ଯୁବ କାଠ ଶିଳ୍ପୀଙ୍କ ଅକାଳ ବିୟୋଗ
ଦଶପଲ୍ଲା (ଜୁଗାବ୍ଦ ନ୍ୟୁଜ୍): ଦଶପଲ୍ଲା ସହରାଞ୍ଚଳସ୍ଥିତ ୧୬ ନମ୍ବର ୱାର୍ଡ ଖଣ୍ଡପଡା ଗ୍ରାମର ଯୁବ କାଠ ଶିଳ୍ପୀ ଧନଞ୍ଜୟ ମହାରଣାଙ୍କ ମଙ୍ଗଳବାର ଅକାଳ ବିୟୋଗ ଘଟିଛି । ଏନେଇ ଦଶପଲ୍ଲା ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଧନଞ୍ଜୟ ଜଣେ ଦକ୍ଷ ତଥା ଉଚ୍ଚକୋଟୀର କାଠ କାରିଗରୀ ଥିଲେ । କାଠରେ ବିଭିନ୍ନ ମୂର୍ତ୍ତି ଠାରୁ ଆରମ୍ଭ କରି ପଶୁ, ପକ୍ଷୀ ଏବଂ ମହାପୁରୁଷ ମାନଙ୍କର ନିଖୁଣ କାରୁକାର୍ଯ୍ୟ କରିବାରେ ସେ ପ୍ରବୀଣ ଥିଲେ । ଏଥିସହିତ ସେ ସରକାରଙ୍କ ଆର୍ଟ ଆଣ୍ଡ କ୍ରାଫ୍ଟ ଯୋଜନାରେ ଅନେକ ଛାତ୍ରଛାତ୍ରୀଙ୍କୁ କାଠ କାରିଗରୀ ଶିକ୍ଷା ପ୍ରଦାନ କରିବା ସହ ସୁବଳୟା ୟୁଜିଏମ୍ଇ ସ୍କୁଲରେ ଆର୍ଟ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଏହାକୁ ନେଇ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସମୟରେ ସମ୍ବର୍ଦ୍ଧିତ କରାଯାଇଛି । ସେ ଗତ କିଛିଦିନ ଧରି ହୃଦ୍ରୋଗରେ ଆକ୍ରାନ୍ତ ହୋଇଥିବାବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମାତ୍ର ସ୍ୱାସ୍ଥ୍ୟବସ୍ଥାରେ ଅଗ୍ରଗତି ନହେବାରୁ ଗତକାଲି ତାଙ୍କୁ ଡାକ୍ତର ଘରକୁ ଫେରାଇ ଦେଇଥିଲେ । ଆଜି ପୂର୍ବାହ୍ନରେ ତାଙ୍କର ଖଣ୍ଡପଡାସ୍ଥିତ ବାସଭବନରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ପରେ ପତ୍ନୀ ଓ ଏକ ୬ ବର୍ଷର ଝିଅ ଏବେ ବେସାହାରା ହୋଇ ପଡିଛନ୍ତି । ତେବେ ଏଭଳି ଜଣେ ଦକ୍ଷ କାରିଗରଙ୍କ ମୃତ୍ୟୁପରେ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି ।