ଯୁବ ବ୍ୟବସାୟୀଙ୍କ ଆତ୍ମହତ୍ୟା
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ନାଉଗାଁ ଥାନା ଅନ୍ତର୍ଗତ ଡେରିକି ପଂଚାୟତସ୍ଥିତ ଗଙ୍ଗଦାହାଟରେ ଯୁବ ବ୍ୟବସାୟୀ ଚିତରଂଜନ ସାହୁ (୩୬) ରବିବାର ମଧ୍ୟାହ୍ନରେ ନିଜ ଦୋକାନ ଘରେ ଗାମୁଛାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ସେ ଦୀର୍ଘ ଦିନ ହେବ ଉକ୍ତ ବଜାରରେ ମିଠା ଦୋକାନ କରି ଆସୁଥିଲେ । ଦୋକାନ ଚଲାଇବାରେ କିଛି ଅସୁବିଧା ହେବାରୁ ସେ ଧାର କରଜ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏପରିକି ଗତ ୨ମାସ ତଳେ ସେ ଦୋକାନ ଛାଡି ବାହାରକୁ କାର୍ଯ୍ୟ କରିବା ପାଇଁ ଚାଲିଯାଇଥିଲେ । ପରିବାରଙ୍କ ଅନୁରୋଧ କ୍ରମେ କିଛି ଦିନ ପରେ ଘରକୁ ଫେରି ପୂର୍ଣ୍ଣବାର ଦୋକାନ ଚଳାଇଥିଲେ । ସେ ସବୁଦିନ ପରି ଆଜି ସକାଳୁ ଦୋକାନ ଆସି ବ୍ୟବସାୟୀ କରିଥିଲେ । କିନ୍ତୁ ଘରକୁ ଖାଇବାକୁ ଯିବାରେ ବିଳମ୍ବ ହେବାରୁ ଦୋକାନକୁ ଝିଅ ଆସି ବାପାକୁ ଡାକିଥିଲା । ବାପା କିଛି ନ କହିବାରୁ ଦୋକାନ କବାଟ ଖୋଲି ଦେଖିଲା ବେଳକୁ ବାପା ଝୁଲିବା ଅବସ୍ଥାରେ ରହିଥିଲା । ସେ ନିକଟସ୍ଥ ଦୋକାନୀକୁ ଡାକିଥିଲା । ପରେ ସ୍ଥାନୀୟ ଲୋକ ଥାନାକୁ ଖବର ଦେଇଥିଲେ । ଥାନା ପକ୍ଷରୁ ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର,ଏସଆଇ ପ୍ରତାପ ଦାସ, ଗାରୋଇ ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ବଳ ପ୍ରମୂଖ ପହଂଚି ଶବକୁ ଜବତ କରିବା ସହିତ ପରିବାର ଲୋକଙ୍କ ଉପସ୍ଥିତିରେ ରଶି ଖୋଲାଯାଇଥିଲା । ପରେ ଏକ ଅପମୃତ୍ୟୁ ମାମଲା ୪/୧୯ ରେ ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି ।


