ଯୁବତୀଙ୍କୁ ଅସଦାଚରଣ ଓ ବଳତ୍କାର : ପ୍ରତିବାଦ ପାଇଁ ବିଜେଡିର ବ୍ୟାପକ ପ୍ରସ୍ତୁତି
ଆସିକା (ୱାଇଏନ୍ଏସ୍) ରାଜ୍ୟର କେତେକ ଅଞ୍ଚଳରେ ଯୁବତୀମାନଙ୍କୁ ଅସଦାଚରଣ, ଦୁଷ୍କର୍ମ ଓ ହତ୍ୟା ଘଟଣା ଆହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ବିଜେପି ସରକାର ନୀରବଦ୍ରଷ୍ଟା ସାଜିଛି ବୋଲି ଅଭିଯୋଗ କରି ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଛାତ୍ର ଆନ୍ଦୋଳନକୁ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସଫଳତାର ସହ ପାଳନ କରିବା ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି । ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ଚାନ୍ଦବାଲିର ବିଧାୟକ ଡଃ ବ୍ୟୋମକେଶ ରାୟ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ବାଙ୍କୀର ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କ ଆହ୍ୱାନ ଏବଂ ଆସିକାର ପୂର୍ବତନ ବିଧାୟିକା ମଂଜୁଳା ସ୍ୱାଇଁଙ୍କ ପରାମର୍ଶକ୍ରମେ ଆସନ୍ତାକାଲି ଆସିକାର ବିଭିନ୍ନ ମହାବିଦ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହେବାକୁ ଥିବା ଛାତ୍ର ଆନ୍ଦୋଳନକୁ ସଫଳ କରିବା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ବିଜେଡି କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ଗଞ୍ଜାମ ଜୋନ୍ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ ଯୋଗଦେଇ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବିଜେପି ସରକାର ଉପରେ ବର୍ଷିବା ସହିତ ରାଜ୍ୟର କେତେକ ଅଞ୍ଚଳରେ ଯୁବତୀମାନଙ୍କ ଉପରେ ଚାଲିଥିବା ଦୁଷ୍କର୍ମ, ଅସଦାଚରଣ, ଅପହରଣ ଓ ହତ୍ୟା ଘଟଣା ବିଭିନ୍ନ ଗଣମାଧ୍ୟମର ଶିରୋନାମାରେ ପ୍ରକାଶ ପାଉଛି ବୋଲି ଅଭିଯୋଗ କରି ଏହାର ପ୍ରତିବାଦରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଛାତ୍ର ଆନ୍ଦୋଳନର ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ଏହା ମାଧ୍ୟମରେ ଶାନ୍ତିଶୃଙ୍ଖଳାର ସହ କଲେଜରେ ଶ୍ରେଣୀ ବର୍ଜନ, କଳାବ୍ୟାଜ ପରିଧାନ, କୁଶପୁତ୍ତଳିକା ଦାହ, ପିକେଟିଂ ଇତ୍ୟାଦି କାର୍ଯ୍ୟକ୍ରମ କରିବାକୁ ଆହ୍ୱାନ କରିଥିଲେ । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ଜୟସେନ ସ୍ୱାଇଁ, ପ୍ରତାପ ଚନ୍ଦ୍ର ପ୍ରଧାନ, ନିଗମାନନ୍ଦ ରାଉତ, ଜିତେନ୍ଦ୍ର କୁମାର ମହାରଣା, ନିଳାଞ୍ଚଳ ମଣ୍ଡଳ, କେଶବ ଦାଶ, ଟୁକୁନା ନାହାକ, ସାଇରାଜ ଦଳେଇ, ସାଗର ପାତ୍ର, ନରେନ୍ଦ୍ର ନାୟକ, ବାପିନା ଜେନା, ସନ୍ତୋଷ କୁମାର ନାହାକ, ଭଗବାନ ବିଶ୍ୱାଳ, ଶିବରାମ ପାଣିଗ୍ରାହୀ, ଶଙ୍କର ପାଣିଗ୍ରାହୀ, ଫିରୋଜ୍ ଖାନ୍, ସୁଶାନ୍ତ ପ୍ରଧାନ, ନିଳାଞ୍ଚଳ ମହାରଣା, ଉଦିତ୍ ପାଢୀ, ସତୀଶ୍ ଆଚାରୀଙ୍କ ସମେତ ବିଜୁ ଯୁବ ଛାତ୍ର ଜନତା ଦଳର ବହୁ ଦଳୀୟ ନେତା ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା ଉଦ୍ବୋଧନ ଦେଇ ରାଜ୍ୟରେ ବିଜେପି ସରକାର ଆସିବା ପର ଠାରୁ କେତେକ ଅଞ୍ଚଳରେ ଘଟୁଥିବା ଗଣବଳତ୍କାର, ଦୁଷ୍କର୍ମ, ଅସଦାଚରଣ, ହତ୍ୟାଘଟଣାକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିବା ସହ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବାକୁ ଦୃଢ ଦାବୀ ଉପସ୍ଥାପନ କରି ଗତ କିଛି ଦିନ ତଳେ ଗୋପାଳପୁର ସମୁଦ୍ରକୂଳରେ ହୋଇଥିବା ଗଣଦୁଷ୍କର୍ମ ଘଟଣାକୁ ତୀବ୍ର ନିନ୍ଦା କରି ମହିଳାଙ୍କ ସମ୍ମାନର ନାରା ଦେଉଥିବା ବିଜେପି ସରକାରରେ ଦୁଷ୍କର୍ମ ବଢିବା ସହ ଦୁଷ୍କର୍ମକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି ବୋଲି ଅତ୍ୟନ୍ତ କ୍ଷୋଭର ସହ ପ୍ରକାଶ କରି ଏହାର ବିରୋଧରେ ବିଜୁ ଯୁବ-ଛାତ୍ର ଜନତା ଦଳର ପ୍ରତ୍ୟେକଟି ସଦସ୍ୟ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା ।