ଯୁବ ଉତ୍ସବ ଉଦ୍ଘାଟିତ ଯୁବକମାନେ ହିଁ ଦେଶ ପ୍ରଗତିର ସାରଥୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର, ଖୋର୍ଦ୍ଧା ପକ୍ଷରୁ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଏକ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମ ଭୁବନେଶ୍ୱର ଉପକଣ୍ଠ ମଦନପୁରସ୍ଥିତ ନିସ୍ ଇଞ୍ଜିନିୟରିଂ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଯୁବକମାନେ ହିଁ ଦେଶ ପ୍ରଗତିର ସାରଥୀ । ଏମାନେ ହେଉଛନ୍ତି ଦେଶର ମେରୁଦଣ୍ଡ । ଯୁବକମାନେ ଜାତୀୟତାର ମହାନ୍ ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇ ଦେଶ ମାତୃକାର ସେବାରେ ବ୍ରତୀ ନିମନ୍ତେ ଦୃଢ ମନୋବଳ ଓ ପ୍ରୟାସ ରହିବା ଉଚିତ୍ ବୋଲି ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ମତ ପ୍ରକାଶ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ରୂପେ ଏନ୍ସିଏସ୍ସିଡ଼ିଏର ପୂର୍ବତନ ସହ ନିର୍ଦ୍ଦେଶକ ରାମକିଶୋର ଶର୍ମା, ସମ୍ମାନିତ ଅତିଥି ରୂପେ ନେହେରୁ ଯୁବକେନ୍ଦ୍ରର ଉପନିର୍ଦ୍ଦେଶକ ବିମଲ ପାଟ୍ରିକ୍ ଶାହା, ନିସ୍ ଅନୁଷ୍ଠାନର ଉପନିର୍ଦ୍ଦେଶକ ଡଃ ଦୁଷ୍ମନ୍ତ ପଟ୍ଟନାୟକ, ଆନ୍ତର୍ଜାତୀୟ ରଗ୍ବୀ ଖେଳାଳି ରାଜକିଶୋର ମୁର୍ମୁ, ସୁମିତ୍ରା ନାୟକ, ୟୁଥ୍ ଆଇକନ୍ ଅନିଲ୍ ପ୍ରଧାନ, ଚନ୍ଦ୍ରଶେଖର ପାଲ୍, ଯୁବ ଅଧିକାରୀ ବିପିନ୍ କୁମାର ପ୍ରମୁଖ ଯୋଗ ଦେଇଥିଲେ । ଉତ୍ସବରେ ଯୁବକ, ଯୁବତୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ କରି ପରସ୍ପର ଭିତରେ ଭାଇଚାରା, କଳା, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ପ୍ରୟାସ କରିଥିଲେ । ଏହି ଅବସରରେ ଚିତ୍ରକଳା, ତର୍କ, କବିତା, ଫଟୋଗ୍ରାଫି ଇତ୍ୟାଦି ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା । ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ଉପସ୍ଥିତ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ନେହେରୁ ଯୁବକେନ୍ଦ୍ର ପକ୍ଷରୁ କୁଳମଣି ମଲ୍ଲିକ, ଶୁଭେନ୍ଦ୍ର ନାଥ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।