ଯୁବ ରେଡକ୍ରସ ପକ୍ଷରୁ କ୍ଲଷ୍ଟର ସ୍ତରୀୟ ୩ ଦିନିଆ ତାଲିମ ଶିବିର ଉଦଘାଟିତ
ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ ପକ୍ଷରୁ କ୍ଲଷ୍ଟର ସ୍ତରୀୟ ୩ ଦିନିଆ ତାଲିମ ଶିବିର ଗୁରୁବାର ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସର ଗଞ୍ଜାମ ଜିଲ୍ଲା ସଂଯୋଜକ ବି. ଗୋବିନ୍ଦ ରାଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଏଚଆଇଭି ଏଡସ୍, ପ୍ରାଥମିକ ଚିକିତ୍ସା, ସଡକ ସୁରକ୍ଷା, ରକ୍ତଦାନ, ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ସଚେତନତା କରାଇଥିଲେ । ସମ୍ମାନିତ ଅତିଥି ଭାବେ ଛତ୍ରପୁର ର ପୂର୍ବତନ ବିଧାୟକ ଅଶୋକ କୁମାର ଚୈଧୂରୀ ଯୋଗ ଦେଇ ନିଜ ଅନୁଭୁତି ବିଷୟରେ ବର୍ଣ୍ଣନା କରିଥିଲେ । ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ମହାବିଦ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରାଯିବା ପରେ ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରିବା ପାଇଁ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବଦ୍ୟାଳୟ, ଛତ୍ରପୁର ମହିଳା ମହାବିଦ୍ୟାଳୟ, ନରେନ୍ଦ୍ରପୁର ମହାବିଦ୍ୟାଳୟ, ମହାନାଦପୁର ମହାବିଦ୍ୟାଳୟ, ଗଞ୍ଜାମ ମହାବିଦ୍ୟାଳୟ ଏବଂ ପଣ୍ଡିତ ନୀଳକଣ୍ଠ ଉତ୍କଳ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ତାଲିମ ନେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଯୁବ ରେଡକ୍ରସ କାଉନସିଲର ସୁର୍ଯ୍ୟ ନାରାୟଣ ଡାକୁଆ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଡ. ପ୍ରଦୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।