ଯୁବ ବ୍ୟବସାୟୀ ଦେଖାଇଲେ ମଣିଷ ପଣିଆ; ପର୍ଯ୍ୟଟକଙ୍କୁ ଫେରାଇଲେ ଦାମି ସ୍ମାର୍ଟଫୋନ୍

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଏବେ ମଧ୍ୟ ବଞ୍ଚିଛି ମଣିଷପଣିଆ । ଅନେକ ଲୋକ ନିଜର ମନି ପର୍ସ ଏବଂ ଦାମି ମୋବଇଲ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ହଜାଇ ଦେବା ପରେ ଆଉ ସେସବୁ ପାଉନାହାନ୍ତି । ତେବେ ଏସବୁ ନିଜିଷପତ୍ର ଏବଂ ଟଙ୍କାପଇସା ଫେରାଉଥିବା ଅନେକାଂଶରେ ଦେଖିବାକୁ ମିଳୁଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳକୁ ଆସିଥିବା ଜଣେ ପର୍ଯ୍ୟଟକ ନିଜର ଦାମି ସ୍ମାର୍ଟଫୋନ୍‌ କୌଣସି ପ୍ରକାରେ ହଜାଇ ଦେଇଥିଲେ । ଦାରିଙ୍ଗବାଡ଼ି ଅଞ୍ଚଳର ଜଣେ ଯୁବ ବ୍ୟବସାୟୀ ତାହାକୁ ପାଇବା ପରେ ସ୍ମାର୍ଟଫାନ୍‌ଟିକୁ ତାହାର ପ୍ରକୃତ ମାଲିକଙ୍କୁ ଫେରାଇଛନ୍ତି । ଏହିଭଳି ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଗ୍ରାମରେ ।ସୂଚନା ମୁତାବକ ଶୁକ୍ରବାର ଦିନ ଦାରିଙ୍ଗବାଡ଼ି ଅଞ୍ଚଳକୁ ବୌଦ୍ଧ ଜିଲା ସରସରା ଅଞ୍ଚଳର ଅସିତ ପ୍ରଧାନ ଏବଂ ତାଙ୍କ ସହ ଯୋଗୀମାନେ ପରିଭ୍ରମଣରେ ଆସିଥିଲେ। ସିମନବାଡ଼ି ଅଞ୍ଚଳରେ ଅସିତଙ୍କ ସ୍ମାର୍ଟଫୋନ୍‌ଟି କୌଣସି ଏକ ସ୍ଥାନରେ ପଡ଼ିଯାଇଥିଲା । ଅସିତ ନିଜର ସ୍ମାର୍ଟଫୋନ୍‌ ପାଇବା ଆଶା ମଧ୍ୟ ଛାଡ଼ି ଦେଇଥିଲେ । ସିମନବାଡ଼ିରେ ଫାଷ୍ଟଫୁଡ ଦୋକାନ କରିଥିବା ରାଜେଶ କୁମାର ସାହୁ ନାମକ ଜଣେ ଯୁବ ବ୍ୟବସାୟୀ ସ୍ମାର୍ଟଫୋନ୍‌ ପାଇବା ପରେ ନିଜ ପାଖରେ ରଖିଥିଲେ । ଏହି ସ୍ମାର୍ଟଫୋନ୍‌ର ଇନ୍‌କମିଂ କଲ ଉଠାଇ ନିଜର ଠିକଣା ଦେଇଥିଲେ । ସ୍ମାର୍ଟଫୋନ୍‌କୁ ସମ୍ପୃକ୍ତ ବ୍ୟକ୍ତି ଜଣକ ଯେପରି ପାଇପାରିବେ ସେଥିପାଇଁ ତାଙ୍କୁ ଯୋଗାଯୋଗ କରିବାକୁ କହିଥିଲେ । ଏହାପରେ ଶୁକ୍ରବାର ସନ୍ଧ୍ୟା ସମୟରେ ଅସିତ ସିମନବାଡ଼ିରେ ପହଞ୍ଚିଥିଲେ ଏବଂ ରାଜେଶ କୁମାର ସାହୁ ତାଙ୍କୁ ସ୍ମାର୍ଟଫୋନ୍‌ଟି ଫେରସ୍ତ ଦେଇଥିଲେ। ଏହି ସମୟରେ ସିମନବାଡ଼ିର ସରୋଜ କୁମାର ସାହୁ ଏବଂ ବିନୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ନିଜର ସ୍ମାର୍ଟଫୋନ୍‌ ପାଇବା ପରେ ଅସିତ ରାଜେଶଙ୍କୁ କୃତଜ୍ଞତା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ