ଯୋଗଶିକ୍ଷକ ତାଲିମ ଶିବିର ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା) :-ପବିତ୍ର ରଜସଂକ୍ରାନ୍ତି ଦିବସରେ ସ୍ଥାନୀୟ ସିଦ୍ଧିକଲ୍ୟାଣ ମଣ୍ଡପରେ ଏକ ଯୋଗ ଶିକ୍ଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିର କୁ ଯୋଗ ମହୋତ୍ସବ ସମିତି ବାଲେଶ୍ୱର ତରଫରୁ ଆୟୋଜନ କରାଯାଇଥିଲା । ଶିବିରକୁ ଚିନ୍ମୟ ମିଶନ ବାଲେଶ୍ୱରର ମୁଖ୍ୟସନ୍ଥ ଶ୍ରୀ ଅଗସ୍ତି ଚୈତନ୍ୟ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ବିଶ୍ୱହିନ୍ଦୁ ପରିଷଦର ପ୍ରମୁଖ ଶ୍ରୀ ଳଭଦ୍ର ଶତପଥୀ ଅଧ୍ୟକ୍ଷତା କରି ଆଜିର ସମାଜରେ ଯୋଗର ଆବଶ୍ୟକତାକୁ କେହି ଅମାନ୍ୟ କରି ପାରିବେ ନାହିଁ ବୋଲି କହିଥିଲେ । ବାଲେଶ୍ୱର ଯୋଗ ଅନୁଷ୍ଠାନ ‘ହେଲ୍ଦି ଲାଇଫ’ର ପ୍ରତିଷ୍ଠାତା ଡ. ଚିତ୍ତରଞ୍ଜନ ସାହୁ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଯୋଗ ଓ ଜୀବନ ଶୀର୍ଷକ ବକ୍ତବ୍ୟ ରଖିଥିଲେ । ଯୋଗଗୁରୁ ତଥା ଜିଲ୍ଲା ସଂଯୋଜକ ସୁଜିତ୍ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷିକା ତଥା ସହ ସଂଯୋଜିକା ଦମୟନ୍ତୀ ମହାପାତ୍ର, ସହ ସଂଯୋଜକ ଅଜୟ ଚୌଧୁରୀ ଓ ଶ୍ରୀମତୀ ମାନସୀ ଦାସ ଯୋଗର କ୍ରମଗୁଡ଼ିକୁ ପ୍ରଦର୍ଶନ କରିଥିଲେ । ଏଥିରେ ବିଭିନ୍ନ ସ୍ଥାନରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ପୁରୁଷ ମହିଳା ଭାଗନେଇ ଆସନ୍ତା ଜୁନ୍ ୨୧ ତାରିଖ ଯୋଗଦିବସକୁ ସଫଳ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ ।


