ଯୈାତୁକ ପାଇଁ ବଧୂ ହତ୍ୟା ଅଭିଯୋଗ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଶୁକ୍ରବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ସୋମପୁର ଗ୍ରାମରେ ଯୈାତୁକ ପାଇଁ ବଧୂ ହତ୍ୟା ଅଭିଯୋଗ ହୋଇଛି । ମୃତକ ଜଣକ ସ୍ଥାନୀୟ ପୈାରାଞ୍ଚଳ ୭ ନମ୍ବର ଓ୍ବାର୍ଡ ସୋମପୁର ଗ୍ରାମର ଭିକାରୀ ସାହୁଙ୍କ ସ୍ତ୍ରୀ ରାଜେଶ୍ବରୀ ସାହୁ (୨୨) । ଏ ନେଇ ହିଞ୍ଜିଳି ଥାନାରେ ମୃତକଙ୍କ ବାପା ବିଜୟ ସାହୁ ଅଧିକ ଯୈାତୁକ ଦାବି କରି ଶଶୁର ଘର ଲୋକେ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି । ଏ ନେଇ ହିଞ୍ଜିଳି ଥାନାରେ ୪୦୧/୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ବାସିନ୍ଦା ବିଜୟ ସାହୁଙ୍କ ଝିଅ ରାଜେଶ୍ବରୀ ସହ ହିଞ୍ଜିଳିକାଟୁ ପୈାରାଞ୍ଚଳ ରଜା ସାହି ବାସିନ୍ଦା ରାମହରି ସାହୁଙ୍କ ପୁଅ ଭିକାରୀ ସହ ଗତ ୨୦୧୯ ଏପ୍ରିଲ ମାସରେ ବାହାଘର ହୋଇଥିଲା । ବାହାଘର ସମୟରେ ବରଘର ଦାବି ମୁତାବକ ୫ ଭରି ଓଜନର ସୁନା ଗହଣା, ୧ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ଆସବାବପତ୍ର ପ୍ରଦାନ କରାଯାଇଥିଲା । ଅଧିକ ଯୌତୁକ ଦାବି କରି ଶଶୁର ଘର ଲୋକେ ରାଜେଶ୍ବରୀଙ୍କୁ ବାରମ୍ବାର ନିର୍ଯ୍ୟାତନା ଦେଉଥିଲେ ବୋଲି ମୃତ ନବବଧୂଙ୍କ ବାପା ଅଭିଯୋଗ କରିଛନ୍ତି । ଶୁକ୍ରବାର ଅପରାହ୍ନରେ ନବବଧୂ ଜଣକ ଉପର ଘରକୁ ଯାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଶଶୁର ଘର ଲୋକେ ନବବଧୂ ଙ୍କ ପରିବାର ବର୍ଗଙ୍କୁ ଖବର ଦେଇଥିଲେ । ନବବଧୂ ଜଣକ ବଞ୍ଚିଥିବା ଆଶଙ୍କା କରି ପରିବାର ଲୋକେ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଡ଼ାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଛି । ଶନିବାର ସକାଳେ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯିବ ବୋଲି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ଅନ୍ୟ ପକ୍ଷରେ ନବବଧୂଙ୍କ ସ୍କୁଟି ଗାଡ଼ି ନେଇ ଶଶୁର କୈାଣସି କାମରେ ବାହାରକୁ ଗାଡି ନେଇ ଚାଲିଯିବାରୁ ଉତ୍ୟକ୍ତ ହୋଇ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ଶଶୁର ରାମହରି କହିଛନ୍ତି । ବ୍ୟବଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଦାସ କହିଛନ୍ତି ।