ଯୁବ ବୟସରେ ରୋଗ ଯନ୍ତ୍ରଣା;ପାରାଲିସିସରେ ପୀଡିତ ଅଚ୍ୟୁତାନନ୍ଦଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା) : ଯୁବ ବୟସରେ ରୋଗର ଯନ୍ତ୍ରଣା ଯୋଗୁ ଛଟପଟ ହେଉଛନ୍ତି ଅଚ୍ୟୁତାନନ୍ଦ । ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ ପଞ୍ଚାୟତ ହାଟଡିହୀ ଜେନା ସାହିର ଚୈତନ୍ୟ ଜେନାଙ୍କ ପୁଅ ଅଚ୍ୟୁତାନନ୍ଦ(୩୮) ଦୀର୍ଘ ଦୁଇବର୍ଷ ହେବ ବିଭିନ୍ନ ରୋଗରେ ଛଟପଟ ହେଉଛନ୍ତି । ଅଚ୍ୟୁତାନନ୍ଦ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଏକ ଘରୋଇ ସଂସ୍ଥା ଜରିଆରେ ସିକ୍ୟୁରିଟି ଭାବେ ଚାକିରି କରୁଥିବାବେଳେ ପାରାଲିସିସ ରୋଗରେ ଆକ୍ରାନ୍ତ ହୋଇଥିଲେ । ସେବେଠାରୁ ତାଙ୍କର ହସଖୁସିର ସଂସାରକୁ ସତେ ଯେମିତି କଳାବାଦଲ ମାଡି ଆସିଥିଲା । ୨୦୧୭ ମସିହାରେ ସେ ରୋଗରେ ଆକ୍ରାନ୍ତ ହୋଇ କଟକ ମେଡିକାଲ ଠାରେ ଚିକିତ୍ସା ହୋଇଥିଲେ । ରୋଗର ପ୍ରଭାବରେ ତାଙ୍କର ବାମପାଖ ଅଙ୍ଗ ଗୁଡିକ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିଲା । ଏତିକିରେ ଅଚ୍ୟୁତାନନ୍ଦଙ୍କ ଦୁଃଖ ସରିନଥିଲା । ଅଭାବ ଅନଟନ ଭିତରେ ପାରାଲିସିସ ପାଇଁ ବାପା ଚୈତନ୍ୟ ମାଗିଯାଚି ପୁଅର ଚିକିତ୍ସା କରୁଥିବାବେଳେ ବୋଝ ଉପରେ ଲଳିତା ବିଡା ପରି ଅଚ୍ୟୁତାନନ୍ଦଙ୍କୁ ମାଡି ଆସିଥିଲା ମଧୁମେହ ଓ ଉଚ୍ଚରକ୍ତଚାପ ଭଳି ରୋଗ । ଏହା ସହିତ ସମସ୍ତ ରୋଗର ପ୍ରଭାବରେ ଅଚ୍ୟୁତାନନ୍ଦଙ୍କର ଦୁଇଗୋଟି କିଡିନୀ ମଧ୍ୟ ଖରାପ ଅବସ୍ଥାକୁ ଆସିଗଲାଣି । ଘରେ ପତ୍ନୀ, ତିନିଗୋଟି ଛୋଟ ଛୋଟ ଝିଅକୁ ନେଇ ତାଙ୍କର ସଂସାର ହୋଇଥିବାବେଳେ ତାଙ୍କ ୭୫ବର୍ଷିୟ ବାପା ଏବେ ସମସ୍ତ ଦାୟିତ୍ୱ ତୁଲାଉଛନ୍ତି । ସରକାରୀ ଭାବେ କେବଳ ରାସନକାର୍ଡ ଖଣ୍ଡିଏ ତାଙ୍କର ଥିବାବେଳେ ସେଥିରେ ଯଥେକଷ୍ଟେ ୬ପ୍ରାଣୀଙ୍କ ପେଟ ସିନା ପୁରୁଛି ହେଲେ ଅଚ୍ୟୁତାନନ୍ଦଙ୍କ ରୋଗ ଯନ୍ତ୍ରଣା ଦିନକୁ ଦିନ ବଢିବାରେ ଲାଗିଛି । ଚାଳଛପର ଘରେ ଜରିପାଲ ପକାଇ ପରିବାର ଯଥେକଷ୍ଟେ କାଳାତିପାତ କରୁଛନ୍ତି । ଉଚ୍ଚ ଚିକିତ୍ସା କରାଗଲେ ସ୍ୱାମୀ ଭଲ ହୋଇଯାଇପାରନ୍ତେ ହେଲେ ଏଥିପାଇଁ ଅର୍ଥ ବାଧକ ସାଜୁଥିବା ପତ୍ନୀ ସନ୍ଧ୍ୟାରାଣୀ କହିଛନ୍ତି । ବନ୍ଧୁବାନ୍ଧବ, ସାହିପଡିଶାଙ୍କ ସାହାର୍ଯ୍ୟ ଯୋଗୁ ସ୍ୱାମୀଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଅଧିକ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ପଡିଥିଲା । ଯାହା ଯୋଗାଡ କରିନପାରିବାରୁ ସ୍ୱାମୀଙ୍କର ଶରୀର ରୋଗ ଯୋଗୁ ଦିନକୁ ଦିନ କ୍ଷୁର୍ଣ୍ଣ ହେବାରେ ଲାଗିଛି । ବୃଦ୍ଧ ବୟସରେ ବୁଢାବାପା କାଁଭାଁ ମୁଲମଜୁରୀ ଲାଗିବା ସହିତ ମଗାଯଚା କରି ଏବେ  ସୁଦ୍ଧା ପୁଅ ପାଇଁ ମାସିକ ୧୫୦୦ରୁ ୨୦୦୦ଟଙ୍କା ଔଷଧ ଖର୍ଚ୍ଚ ଯୋଗାଡ କରୁଛନ୍ତି । ଗରୀବ ଓ ଅସହାୟ ଲୋକଙ୍କ ମାରାତ୍ମକ ରୋଗର ଚିକିତ୍ସା ପାଇଁ ସରକାରଙ୍କ ତରଫରୁ ଅନୁକମ୍ଫାମୂଳକ ଆର୍ଥିକ ପାଣ୍ଠି ରହିଥିଲେ ସୁଦ୍ଧା ତାହା ଏଯାଏଁ ଅଚ୍ୟୁତାନନ୍ଦଙ୍କୁ ମିଳିବା ସମ୍ଭବ ହୋଇନାହିଁ । ଏପରିସ୍ଥଳେ ତାଙ୍କର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ହେଉଁ କିମ୍ବା ଜିଲ୍ଲା ପ୍ରଶାସନର ରେଡକ୍ରସରୁ ଯଦି ସାହାର୍ଯ୍ୟ ସହଯୋଗ ମିଳିବା ସହ ସ୍ୱାସ୍ଥ୍ୟ ବିଭାଗରେ ଅଚ୍ୟୁତାନନ୍ଦଙ୍କୁ ଅଧିକ ଚିକିତ୍ସା ଯୋଗାଯାଇପାରିଲେ ସେ ସୁସ୍ଥ ହୋଇପାରନ୍ତେ ବୋଲି ତାଙ୍କ ବାପା ଓ ପତ୍ନୀ ଆଶାପ୍ରକଟ କରିଛନ୍ତି । ତେଣୁ ଏହା ଉପରେ ପ୍ରଶାସନ ଦୃଷ୍ଟି ଦେଲେ ଏକ ଗରୀବ ଅସହାୟ ପରିବାରର ଭେଣ୍ଡିଆ ପୁଅ ରୋଗରୁ ମୁକ୍ତି ପାଇବା ସହ ହସଖୁସିର ସଂସାର ପୁଣି ଫେରି ଆସନ୍ତା ଏଥିରେ ସନ୍ଦେହ ନାହିଁ । ଏଣୁ ଅଚ୍ୟୁତାନନ୍ଦଙ୍କ ପତ୍ନୀ ସନ୍ଧ୍ୟାରାଣୀ ଓ ବାପା ଚୈତନ୍ୟ ସରକାରୀ ସାହାର୍ଯ୍ୟ ପାଇଁ ଗଣମାଧ୍ୟମ ଜରିଆରେ ଆକୁଳ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ