ଯୁବା ବୟସରେ ଦୃଷ୍ଟିଶକ୍ତି ହରାଇଲେ ମନ୍ମଥ, ଭୋକ ଉପାସରେ ପରିବାର

ହାଟଡ଼ିହି, (ବିକାଶ ବିଶ୍ୱାଳ):ସମୟ କାହାପାଇଁ କେତେବେଳେ କିପରି ଆସିବ ତାହା କେହି ଜାଣିନାହାନ୍ତି । ଯେପରି ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଓରାଳି ଗ୍ରାମର ମନ୍ମଥ ମହାନ୍ତିଙ୍କ କ୍ଷେତ୍ରରେ । ହସଖୁସିର ପରିବାରରେ ଏବେ ଦୁଖଃର ପାହାଡ ଛିଡା ହୋଇଯାଇଛି । ଯୁବା ବୟସରେ ପରିବାର ପ୍ରତିପାଳନ ସମୟରେ ଦୁଇଟିଯାକ ଅଖି ହରାଇ ଏବେ ପରିବାର ପାଇଁ ଚିନ୍ତାର କାରଣ ପାଲଟିଯାଇଛନ୍ତି । ରୋଜଗାରିଆ ପୁଅ ଘରେ ପଡି ରହିବାରୁ ଏବେ ପରିବାରଟି ଭୋକ ଉପାସରେ ଦିନ କାଟୁଛନ୍ତି । ସୁଚନାରୁ ଜଣାଯାଇଛି ଯେ ଓରାଳି ଗ୍ରାମର ସ୍ୱର୍ଗତ ନାରାୟଣ ମହାନ୍ତିଙ୍କ ପୁଅ ମନ୍ମଥ ମହାନ୍ତି(୪୬) ଓତାଙ୍କ ସ୍ତ୍ରୀ, ଦୁଇ ପୁଅଝିଅ, ବୃଦ୍ଧା ମାଙ୍କୁ ନେଇ ତାଙ୍କ ସଂସାର । ଗାଁମୁଣ୍ଡ ସ୍କୁଲ ନିକଟରେ ଏକ ପାନଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ସେ ମଧୁମେହ ରୋଗରେ ପିଡିତ ଥିବାବେଳେ ଗତବର୍ଷ ହଠାତ ତାଙ୍କର ଗୋଟିଏ ଆଖିକୁ ଭଳ ଦେଖାଗଲାନି । ଏନେଇ ସେ ଡାକ୍ତରଖାନା ଯିବାପରେ ତାଙ୍କର ଆଖିର ଅପରେସନ ହେବ ବୋଲି ଡାକ୍ତର କହିବାରୁ ଗୋଟିଏ ଆଖି ଅପରେସନ ହେଲା । କିନ୍ତୁ ପରେ ପରେ ଆର ଆଖିକୁ ମଧ୍ୟ ଦେଖାଗଲାନି । ତେଣୁ ପୁନର୍ବାର ଡାକ୍ତରଖାନାକୁ ଯାଇ ଦେଖାଇବାପରେ ଅନ୍ୟ ଆଖିକୁ ଅପରେସନ ଦରକାର ବୋଲି କହିଥିଲେ । ଗାଁଲୋକଙ୍କ ସାହାଯ୍ୟ ସହଯୋଗରେ ଦୁଇଟିଯାକ ଆଖିକୁ ଅପରେସନ କରାଇବାପରେ ସେ ସମ୍ପୁର୍ଣ୍ଣ ଦୃଷ୍ଟିଶକ୍ତି ହରାଇ ବସିଛନ୍ତି । ସେହିଦିନ ଠାରୁ ଦୋକାନ ବନ୍ଦ ହୋଇଯିବାପରେ ଏବେ ପରିବାରଟି ସମ୍ପୁର୍ଣ୍ଣ ଅସହାୟ ହୋଇପଡିଛି । ମନ୍ମଥଙ୍କୁ ସାହାରା ନହେଲେ ସେ ବାଟ ଚାଲିପାରୁ ନାହାନ୍ତି । ଏପରି ଅବସ୍ଥାରେ ଦୁଇ ଦୁଇଟି ଛୁଆଙ୍କର ପାଠପଢ଼ା ଓ ଔଷଧ ଖର୍ଚ୍ଚ ସହିତ ଘର ଚଳିବା ଏବେ କଷ୍ଟକର ହୋଇ ପଡିଛି ବୋଲି ପତ୍ନୀ ଚନ୍ଦ୍ରକାନ୍ତୀ ମହାନ୍ତି କହିଛନ୍ତି । ଅଧାଦିନ ଘରେ ଚୁଲି ଜଳୁନି । ଏପରି ଅବସ୍ଥାରେ ପରିବାରର ଦିନ କଟୁଥିବାବେଳେ ସେମନଙ୍କ ଚଳିବାପାଇଁ ଏବେ ସରକାରୀ ସହାୟତା ଜରୁରୀ ହୋଇପଡିଛି ବୋଲି ଗ୍ରାମବାସୀମାନେ କହିଛନ୍ତି । ତୁରନ୍ତ ପ୍ରଶାସନ ଏହି ପରିବାରକୁ ସହାୟତା ଯୋଗାଇ ଦେବାକୁ ପ୍ରୀୟ ରଞ୍ଜନ ଦାସ, ସୁଧାଶୁଂ ଦକ୍ଷିଣରାୟ, ବାମନ ଚରଣ ଭୋଇ, ହେମନ୍ତ ସିଂହ, ବନମାଳି ବାରିକ, ଉମାକାନ୍ତ ଦାସ, ପ୍ରଫୁଲ ଭୋଇ, ସୁଦର୍ଶନ ଭୋଇ, ସ୍ୱାଧିନ କୁମାର ରାଉତ, ସୁକନ ଭୋଇ ପ୍ରମୁଖ ଦାବି କରିଛନ୍ତି । ଯଦି କେହି ସ୍ୱେଚ୍ଛାସେବୀ ସଂଗଠନ ମନ୍ମଥଙ୍କୁ ସହଯୋଗର ହାତ ବଢ଼ାଇବାକୁ ଚାହାନ୍ତି ତେବେ ୯୯୩୭୫୬୪୩୨୦ରେ ଯୋଗଯୋଗ କରିବାକୁ ପତ୍ନୀ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ