ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଶିଖର ପଂଚାୟତ ପାଟେଣୀଗାଁ ଗ୍ରାମର ଜଣେ ଯୁବକଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଜଣାପଡି ନଥିବା ବେଳେ ଉକ୍ତ ମୃତ୍ୟୁ ଦୁର୍ଘଟଣାଜନିତ ବୋଲି ମୃତକଙ୍କ ଭାଇ ଉମେଶ ମହାରଣା ଥାନାରେ ଅଭିଯୋଗ କରିଛନ୍ତି । ଉମେଶଙ୍କ ଅଭିଯୋଗ ମୁତାବକ ତା’ର ଭାଇ କୈଳାସ ନିକଟସ୍ଥ ଓଷକଣା ପଂଚାୟତର ନୟାସିଙ୍ଗଡା ଗାଁର ଏକ ବନ୍ଧୁ ଘରକୁ ଶନିବାର ରାତିରେ ଯାଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଆସି ନଥିବାରୁ ତାଙ୍କ ମୋବାଇଲକୁ ଘର ଲୋକ କଲ କରିଥିଲେ । ମୋବାଇଲ ରିଙ୍ଗ ହୋଇଥିଲେ ମଧ୍ୟ କେହି ଉଠାଇ ନଥିଲେ । ରବିବାର ସକାଳ ପ୍ରାୟ ୧୦ଟା ସମୟରେ ତାଙ୍କ ଭାଇ ଅଙ୍ଗେଶ୍ୱରପଡାରୁ ନୟାସିଙ୍ଗଡାକୁ ସଂଯୋଗ କରୁଥିବା ରାସ୍ତାର ଦେବୀନଦୀ ବନ୍ଧ ତଳେ ମରି ପଡିଥିବାର ଖବର ପାଇଥିଲେ । ଦୁର୍ଘଟଣାଗ୍ରସ୍ତ ହୋଇ ତାଙ୍କ ଭାଇ ମୃତ୍ୟୁବରଣ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ଏପରିକି କୈଳାସର ମୋବାଇଲ ଦିନ ପ୍ରାୟ ୯ଟା ବେଳେ ରିଙ୍ଗ୍ ହେଉଥିବା ବେଳେ ପରେ ଆଉ ରିଙ୍ଗ ହୋଇ ନଥିବା ପରିବାର ପକ୍ଷରୁ କୁହାଯାଇଛି । ହେଲେ କୈଳାସଙ୍କ ନିକଟର କୌଣସି ମୋବାଇଲ ଫୋନ ମିଳି ନଥିବା ଜଣାଯାଇଛି । କୈଳାସଙ୍କ ମୃତ ଦେହ ନିକଟରେ ଓଆର ୦୫ଭି୧୮୯୧ ନମ୍ବରର ଏକ ହିରୋହୁଣ୍ଡା ଗାଡି ପଡିଥିବା ବେଳେ ତାଙ୍କ କାନ ମୁଣ୍ଡାରୁ ରକ୍ତସ୍ରାବ ହୋଇଛି । ନାଉଗାଁ ଥାନା ଆଇଆଇସି ଅନିରୁଦ୍ଧ ନାୟକ ସୂଚନା ପାଇଁ ଘଟଣାସ୍ଥଳରେ ପହଁଚି ପ୍ରାଥମିକ ତଦନ୍ତ କରିଛନ୍ତି । ଅଧିକ ତଦନ୍ତ ପାଇଁ ଫରେନିକସ ଟିମର ସାହାର୍ଯ୍ୟ ନିଆଯାଇଛି । ଉକ୍ତ ଜିଲ୍ଲାରେ ଫରେନିକସ ଟିମ ନଥିବା ହେତୁ କେନ୍ଦ୍ରାପଡା ଜିଲ୍ଲାରୁ ଫରେନିକସ ଟିମ୍ ଆସି ଅପରାହ୍ନରେ ତଦନ୍ତ କରିଥିବା ବେଳେ ଶବକୁ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଉମେଶଙ୍କ ଅଭିଯୋଗକୁ ଭିତିକରି ଥାନା ପକ୍ଷରୁ ୧୫୫/୨୩ ରେ ଏକ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଥିବା ଥାନା ଏସଆଇ ରଘୁନାଥ ଟୁଡୁ ପ୍ରକାଶ କରିଛନ୍ତି । ମୃତ କୈଳାସଙ୍କ ଘରେ ବିଧବା ପତ୍ନୀ ସମେତ ଗୋଟିଏ ଛୋଟ ପୁଅ ଓ ଝିଅ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ