଯେ, ଅକ୍ଟୋବର ମାସରେ ଉକ୍ତ ଗ୍ରାମର ଜନ୍ ଶବର ତାଙ୍କର ପଡୋଶୀ ଭାସ୍କର ନାଏକଙ୍କର ବାଇକ୍ ନେଇ କୌଣସି କାମରେ ବିଲେଇପଦା ଯାଇଥିଲେ । ମାତ୍ର ଜନ୍ ଶବର ଯିବା ସମୟରେ ବାଇକ୍ ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ବାଇକ୍ର ଆଗପାଶ୍ୱର୍ ଭାଙ୍ଗି ଯାଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ବାଇକର ମାଲିକ ଭାସ୍କର ନାଏକ ଉକ୍ତ ଦିନ ରାତିରେ ଜନ୍ ଶବରଙ୍କ ବାପା ଲେଙ୍ଗା ଶବରଙ୍କୁ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରିଥିଲେ । ଜନ୍ ଶବରଙ୍କ ଭାଇ ଲକ୍ଷ୍ମଣ ଶବର ଟଙ୍କା ଦେଇ ବାଇକ୍ ଟିକୁ ସଜାଡି ଦେବେ ବୋଲି କହିବା ପରେ ମଧ୍ୟ ୩ ରିଖରେ ଭାସ୍କର ନାଏକ ଓ ତାଙ୍କ ପୁଅ ହେମନ୍ତ ନାଏକ ଜନ୍ ଶବରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଜନ୍ ଶବର ଗୁରୁତର ଆହତ ହୋଇଥିଲେ । ସେଠାରୁ ପରିବାର ଲୋକେ ଜନ୍ ଶବରଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲେ । ଜିଲା ମୁଖ୍ୟ ଚିକିତ୍ସାଳୟରୁ ଆସିବା ପରେ ମଧ୍ୟ ପୁନଃର୍ବାର ବାଇକ ମାଲିକ ଭାସ୍କର ନାଏକ ଓ ତାଙ୍କ ପୁଅ ହେମନ୍ତ ନାଏକ ତାଙ୍କୁ ଜୀବନରୁ ମାରିଦବୋକୁ ଧମକ ଦେଉଥିବାରୁ ଭୟଭୀତ ହୋଇ ଜନ୍ ଶବର ଥାନାରେ ଅଭିଯୋଗ କରିଛନ୍ତି । ବିଲେଇପଦା ଫାଣ୍ଡିରେ ଏନେଇ କେଶ୍ ନଂ ୨୦୦/୨୦୧୯ ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ବିଲେଇପଦା ଫାଣ୍ଡି ଅଧିକାରୀ ରଂଜନ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି ।